
ହରିଦ୍ୱାର, ୨୪ ନଭେମ୍ବର (ହି.ସ.)- କାର୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଉତରାଖଣ୍ଡରେ ଶ୍ରଦ୍ଧା ଓ ଭକ୍ତିର ଜନସମାଗମ ଦେଖିବାକୁ ମିଳିଛି। ହରିଦ୍ୱାରଠାରୁ ଋଷିକେଶ ଏବଂ ରାଜ୍ୟର ଅନ୍ୟ ପବିତ୍ର ଘାଟଗୁଡ଼ିକରେ ଶ୍ରଦ୍ଧାଳୁମାନେ ଗଙ୍ଗାରେ ବୁଡ଼ ପକାଇଛନ୍ତି। ହରିଦ୍ୱାରର ହର୍ କି ପୌଡ଼ି ସମେତ ଗଙ୍ଗାର ବିଭିନ୍ନ ଘାଟରେ ବ୍ରହ୍ମ ମୁହୂର୍ତରୁ ହିଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିବା ଆରମ୍ଭ ହୋଇଥିଲା। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରଦ୍ଧାଳୁମାନେ ଗଙ୍ଗାସ୍ନାନ, ପୂଜାର୍ଚ୍ଚନା ଓ ଦୀପଦାନ କରି ସୁଖ-ସମୃଦ୍ଧି କାମନା କରିଥିଲେ। ଘାଟଗୁଡ଼ିକରେ ହର-ହର୍ ଗଙ୍ଗେ ଜୟଧ୍ୱନିରେ ପରିବେଶ ଭକ୍ତିମୟ ହୋଇଉଠିଥିଲା।
ହରିଦ୍ୱାରର ହର୍ କି ପୌଡ଼ିସ୍ଥିତ ବ୍ରହ୍ମକୁଣ୍ଡ ସମେତ ଗଙ୍ଗାର ସମସ୍ତ ଘାଟରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଯିବାଆସିବା ଲାଗି ରହିଥିଲା। ପରିବାର ସହ ପହଂଚିଥିବା ଲୋକମାନେ ଗଙ୍ଗାସ୍ନାନ ପରେ ଗଙ୍ଗା ପୂଜନ କରିବା ସହ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ। ଋଷିକେଶର ତ୍ରିବେଣୀ ଘାଟ ସମେତ ଅନ୍ୟ ଗଙ୍ଗା ଘାଟଗୁଡ଼ିକରେ ମଧ୍ୟ ଶ୍ରଦ୍ଧାଳୁମାନେ ସ୍ନାନ ଓ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର, ଆଶ୍ରମ ଓ ମଠଗୁଡ଼ିକରେ ଧାର୍ମିକ ଅନୁଷ୍ଠାନ ଆୟୋଜନ କରାଯାଇଥିଲା। ଦେବ ଦୀପାବଳି ଅବସରରେ ଘାଟଗୁଡ଼ିକରେ ଦୀପଦାନ ମଧ୍ୟ କରାଯାଇଥିଲା। ଗଙ୍ଗାଙ୍କ ଜୟଧ୍ୱନି, ପୂଜାର୍ଚ୍ଚନା ଓ ଦୀପଦାନ ମଧ୍ୟରେ ହରିଦ୍ୱାର ସମେତ ରାଜ୍ୟର ପ୍ରମୁଖ ତୀର୍ଥସ୍ଥଳଗୁଡ଼ିକରେ ଦିନସାରା ଧାର୍ମିକ ଉତ୍ସାହର ପରିବେଶ ଲାଗି ରହିଥିଲା।
ସନାତନ ଧର୍ମରେ କାର୍ତିକ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି। ପୌରାଣିକ ମାନ୍ୟତା ଅନୁସାରେ, ଏହି ଦିନକୁ ଦେବ ଦୀପାବଳି ଭାବେ ମଧ୍ୟ ପାଳନ କରାଯାଏ। ବିଶ୍ୱାସ ରହିଛି ଯେ, ଏହି ଦିନ ଭଗବାନ ଶିବ ତ୍ରିପୁରାସୁରର ବଧ କରି ଦେବତାମାନଙ୍କୁ ତା'ର ଅତ୍ୟାଚାରରୁ ମୁକ୍ତ କରିଥିଲେ। ଏହି ବିଜୟର ଖୁସିରେ ଦେବତାମାନେ ଦୀପୋତ୍ସବ ପାଳନ କରିଥିଲେ। ଧାର୍ମିକ ମାନ୍ୟତା ଅନୁସାରେ, ଏହି ଦିନ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରିଥିଲେ। ଏହି କାରଣରୁ କାର୍ତିକ ପୂର୍ଣ୍ଣିମାରେ ଭଗବାନ ବିଷ୍ଣୁ ଓ ଭଗବାନ ଶିବଙ୍କ ଆରାଧନାର ବିଶେଷ ମହତ୍ୱ ରହିଛି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ