ଲକ୍ଷ୍ମୀପୁରରେ ବାଘ ଆତଙ୍କ, ବାଘକୁ ଧରିବାକୁ ଜଙ୍ଗଲ ବିଭାଗର ତତ୍ପରତା
ଜୟପୁର, ୨୪ ନଭେମ୍ବର (ହି.ସ.)- ଲକ୍ଷ୍ମୀପୁର ଜଙ୍ଗଲ ଛାଡ଼ୁନି ବାଘ, ଲୋକେ ଆତଙ୍କିତ । ଦିନେ କି ଦୁଇଦିନ ନୁହେଁ, ଲଗାତାର ଚାରିଦିନ ହେଲା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବିଲାପୁଟ ଜଙ୍ଗଲରେ ଡେରା ପକାଇଛି ବାଘ। ରବିବାର ରାତିରେ ଡ୍ରୋନ୍ କ୍ୟାମେରାରେ ଥରେ ଦେଖାଦେବା ପରେ ଏବେ ଆଉ ତାହାର ପତ୍ତା ମ
ଲକ୍ଷ୍ମୀପୁର ବାଘ ଆତଙ୍କ, ବାଘ କପ କୁ ଧରିବାରେ  ଜଙ୍ଗଲ ବିଭାଗର ତତ୍ପରତା


ଜୟପୁର, ୨୪ ନଭେମ୍ବର (ହି.ସ.)- ଲକ୍ଷ୍ମୀପୁର ଜଙ୍ଗଲ ଛାଡ଼ୁନି ବାଘ, ଲୋକେ ଆତଙ୍କିତ । ଦିନେ କି ଦୁଇଦିନ ନୁହେଁ, ଲଗାତାର ଚାରିଦିନ ହେଲା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବିଲାପୁଟ ଜଙ୍ଗଲରେ ଡେରା ପକାଇଛି ବାଘ। ରବିବାର ରାତିରେ ଡ୍ରୋନ୍ କ୍ୟାମେରାରେ ଥରେ ଦେଖାଦେବା ପରେ ଏବେ ଆଉ ତାହାର ପତ୍ତା ମିଳୁନି। ବନ ବିଭାଗର ସମସ୍ତ ଉଦ୍ୟମ ସତ୍ତ୍ୱେ ବାଘର ଗତିବିଧି ଠାବ ହୋଇପାରୁନଥିବାରୁ ଆତଙ୍କିତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଭିତରଗଡ଼ ପଞ୍ଚାୟତର ବିଲାପୁଟ ଜଙ୍ଗଲରେ ବାଘର ଉପସ୍ଥିତିକୁ ନେଇ ଏବେ ଚାରିଆଡ଼େ ଆତଙ୍କିତ ଲୋକେ । ବାଘକୁ ଠାବ କରିବା ପାଇଁ ବନ ବିଭାଗ ପକ୍ଷରୁ ଚାଲିଛି ଜୋରଦାର ଉଦ୍ୟମ। ଗତ ରବିବାର ରାତିରେ ଡ୍ରୋନ୍ କ୍ୟାମେରାରେ ମାତ୍ର ଥରୁଟିଏ ଦୃଶ୍ୟମାନ ହୋଇଥିଲା ବାଘ। ହେଲେ ଏହାପରଠାରୁ ଆଉ ତାହାର କୌଣସି ଖୋଜଖବର ମିଳୁନାହିଁ। ଜଙ୍ଗଲର ଚତୁଃପାର୍ଶ୍ୱରେ ଲଗାଯାଇଛି ଟ୍ରାପ୍ କ୍ୟାମେରା। ଦିନରାତି ନଜର ରଖାଯାଉଛି। ତଥାପି କ୍ୟାମେରାରେ କଏଦ ହୋଇପାରୁନି ବାଘର କୌଣସି ଗତିବିଧି। ସେପଟେ ବାଘର ସନ୍ଧାନରେ ଗତ ଶୁକ୍ରବାରଠାରୁ ଜଙ୍ଗଲ ଭିତରେ ଡେରା ପକାଇଛି ବନ ବିଭାଗର ସ୍ୱତନ୍ତ୍ର ଟିମ୍। ମଞ୍ଚା ବାନ୍ଧି ଦିନରାତି ଜଗି ରହିଛନ୍ତି କର୍ମଚାରୀ। ହେଲେ ଚାରିଦିନ ବିତିଯାଇଥିଲେ ମଧ୍ୟ ବାଘର ସ୍ଥିତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରୁନାହିଁ।ଅନ୍ୟପଟେ ବାଘର ଉପସ୍ଥିତିକୁ ନେଇ ଭୟଭୀତ ଦୁର୍ଗମ ଅଞ୍ଚଳର ଗ୍ରାମବାସୀ। ଜଙ୍ଗଲକୁ ଯିବା ଆସିବାଠାରୁ ଆରମ୍ଭ କରି ଦୈନନ୍ଦିନ କାମଧନ୍ଦା ପର୍ଯ୍ୟନ୍ତ ସବୁଥିରେ ପଡ଼ିଛି ଏହାର ପ୍ରଭାବ। କେତେବେଳେ ବାଘ ଜଙ୍ଗଲ ଛାଡ଼ିବ ଏବଂ କେବେ ଅଞ୍ଚଳରେ ସ୍ୱାଭାବିକ ସ୍ଥିତି ଫେରିବ, ସେହି ଅପେକ୍ଷାରେ ରହିଛନ୍ତି ଅଞ୍ଚଳବାସୀ। ତେବେ ବିଲାପୁଟ ଜଙ୍ଗଲରେ ବାଘର ଉପସ୍ଥିତିକୁ ନେଇ ଏବେ ବି ଜାରି ରହିଛି ଅନିଶ୍ଚିତତା। ୪ ଦିନ ହେବ ଜଙ୍ଗଲ ବିଭାଗର ନିଦ ହଜିଯାଇଛି । ବନ ବିଭାଗ କେବେ ବାଘର ସଠିକ୍ ଗତିବିଧି ଠାବ କରିବ ତାହା ଦେଖିବାକୁ ବାକି ରହିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande