କାର୍ତିକ ପୂର୍ଣ୍ଣମୀରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରାଜାଧିରାଜ ବେଶ
ପୁରୀ, ୨୪ ନଭେମ୍ବର (ହି.ସ.)- କାର୍ତିକ ପୂର୍ଣ୍ଣମୀରେ ଆଜି ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ତିନି ଠାକୁରଙ୍କ ସୁନାବେଶ ବା ରାଜାଧିରାଜ ବେଶ ଅନୁଷ୍ଠିତ ହୋଇଛି । ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ରାଜବେଶ
ଶ୍ରୀମନ୍ଦିର


ଶ୍ରୀମନ୍ଦିର


ଶ୍ରୀମନ୍ଦିରରେ ପତିତପାବନ


ପୁରୀ, ୨୪ ନଭେମ୍ବର (ହି.ସ.)- କାର୍ତିକ ପୂର୍ଣ୍ଣମୀରେ ଆଜି ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ତିନି ଠାକୁରଙ୍କ ସୁନାବେଶ ବା ରାଜାଧିରାଜ ବେଶ ଅନୁଷ୍ଠିତ ହୋଇଛି । ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ରାଜବେଶରେ ସଜ୍ଜିତ କରିଥିଲେ ।

ଆଜିର ସ୍ୱତନ୍ତ୍ର ନୀତିକାନ୍ତି ଅନୁଯାୟୀ, ମଙ୍ଗଳ ଆଳତୀ ସକାଳ ୫ଟା ୨୦, ମଇଲମ ୫ଟା ୩୫, ତଡ଼ପଲାଗି ୫ଟା ୫୫, ଅବକାଶ ପୂଜା ଠା ୬ଟା ୧୦, ଅବକାଶ ପୂଜା ୬ଟା ୧୫, ମଇଲମ ୬ଟା ୩୫, ରୋଷ ହୋମ ୬ଟା ୪୫, ରାଜାଧିରାଜ ବେଶ ଆରମ୍ଭ ୬ଟା ୩୦, ରାଜାଧିରାଜ ବେଶ ଶେଷ ୭ଟା ୫୦, ଭୋଗ ମଣ୍ଡପ ଉଠିଲା ୧୧ଟା ୩୫ରେ । ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ଜାରି ରହିଛି । ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ସିଂହଦ୍ୱାରରେ ପ୍ରବେଶ ପୂର୍ବକ ଦର୍ଶନ ଓ ବେଢା ପରିକ୍ରମା କରି ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି ।

ଏହି ବେଶରେ ଶ୍ରୀଜୀଉମାନେ ଶ୍ରୀଭୁଜ, କିରୀଟ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦ୍ରିକା, ଶଙ୍ଖ, ଚକ୍ର, ହଳ, ମୂଷଳ, ତ୍ରିଶାଖା, ଅଳକା, ତଡ଼ଗି, ଶ୍ରୀମୁଖ ପଦ୍ମ, ଘାଗଡ଼ା ମାଳି, କଦମ୍ବ ମାଳି, ହରିଡ଼ା କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ବାଘନଖି ମାଳି ଓ ସେବତୀମାଳି ଆଦି ରତ୍ନ ଅଳଙ୍କାର ଧାରଣ କରିଥିଲେ । ଏହି ବେଶରେ ଗୋପାଳ ବଲ୍ଲଭ, ସକାଳଧୂପ ଓ ଭୋଗମଣ୍ଡପ ଆଦି ନୀତି ଶେଷହେବା ପରେ ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କ ଦର୍ଶନ କରିଛନନ୍ତି । ହବିଷ୍ୟାଳୀ ମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରି ଫେରିଛନ୍ତି । ସୁନାବେଶ ପାଇଁ ଆଜି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ, ସମୁଦ୍ର କୂଳ, ବଡଦାଣ୍ଡ ଏବଂ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏତଦ୍ ବ୍ୟତୀତ ତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସମୁଦ୍ର କୂଳେ ପୋଲିସ ସହିତ ଅଗ୍ନିଶମ ବାହିନୀ, ଲାଇଫ୍ ଗାର୍ଡଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande