
ଝାରସୁଗୁଡ଼ା, ୨୪ ନଭେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲାର ତଳାବିରା ସ୍ଥିତ ଏନଏଲସି କୋଇଲା ଖଣି ପ୍ରକଳ୍ପ ଗତ ୧୦ ଦିନ ଧରି ବନ୍ଦ ରହିଛି। ଏହି ପ୍ରସଙ୍ଗରେ ମଙ୍ଗଳବାର ଝାରସୁଗୁଡ଼ା ର ଏକ ଘରୋଇ ହୋଟେଲ ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ମଲଦା ପଂଚାୟତ, ପତ୍ରାପାଲି ପଂଚାୟତ ଏବଂ ଆରପିଡିଏସି ର ସଦସ୍ୟ ତଥା ବିସ୍ଥାପିତ ଓ ପ୍ରଭାବିତ ଗ୍ରାମବାସୀମାନେ ଉପସ୍ଥିତ ରହି କମ୍ପାନୀ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିବା ସହ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି।ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିବା ରାମପୁର ର ଆରପିଡ଼ିଏସି ସଭ୍ୟ ହିମାଂଶୁ କିଷାନ,ବିଭୁତି ସିଂ, ପତ୍ରାପାଲି ଗ୍ରାମ ପଂଚାୟତ ର ଗୋପବନ୍ଧୁ ଭଂଜ, ଜୟ ପ୍ରକାଶ ପାତ୍ର, ସମାଜସେବୀ ଶଙ୍କର ଦେଓ, ଅମିତ ନାଗ ପ୍ରମୁଖ କହିବା ଅନୁଯାୟୀ, ଦୀର୍ଘ ୮ ବର୍ଷର ପ୍ରଚେଷ୍ଟା ପରେ ପୂବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ପ୍ରଚେଷ୍ଟା ରେ ତଳାବିରାରେ ଆରପିଡିଏସି ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା। କିନ୍ତୁ ଦୁଃଖର ବିଷୟ ଯେ, ଏହି ବୈଠକର କାର୍ଯ୍ୟାନୁବର୍ତୀ ବିବରଣୀ ବା ପ୍ରୋସିଡିଂ ଦୀର୍ଘ ଅଢ଼େଇ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। କମ୍ପାନୀର କୌଣସି ଚାପ କିମ୍ବା ଷଡ଼ଯନ୍ତ୍ର ଯୋଗୁଁ ଏହାକୁ ଚପାଇ ଦିଆଯାଉଛି ବୋଲି ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି।
ସେହିପରି, କମ୍ପାନୀ ଦୀର୍ଘ ୮ ରୁ ୧୦ ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଅବହେଳା କରୁଥିବା ଅଭିଯୋଗ ହୋଇଛି।ଡ୍ରାଇଭର, ବୈଷିୟକ ଏବଂ ଅନ୍ୟାନ୍ୟ କ୍ଷେତ୍ର ରେ ବହୁ ଯୋଗ୍ୟ ବେକାର ଯୁବକ ରହିଥିବା ବେଳେ ସେମାନଙ୍କୁ ନିଯୁକ୍ତି ମିଳୁନାହିଁ । କମ୍ପାନୀ ତଥ୍ୟ ଅନୁଯାୟୀ ମାତ୍ର ୭ ପ୍ରତିଶତ ଚାକିରି ଦିଆଯାଇଥିବା ବେଳେ, ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଅଂଚଳରେ ଉତମ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦେବାରେ କମ୍ପାନୀ ବିଫଳ ହୋଇଛି। ବିଶେଷ କରି ମଲଦା, ପତ୍ରାପାଲି, ରାମପୁର ଏବଂ ଖଏଟ ଅଂଚଳର ବିସ୍ଥାପିତ ଓ ପ୍ରଭାବିତ ଲୋକଙ୍କ ସମସ୍ୟାର ସମାଧାନ ହୋଇନାହିଁ। କୋଇଲା ପରିବହନ ଯୋଗୁଁ ପ୍ରଦୂଷଣ ବଢ଼ିବା ସହ ଦୁର୍ଘଟଣା ଘଟୁଛି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।ଏହା ସହିତ ରାମପୁର,ମଳଦା ପତ୍ରାପାଲି ଅଂଚଳ ର ଲକ୍ଷ ଲକ୍ଷ ଗଛ କଟାଯାଇଥିବା ବେଳେ ପୂର୍ବ ରୁ ରହିଥିବା ଜଙ୍ଗଲ କମିଟି ଙ୍କୁ ମଧ୍ୟ କୌଣସି ସହାୟତା ମିଳିନାହିଁ ଜ୍ଝଯାହା କି ବିସ୍ଥାପନ ନୀତି ଅନୁସାରେ ମିଳିବା କଥା । ଅନ୍ୟପକ୍ଷରେ,ଏନଏଲସି ର ସମସ୍ତ ପରିବହନ ବନ୍ଦ ଯୋଗୁଁ ଟ୍ରକ୍ ମାଲିକ ସଂଘ ନିଜର କ୍ଷତି ହେଉଥିବା କହି ପରିବହନ କାର୍ଯ୍ୟ ଚଳାଇବାକୁ ଦେଇଥିବା ଦାବିପତ୍ର କଥାକୁ ନେଇ ବକ୍ତାମାନେ କହିଛନ୍ତି ଯେ,ଟ୍ରକ ମାଲିକ ମାନଙ୍କ ମାନଙ୍କ ର କ୍ଷତି ହେଉଥିବା ନେଇ ଆମେ ଦୁଃଖିତ କିନ୍ତୁ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ଓ ସମସ୍ୟାର ସମାଧାନ ପାଇଁ ଏହି ଆନ୍ଦୋଳନ କରାଯାଉଛି। ତେଣୁ ଟ୍ରକ୍ ମାଲିକମାନେ କୁଚକ୍ରୀ ଗୋଷ୍ଠୀଙ୍କ କଥାରେ ନ ପଡ଼ି ସ୍ଥାନୀୟ ଲୋକଙ୍କୁ ସହଯୋଗ କରନ୍ତୁ। ପ୍ରୋସିଡିଂ ନ ବାହାରିବା ପର୍ଯ୍ୟନ୍ତ ଏବଂ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ବନ୍ଦ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଛି। ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ରେ ସମାଜସେବୀ ଶଙ୍କର ଦେଓ, ଅମିତ ନାଗ, ଆରପିଡ଼ିଏସି ସଦସ୍ୟ ଜୟପ୍ରକାଶ ପାତ୍ର ଓ ହିମାଂଶୁ କିସାନ, ଗୋପବନ୍ଧୁ ଭଞ୍ଜ, ବିଭୁତି ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ