
ପୁରୀ, ୨୪ ନଭେମ୍ବର (ହି.ସ.)- ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନରେନ୍ଦ୍ର ପୁଷ୍କରିଣୀଠାରେ ଏକ ନୂତନ ସୂଚନା କେନ୍ଦ୍ର ଏବଂ ଅଭ୍ୟର୍ଥନା ଗୃହର ଶୁଭାରମ୍ଭ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ପରିଚାଳନା କମିଟି ସଦସ୍ୟ ଏବଂ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନଙ୍କ ଉପସ୍ଥିତିରେ ପୂଜାକର୍ମ କରାଯାଇ ଏହି କେନ୍ଦ୍ରର ଶୁଭାରମ୍ଭ ହୋଇଛି। ନୂତନ ଭାବେ ସୂଚନା କେନ୍ଦ୍ର ସ୍ଥାପିତ ହେବା ପରେ ବିଭିନ୍ନ ପର୍ବପର୍ବାଣି, ଯାନିଯାତ୍ରା ସମୟରେ ସୂଚନା ପ୍ରସାରଣ, ହଜିବା-ପାଇବା, ଜରୁରୀକାଳୀନ ଘୋଷଣା କରିବାରେ ସୁବିଧା ହେବ। ବିଶେଷ କରି ଚନ୍ଦନଯାତ୍ରା ଓ ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ଏବଂ ସୂଚନା ପ୍ରସାରଣରେ ଏହା ସହାୟକ ହେବ। ସୂଚନା କେନ୍ଦ୍ର ପାର୍ଶ୍ୱରେ ଏକ ଅଭ୍ୟର୍ଥନା ଗୃହ ମଧ୍ୟ ନିର୍ମାଣ କରାଯାଇଛି। ଉପର ମହଲାରେ ମହାପ୍ରସାଦ ସେବନ ପାଇଁ ଏକ କୋଠରୀ ନିର୍ମାଣ କରାଯାଇଛି। ସୂଚନା କେନ୍ଦ୍ରରେ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ପୁସ୍ତକ, ଶ୍ରୀମନ୍ଦିର ପତ୍ରିକା, ସମାଚାର, କ୍ୟାଲେଣ୍ଡର ଇତ୍ୟାଦି ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ପାଇଁ ଉପଲବ୍ଧ ରହିବ। ଚନ୍ଦନ ଯାତ୍ରା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ମଧ୍ୟ ଉପର ମହଲାରେ ସୁବିଧା ରହିଛି, ଯାହା ଭକ୍ତ ଓ ଶ୍ରଦ୍ଧାଳୁମାନେ ଦେଖିପାରିବେ। ନୂତନ ସୂଚନା କେନ୍ଦ୍ର ସାମ୍ନାରେ ପୁରୁଷ, ମହିଳା ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ନିକଟରେ ନରେନ୍ଦ୍ର ପୁଷ୍କରିଣୀ ଏବଂ ଜଗନ୍ନାଥ ବଲ୍ଲଭ ପାର୍କିଂ ରହିଥିବାରୁ, ତୀର୍ଥଯାତ୍ରୀ ଏବଂ ଶ୍ରଦ୍ଧାଳୁମାନେ ଏହି ନବନିର୍ମିତ ସୂଚନା କେନ୍ଦ୍ରର ସାହାଯ୍ୟ ନେଇପାରିବେ ଏବଂ ଆଗକୁ ମଧ୍ୟ ଏହିଭଳି ଉନ୍ନୟନମୂଳକ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ