
ଜୟପୁର, ୨୪ ନଭେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ସୁନାବେଡ଼ା ଲକ୍ଷ୍ମୀ ମଣ୍ଡପ ଠାରେ ସ୍ନେହୀ ସମାଜ ତରଫରୁ ବୋଇତବନ୍ଦlଣ ଓ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରାପୁଟରୁ ଦୁର୍ଯୋଧନ ବେହେରା, ଦାମନଯୋଡିରୁ ସମ୍ମାନିତ ଅତିଥି ଭାବରେ ଡଃ. ନରେଶ ଚନ୍ଦ୍ର ସାହୁ ଓ ଖୋର୍ଦ୍ଧାରୁ ଜବାହାର ଲାଲ ସୁବୁଦ୍ଧି ଓ ସେମିଳିଗୁଡାରୁ ଚରଣ ସାହୁ ଯୋଗଦେଇ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ ଓ ବୋଇତ ବନ୍ଦାଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓ ସାଧବ ପୁଅ ମାନଙ୍କ ନୌବାଣିଜ୍ୟ ପରମ୍ପରାର ରୋମନ୍ଥନ କରିବା ସହ ସ୍ନେହୀ ସମାଜ ପ୍ରତିଷ୍ଠା ଠାରୁ ଏଯାବତ୍ ଯେଉଁ ସବୁ ଜନହିତକର କାର୍ଯ୍ୟ କରିଯାଇଛନ୍ତି ସେବିଷୟରେ ଆଲୋକପାତ କରିଥିଲେ। ଅଶ୍ୱିନ କୁମାର ସାହୁ ଏଥିରେ ସଭାପତିତ୍ବ କରିଥିଲେ। ସ୍ନେହୀ ସମାଜର ସମ୍ପାଦକ ଜିତେନ୍ଦ୍ର ସାହୁ ବାର୍ଷିକ ବିବରଣୀ ପ୍ରଦାନ କରିବା ସହ ନିକଟରେ ଅନୁଷ୍ଠିତ ହେଇଥିବା ରକ୍ତଦାନ ଶିବିରରେ ସମସ୍ତ ସଭ୍ୟଙ୍କ ଆଗ୍ରହର ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ କେଉଁସବୁ ଜନହିତକର କାର୍ଯ୍ୟ କରାଯିବ ସେନେଇ ଯୋଜନା ଉପସ୍ଥାପନ କରିଥିଲେ। ଗୋପାଳ ପୃଷ୍ଟି ଓ ଗଣେଶ ଚନ୍ଦ୍ର ସାହୁ ମଂଚ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ମିଉଜିକ ଚେୟାର ପ୍ରତିଯୋଗିତା ଓ ଗୃହିଣୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ସପ୍ତମ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ସର୍ବାଧିକ ମାର୍କ ରଖିଥିବା ଓ ନିଟ୍ ରେ ଉତ୍ତୀର୍ଣ୍ଣ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନାବେଡା ସମେତ ସେମିଳିଗୁଡା, ଦାମନଯୋଡି, କୋରାପୁଟ ଓ ଜୟପୁରରୁ ତୈଳିକ ସମାଜର ୨୦୦ରୁ ଉର୍ଦ୍ଧ ସଭ୍ୟମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁକାନ୍ତ କୁମାର ସାହୁ, ସରୋଜ କୁମାର ସାହୁ, ମୀନକେତନ ସାହୁ, ଅରୁଣ ସାହୁ, ସତ୍ୟନାରାୟଣ ସାହୁ, ଭିକାରୀ ସାହୁ, ପ୍ରସନ୍ନ କୁମାର ସାହୁ ଓ ବାସୁଦେବ ସାହୁ ସହଯୋଗ କରିଥିଲେ। ପରିଶେଷରେ ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି