
ଭୁବନେଶ୍ୱର, ୨୫ ନଭେମ୍ବର (ହି.ସ.) - ଦେଶରେ ଗଣତନ୍ତ୍ର ବିପଦାପନ୍ନ। ଏଭଳି ସମୟରେ ଏ ବର୍ଷର ସମ୍ବିଧାନ ଦିବସ ଗୁରୁତ୍ୱପୂର୍ଣ୍ଣ। ଏହାର ସୁରକ୍ଷା ପାଇଁ ଆସନ୍ତାକାଲି ୨୬ ନଭେମ୍ୱର ଗୁରୁବାର ଭୁବେଶ୍ୱରରେ ହେଉଥିବା ସମ୍ବିଧାନ ରକ୍ଷା ରାଲିରେ ରାଜ୍ୟର ସଚେତନ ନାଗରିକମାନେ ବହୁସଂଖ୍ୟାରେ ଯୋଗ ଦିଅନ୍ତୁ ବୋଲି ଓଡ଼ିଶା ପାଇଁ ନବନିଯୁକ୍ତ ଏଆଇସିସି ସହପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଓରଫ କୋକୋ ପାଢ଼ୀ କଂଗ୍ରେସ ଭବନଠାରେ ଆହ୍ୱାନ ଦେଇଛନ୍ତି। ବୁଧବାର ମଧ୍ୟାହ୍ନରେ ବିମାନ ବନ୍ଦରରୁ ଅବତରଣ କରିବା ପରେ ତାଙ୍କୁ ପିସିସିର ଯୁବବର୍ଗ ଦ୍ୱାରା ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଦିଆଯାଇଥିଲା। ଏହାପରେ ସେ ଏକ ଶୋଭାଯାତ୍ରାରେ ଆସି କଂଗ୍ରେସ ଭବନରେ ପହଂଚିଥିଲେ। ସେଠାରେ ତାଙ୍କୁ ପିସିସି ସଭାପତି ଭକ୍ତ ଚରଣ ଦାସ, ସଙ୍ଗଠନ ଉପସଭାପତି ସନ୍ତୋଷ ସିଂ ସାଲୁଜା, ଉପସଭାପତି ଡ. ଲଲାଟେନ୍ଦୁ ମହାପାତ୍ର, ବିଧାୟକ ପ୍ରଫୁଲ୍ଲ ପ୍ରଧାନ ଓ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଶ୍ରୀ ପାଢ଼ୀଙ୍କ ପରି ଓଡ଼ିଶା ସହ ଭାବଗତ ଓ ଆତ୍ମିକ ସମ୍ପର୍କ ଥିବା ଯୁବନେତାଙ୍କୁ ଓଡ଼ିଶାର ସଂଗଠନ ଦାୟିତ୍ୱ ଦେଇଥିବାରୁ ପିସିସି ସଭାପତି ଏଆଇସିସି ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଥିଲେ। ଶ୍ରୀ ଦାସ କହିଥିଲେ, ୨୬ ନଭେମ୍ୱର ରାଲିରେ ସବୁ ଜିଲ୍ଲାରୁ ଅନ୍ୟୁନ ଦଶରୁ ପନ୍ଦର ହଜାର ଲୋକ ଯୋଗଦେବେ। ପ୍ରାୟ ପାଂଚ ହଜାର ବାଇକ୍ ରାଲିରେ ନେତା ଓ କର୍ମୀମାନେ ଆସିବେ ବୋଲି ସେ ସୂଚନା ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା