
Bhubaneswar, 25 ନଭେମ୍ବର (ହି.ସ.)
ଛତ୍ରପୁର: ବାତ୍ୟା ‘ଅର୍ଣ୍ଣବ’ ଓ ‘ଅକ୍ୱାନ’ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଭରଣା, ପ୍ରଭାବିତଙ୍କୁ ଥଇଥାନ ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କ କୃଷି ଋଣ ଛାଡ଼ ଦାବି କରିଛି ବିଜେଡି। ଏନେଇ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଛତ୍ରପୁରଠାରେ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି।
ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ଧାନ, ପନିପରିବା ଓ ଆଖୁ ଚାଷ ବ୍ୟାପକ ଭାବେ ନଷ୍ଟ ହୋଇଥିବା ବେଳେ ହଜାର ହଜାର ଚାଷୀ ଓ ଛୋଟ ବ୍ୟବସାୟୀ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ନଭେମ୍ବର ୭ ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପରେ ରିଲିଫ୍ ଓ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିବା ଦଳ କହିଛି।
ବିଜେଡିର ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ କ୍ଷତିଗ୍ରସ୍ତ ଚାଷୀଙ୍କ କୃଷି ଋଣ ଛାଡ଼, ଫସଲ ବୀମା ଦାବିର ତ୍ୱରିତ ଫଇସଲା ଏବଂ ଅତିରିକ୍ତ ଆର୍ଥିକ ସହାୟତା ରହିଛି। ଏଥିସହ ଅଣଜଳସେଚିତ ଜମିକୁ ହେକ୍ଟର ପିଛା ୨୦ ହଜାର, ଜଳସେଚିତ ଜମିକୁ ୩୦ ହଜାର ଏବଂ ବାଲିଚର ଜମିକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଦଳ ଦାବି କରିଛି। ସେହିପରି ସମ୍ପୂର୍ଣ୍ଣ ଭାଙ୍ଗିଥିବା ଘର ପାଇଁ ୫ ଲକ୍ଷ ଏବଂ ଆଂଶିକ କ୍ଷତିଗ୍ରସ୍ତ ଘର ପାଇଁ ୨ ଲକ୍ଷ ଟଙ୍କା ଦେବାକୁ କୁହାଯାଇଛି।
ରବି ଋତୁ ପୂର୍ବରୁ କେନାଲ, କାଡ଼ା ଚ୍ୟାନେଲ, ଶାଖା ନାଳ ଓ ଲିଫ୍ଟ ଇରିଗେସନ୍ ପଏଣ୍ଟର ପୁନରୁଦ୍ଧାର, କ୍ଷତିଗ୍ରସ୍ତ ଧାନ କ୍ରୟ, ପନିପରିବା ଓ ଆଖୁଚାଷୀଙ୍କୁ ସହାୟତା ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି। ବ୍ରହ୍ମପୁରର ବାହାନା ଓ ସାପୁଆ ନାଳର ନବୀକରଣ ସହ ଜଳ ନିଷ୍କାସନ ପାଇଁ ମାଷ୍ଟରପ୍ଲାନ୍ ଏବଂ ଜଗନ୍ନାଥପ୍ରସାଦ ବ୍ଲକକୁ ସମ୍ପୂର୍ଣ୍ଣ ବନ୍ୟା ପ୍ରଭାବିତ ଘୋଷଣା କରିବାକୁ ମଧ୍ୟ ଦଳ ଦାବି କରିଛି।
ଏହି ପ୍ରତିନିଧି ଦଳରେ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ରମେଶଚନ୍ଦ୍ର ଚାଉପଟ୍ଟନାୟକ, ଶ୍ରୀକାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ନେତା, କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ସାମିଲ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା