
ଝାରସୁଗୁଡ଼ା ଜିଲ୍ଲା କମିଟି ଗଠିତ, ଗୌରୀ ଶଙ୍କର ପାତ୍ର ହେଲେ କନଭେନର
ଝାରସୁଗୁଡ଼ା, ୨୫ ନଭେମ୍ବର (ହି.ସ.) : ଶ୍ରମିକଙ୍କ ନ୍ୟାଯ୍ୟ ଅଧିକାର, ସର୍ବନିମ୍ନ ମଜୁରୀ ଓ ସାମାଜିକ ସୁରକ୍ଷା ଦାବିକୁ ନେଇ ସିଆଇଟିୟୁ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ୱାନ ଦିଆଯାଇଛି। ଏନେଇ ସୋମବାର ଝାରସୁଗୁଡ଼ା ବିଜୁନଗରସ୍ଥିତ ସିଆଇଟିୟୁ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି ଓ ସାଧାରଣ ସମ୍ପାଦକ ଉଲ୍ଲାସ ସ୍ୱାଇଁଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ସଭାରେ ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ, ପିଏଫ୍, ବୋନସ୍ ଏବଂ ଶ୍ରମ ଆଇନର ସଠିକ୍ କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ କେନ୍ଦ୍ର ସରକାରଙ୍କ ପ୍ରଣୀତ ଚାରିଟି ଶ୍ରମ କୋଡ୍ ବାତିଲ, ଦରଦାମ ବୃଦ୍ଧି ନିୟନ୍ତ୍ରଣ ଏବଂ ଆଶା, ଅଙ୍ଗନବାଡ଼ି ଓ ପାଚିକା କର୍ମୀଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ପ୍ରଦାନ ଦାବି ଉଠିଥିଲା।
ଏହି ଦାବିଗୁଡ଼ିକ ନେଇ ଆସନ୍ତା ଡିସେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ହେବାକୁ ଥିବା ଆନ୍ଦୋଳନକୁ ସଫଳ କରିବା ପାଇଁ ଶ୍ରମିକ ଓ କର୍ମଚାରୀଙ୍କୁ ସଭାରେ ଆହ୍ୱାନ ଦିଆଯାଇଥିଲା।
ସଭାରେ ନିର୍ମାଣ, ବିଦ୍ୟୁତ, କୋଇଲା, ସିମେଣ୍ଟ ଓ ଆଶା ୟୁନିଅନର ସଭ୍ୟମାନଙ୍କୁ ନେଇ ନୂତନ ସିଆଇଟିୟୁ ଝାରସୁଗୁଡ଼ା ଜିଲ୍ଲା କମିଟି ଗଠନ କରାଯାଇଥିଲା। ଏଥିରେ ସାଥୀ ଗୌରୀ ଶଙ୍କର ପାତ୍ରଙ୍କୁ କନଭେନର ଭାବେ ନିର୍ବାଚିତ କରାଯାଇଥିଲା। ଏହାସହ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଆସନ୍ତା ଡିସେମ୍ବର ୧୬ ତାରିଖରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ସଭାରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ