ଚିତ୍ରକୋଣ୍ଡା ବ୍ଲକରେ ଜିଲ୍ଲାପାଳଙ୍କ ମାରାଥନ୍ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ: ଉନ୍ନୟନମୂଳକ ପ୍ରକଳ୍ପ ଓ ସରକାରୀ ସେବାକୁ ତ୍ୱରାନ୍ୱିତ କରିବାକୁ କଡ଼ା ନିର୍ଦ୍ଦେଶ
ମାଲକାନଗିରି 25 ନଭେମ୍ବର (ହି.ସ.)ମାଲକାନଗିରି ଜିଲ୍ଲାର ଉପାନ୍ତ ତଥା ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକ୍ର ସାମଗ୍ରିକ ବିକାଶକୁ ଗତିଶୀଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହି କ୍ରମରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର
ଚିତ୍ରକୋଣ୍ଡା ବ୍ଲକ୍ରେ ଜିଲ୍ଲାପାଳଙ୍କ ମାରାଥନ୍ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ: ଉନ୍ନୟନମୂଳକ ପ୍ରକଳ୍ପ ଓ ସରକାରୀ ସେବାକୁ ତ୍ୱରାନ୍ୱିତ କରିବାକୁ କଡ଼ା ନିର୍ଦ୍ଦେଶ*


ମାଲକାନଗିରି 25 ନଭେମ୍ବର (ହି.ସ.)ମାଲକାନଗିରି ଜିଲ୍ଲାର ଉପାନ୍ତ ତଥା ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକ୍ର ସାମଗ୍ରିକ ବିକାଶକୁ ଗତିଶୀଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହି କ୍ରମରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଆଜି ଚିତ୍ରକୋଣ୍ଡା ବ୍ଲକ୍ ଗସ୍ତ କରି ବ୍ଲକ୍ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ, ଭିତ୍ତିଭୂମି ନିର୍ମାଣ ଓ ପ୍ରଶାସନିକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଛନ୍ତି ।

ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାପାଳ ଚିତ୍ରକୋଣ୍ଡା ବ୍ଲକ୍ କାର୍ଯ୍ୟାଳୟଠାରେ ପହଞ୍ଚି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ବ୍ଲକ୍ ଅଞ୍ଚଳରେ ଚାଲିଥିବା ରାସ୍ତାଘାଟ ନିର୍ମାଣ, ପାନୀୟ ଜଳ, ବିଦ୍ୟୁତ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ବର୍ତ୍ତମାନର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଯେପରି ସ୍ୱଚ୍ଛତା ଓ ସଠିକ୍ ଭାବେ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହେବ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ଦୁର୍ଗମ ଅଞ୍ଚଳର ସ୍ଥାନୀୟ ଜନସାଧାରଣଙ୍କ ମୌଳିକ ସୁବିଧା ପୂରଣ କରିବା ଏବଂ ସେମାନଙ୍କ ଜୀବିକା ବିକାଶକୁ ପ୍ରାଥମିକତା ଦେଇ ଚିତ୍ରକୋଣ୍ଡା ଅଞ୍ଚଳର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । କୌଣସି ପ୍ରକଳ୍ପ କାର୍ଯ୍ୟରେ ଅଯଥା ବିଳମ୍ବ ନକରି ଗୁଣବତ୍ତା ବଜାୟ ରଖିବାକୁ ସେ ତାଗିଦ କରିଥିଲେ । ଜିଲ୍ଲାପାଳ କହିଛନ୍ତି ଯେ ଚିତ୍ରକୋଣ୍ଡା ଅଞ୍ଚଳର ସାମଗ୍ରିକ ବିକାଶ ଆମ ପ୍ରଶାସନର ପ୍ରମୁଖ ଲକ୍ଷ୍ୟ । ପ୍ରତ୍ୟେକ ଉନ୍ନୟନମୂଳକ ପ୍ରକଳ୍ପ ଓ ସରକାରୀ ଯୋଜନାର ଲାଭ ଯେପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତୃଣମୂଳ ସ୍ତରର ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ, ତାହା ସୁନିଶ୍ଚିତ କରିବାକୁ ସମସ୍ତ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ବ୍ଲକ୍ କାର୍ଯ୍ୟାଳୟର ବୈଠକ ପରେ ଜିଲ୍ଲାପାଳ ଚିତ୍ରକୋଣ୍ଡା ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାକାର ପ୍ରଶାସନିକ କାର୍ଯ୍ୟକଳାପ ତଦାରଖ କରିଥିଲେ । ତହସିଲ କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଆସୁଥିବା ସାଧାରଣ ଜନତାଙ୍କୁ କିପରି ତ୍ୱରିତ ଓ ସୁବିଧାରେ ସେବା ମିଳିପାରିବ, ସେ ନେଇ ସେ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ତହସିଲରେ ରାଜସ୍ୱ ସେବା, ଜମିଜମା ସମ୍ବନ୍ଧୀୟ କାର୍ଯ୍ୟ ଏବଂ ରେକର୍ଡ ପରିଚାଳନାକୁ ଅଧିକ ବ୍ୟବସ୍ଥିତ ଓ ଡିଜିଟାଲାଇଜ୍ କରିବା ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ । ଏହାପରେ ସେ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଗସ୍ତ କରି ସେଠାକାର କାର୍ଯ୍ୟର ସମୀକ୍ଷା କରିଥିଲେ । ଆଇସିଡିଏସ ମାଧ୍ୟମରେ ଗର୍ଭବତୀ ମହିଳା, ପ୍ରସୂତି ଓ ଶିଶୁମାନଙ୍କ ପୁଷ୍ଟିସାଧନ ତଥା ବିକାଶମୂଳକ ଯୋଜନାଗୁଡ଼ିକର ସଫଳ ରୂପାୟନ ଉପରେ ସେ ଗୁରୁତ୍ୱାରୋପ କରିବା ସହ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର କାର୍ଯ୍ୟଧାରାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଗସ୍ତ ସମୟରେ ଜିଲ୍ଲାପାଳ ଚିତ୍ରକୋଣ୍ଡାଠାରେ ନିର୍ମାଣାଧୀନ ନୂତନ ତହସିଲ କାର୍ଯ୍ୟାଳୟ କୋଠାର ନିର୍ମାଣ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରି ଅଗ୍ରଗତି ଅନୁଧ୍ୟାନ କରିଥିଲେ । ନିର୍ମାଣ କାର୍ଯ୍ୟର ମାନ ଯାଞ୍ଚ କରିବା ସହ ଯଥାଶୀଘ୍ର କୋଠା ନିର୍ମାଣ ଶେଷ କରିବାକୁ ସେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗସ୍ତର ଶେଷ ପର୍ଯ୍ୟାୟରେ ଜିଲ୍ଲାପାଳ ବାଲିମେଳା ଉପ-କୋଷାଗାର ପରିଦର୍ଶନ କରି ସେଠାକାର ଆର୍ଥିକ ପରିଚାଳନା, ରେକର୍ଡପତ୍ର ଓ ଦୈନନ୍ଦିନ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଚିତ୍ରକୋଣ୍ଡା ବିଡିଓ, ତହସିଲଦାର, ସିଡିପିଓ ଏବଂ ଅନ୍ୟାନ୍ୟ ବ୍ଲକ୍ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande