
ଝାରସୁଗୁଡ଼ା, ୨୫ ନଭେମ୍ବର (ହି.ସ.): ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଦନ୍ତାହାତୀ ଆତଙ୍କ ଦେଖାଦେଇଛି। ମଙ୍ଗଳବାର ରାତିରେ ଏକ ଗୋଠଛଡ଼ା ଦନ୍ତାହାତୀ କୁଳୁପାଲି ଗ୍ରାମରେ ପଶି ଜଣେ ଚାଷୀଙ୍କ ବାଡ଼ିରେ ଥିବା ୪ଟି ନଡ଼ିଆ ଗଛ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଗତ କିଛିଦିନ ହେଲା ଏହି ଗୋଠଛଡ଼ା ଦନ୍ତାହାତୀଟି କୋଲାବିରା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଘୁରି ବୁଲୁଛି। ମଙ୍ଗଳବାର ଦିନ ହାତୀଟି କୋଲାବିରା ବ୍ଲକ୍ର କୁଲିହାମାଳ ପଞ୍ଚାୟତ ଅନ୍ତର୍ଗତ ଜାମଚୁଆ ଜଙ୍ଗଲରେ ଥିଲା। ପରେ ରାତିରେ ଜଙ୍ଗଲରୁ ବାହାରି ମହୁଲମୁଣ୍ଡା ଜଙ୍ଗଲ ଦେଇ ରଘୁନାଥପାଲି ପଞ୍ଚାୟତ ଅନ୍ତର୍ଗତ କୁଳୁପାଲି ଗ୍ରାମରେ ପହଞ୍ଚିଥିଲା।
ସେଠାରେ ଗ୍ରାମର ସୁରେନ୍ଦ୍ର ସାହୁଙ୍କ ବାଡ଼ିରେ ପଶି ୪ଟି ନଡ଼ିଆ ଗଛ ଭାଙ୍ଗି ଦେଇଥିଲା। ଦିନକୁ ଦିନ ଅଞ୍ଚଳରେ ଦନ୍ତାହାତୀର ଅବାଧ ବିଚରଣ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଏହି ଦନ୍ତାହାତୀ ଯୋଗୁଁ ଆଗାମୀ ଦିନରେ ଧନଜୀବନ କ୍ଷତି ହେବାର ଆଶଙ୍କା ଥିବାରୁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେଇ ହାତୀଟିକୁ ଜନବସତି ଅଞ୍ଚଳରୁ ଘଉଡ଼ାଇବା ସହ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ