
ଝାରସୁଗୁଡ଼ା, ୨୫ ନଭେମ୍ବର (ହି.ସ.): ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପୁଣିଥରେ ଗୁରୁତର ପ୍ରଶ୍ନ ଉଠିଛି। ଝାରସୁଗୁଡ଼ାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୋଧରେ ଜଣେ ନାବାଳିକା ଛାତ୍ରୀ ଅସଦାଚରଣ ଓ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଘଟଣାକୁ ନେଇ ଝାରସୁଗୁଡ଼ା ସଦର ଥାନାରେ ମାମଲା ରୁଜୁ ହେବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି।
ଏ ସମ୍ପର୍କରେ ବୁଧବାର ଝାରସୁଗୁଡ଼ା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ସୋନାଲି ସିଂ ପରମାର ସୂଚନା ଦେଇଛନ୍ତି। ଏସ୍ପିଙ୍କ ସୂଚନା ଅନୁଯାୟୀ, ଗତ ନଭେମ୍ବର ୨୩ ତାରିଖ ରାତି ପ୍ରାୟ ୧୦ଟା ୫୭ ମିନିଟ୍ ସମୟରେ ବିଦ୍ୟାଳୟର ଅଧ୍ୟକ୍ଷ ସାଗର ସାହା (୫୪) ଜଣେ ଯୁକ୍ତ ଦୁଇ ଶ୍ରେଣୀର ନାବାଳିକା ଛାତ୍ରୀ ରହୁଥିବା ହଷ୍ଟେଲ ନିକଟକୁ ଯାଇ ତାଙ୍କ ସହ ଅସଦାଚରଣ କରିବା ସହ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି।
ଛାତ୍ରୀଙ୍କ ଅଭିଯୋଗ ଆଧାରରେ ସଦର ଥାନା ପୋଲିସ କେସ୍ ନମ୍ବର ୪୬୯/୨୦୨୬ ରୁଜୁ କରିଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୭୪, ୭୫(୧)(ଆଇ), ୭୯ ଏବଂ ପୋକ୍ସୋ ଆଇନ, ୨୦୧୨ର ଧାରା ୧୦ ଅନୁଯାୟୀ ମାମଲା ରୁଜୁ ହୋଇଛି।ଏସ୍ପି କହିଛନ୍ତି ଯେ, ମହିଳା ଓ ନାବାଳିକାଙ୍କ ବିରୋଧରେ ହେଉଥିବା ଅପରାଧ ସମ୍ପର୍କିତ ଆଇନ ଓ ନିୟମାବଳୀ ଅନୁଯାୟୀ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଉଛି। ତଦନ୍ତ ଓ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଏସ୍ପି ସ୍ପଷ୍ଟ କରିଛନ୍ତି।
ଏହି ଘଟଣା ଶିକ୍ଷାନୁଷ୍ଠାନ, ବିଶେଷକରି ଆବାସିକ ବିଦ୍ୟାଳୟଗୁଡ଼ିକରେ ନାବାଳିକା ଛାତ୍ରୀଙ୍କ ସୁରକ୍ଷା, ଅଭିଯୋଗ ଶୁଣାଣି ବ୍ୟବସ୍ଥା ଓ ନିରାପଦ ପରିବେଶ ସୁନିଶ୍ଚିତ କରିବାର ଆବଶ୍ୟକତାକୁ ପୁଣିଥରେ ସାମ୍ନାକୁ ଆଣିଛି। ତେବେ ତଦନ୍ତ ଶେଷ ହେବା ପରେ ହିଁ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ। ନାବାଳିକାଙ୍କ ପରିଚୟ ଓ ଗୋପନୀୟତା ରକ୍ଷା କରିବା ସହ ତାଙ୍କୁ ଆବଶ୍ୟକ ସୁରକ୍ଷା ଓ ନ୍ୟାୟ ମିଳିବା ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ