
ସାନ୍ ଜୁଆନ୍ (ପୁଏର୍ତୋ ରିକୋ), ୨୫ ନଭେମ୍ବର (ହି.ସ.)। ପୁଏର୍ତୋ ରିକୋର ୨୭ ବର୍ଷୀୟା ଜେନିଫର ବାରେଟୋ ମିସ୍ ୟୁନିଭର୍ସ ୨୦୨୬ ମୁକୁଟ ହାସଲ କରିଛନ୍ତି। ସାନ୍ ଜୁଆନ୍ରେ ଆୟୋଜିତ ଏହି ପ୍ରତିଯୋଗିତାର ୭୫ତମ ସଂସ୍କରଣରେ ୧୧୬ଟି ଦେଶର ସୁନ୍ଦରୀମାନେ ଅଂଶଗ୍ରହଣ କରିଥିଲେ। କିନ୍ତୁ ଜେନିଫର ନିଜର ପ୍ରତିଭା ଓ ଉତ୍କୃଷ୍ଟ ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ। ୨୦୨୫ର ମିସ୍ ୟୁନିଭର୍ସ ବିଜୟିନୀ ମେକ୍ସିକୋର ଫାତିମା ବୋଶ୍ ତାଙ୍କୁ ମୁକୁଟ ପିନ୍ଧାଇଥିଲେ। ଏଥର ପ୍ରତିଯୋଗିତା ପୁଏର୍ତୋ ରିକୋର ସାନ୍ ଜୁଆନ୍ସ୍ଥିତ ଜୋସେ ମିଗୁଏଲ୍ ଆଗ୍ରେଲୋଟ୍ କଲିଜିୟମ୍ରେ ଆୟୋଜିତ ହୋଇଥିଲା। ଦୀର୍ଘ କିଛି ସପ୍ତାହ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶର ସଂସ୍କୃତି ଓ ପ୍ରତିଭାର ଝଲକ ଦେଖିବାକୁ ମିଳିଥିଲା।
ଚଳିତ ବର୍ଷ ପ୍ରତିଯୋଗିତାର ୭୫ତମ ସଂସ୍କରଣ ଅବସରରେ ଏକ ସ୍ୱତନ୍ତ୍ର ମୁକୁଟ ମଧ୍ୟ ଉନ୍ମୋଚନ କରାଯାଇଥିଲା। ‘ଦି ରେଡିଏନ୍ସ ଅଫ୍ ଏନ୍ ଇଟର୍ନାଲ୍ ଲେଗାସି’ ନାମକ ଏହି ମୁକୁଟକୁ ଅଳଙ୍କାର ଡିଜାଇନର୍ ଜର୍ଜ ଭିଟେଲ୍ସ ପ୍ୟାରିସ୍ର ଅଳଙ୍କାର ପ୍ରତିଷ୍ଠାନ ‘ମେସନ୍ ଡି’ଓର୍’ ସହ ମିଶି ପ୍ରସ୍ତୁତ କରିଥିଲେ। ୧୮ କ୍ୟାରେଟ୍ ଧଳା ସୁନାରେ ନିର୍ମିତ ଏହି ମୁକୁଟରେ ୩,୧୫୦ଟି ହୀରା ଖଚିତ ହୋଇଛି। ତେବେ ଏଥରର ପ୍ରତିଯୋଗିତା କେବଳ ଏହାର ଭବ୍ୟତା ପାଇଁ ନୁହେଁ, ବରଂ ବିବାଦକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଭିସା ସମ୍ବନ୍ଧୀୟ ସମସ୍ୟା ଓ ଫ୍ରାଞ୍ଚାଇଜ୍ ବିବାଦ ଯୋଗୁଁ କେତେକ ଦେଶର ପ୍ରତିଯୋଗୀଙ୍କୁ ପ୍ରତିଯୋଗିତାରୁ ଓହରିବାକୁ ପଡ଼ିଥିଲା। ସେହିପରି ଇସ୍ରାଏଲର ପ୍ରତିଯୋଗୀଙ୍କ ଜାତୀୟ ପୋଷାକକୁ ନେଇ ମଧ୍ୟ ସୋସିଆଲ୍ ମିଡିଆରେ ବିରୋଧ ଦେଖିବାକୁ ମିଳିଥିଲା।
ଭାରତର କେରଳର ୧୯ ବର୍ଷୀୟା କାଜିଆ ଲିଜ୍ ମେଜୋ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ଟପ୍-୩୦ରେ ସ୍ଥାନ ପାଇ ଦେଶର ପ୍ରତିନିଧିତ୍ୱ କରିଥିଲେ, କିନ୍ତୁ ସ୍ୱିମ୍ସୁଟ୍ ରାଉଣ୍ଡ ପରେ ଟପ୍-୧୨ରେ ପହଞ୍ଚିବାରେ ବିଫଳ ହୋଇଥିଲେ। ମଡେଲ୍ ହେବା ସହ ଆଇନ ଛାତ୍ରୀ ଥିବା କାଜିଆ ଚଳିତ ବର୍ଷ ମିସ୍ ୟୁନିଭର୍ସ ଇଣ୍ଡିଆ ମୁକୁଟ ଜିତିଥିଲେ। ଏହି ସଫଳତା ହାସଲ କରିବାରେ ସେ କେରଳର ପ୍ରଥମ ମହିଳା ହୋଇଥିଲେ। ଏହା ପୂର୍ବରୁ ୨୦୨୪ରେ ସେ ମିସ୍ ଟିନ୍ ଦିଭା ମୁକୁଟ ଜିତିଥିଲେ ଏବଂ ୨୦୨୫ରେ ମିସ୍ ଟିନ୍ ଇଣ୍ଟରନ୍ୟାସନାଲ୍ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ପ୍ରଥମ ରନର୍ସ-ଅପ୍ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା