ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ ପରିଚାଳନା ପାଇଁ ବୈଠକ ଅନୁଷ୍ଠିତ
ମାଲକାନଗିରି , ୨୫ ନଭେମ୍ବର (ହି.ସ.)ଆସନ୍ତା ୨୮ ତାରିଖରେ ହେବାକୁ ଥିବା ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ ପରିଚାଳନା ନିମନ୍ତେ ଆଜି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ସ୍ଥିତ ଜବ
ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ ପରିଚାଳନା ପାଇଁ ବୈଠକ ଅନୁଷ୍ଠିତ


ମାଲକାନଗିରି , ୨୫ ନଭେମ୍ବର (ହି.ସ.)ଆସନ୍ତା ୨୮ ତାରିଖରେ ହେବାକୁ ଥିବା ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ ପରିଚାଳନା ନିମନ୍ତେ ଆଜି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ-୦୧ ଏବଂ ବାଲିମେଳା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ-୦୨ ଠାରେ ଏହି ତାଲିମ ଶିବିର ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରର କେନ୍ଦ୍ର ଅଧୀକ୍ଷକ ଏବଂ କେନ୍ଦ୍ର ସ୍ତରୀୟ ପର୍ଯ୍ୟବେକ୍ଷକ ମାନେ ଯୋଗ ଦେଇଥିଲେ । ମାଲକାନଗିରି ଜବାହର ନବୋଦୟ ବିଦ୍ୟାଳୟ-୦୧ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଯୋଗଦେଇ ଉପସ୍ଥିତ ସମସ୍ତ ସିଏସ୍ ଏବଂ ସିଏଲଓ ମାନଙ୍କୁ ପରୀକ୍ଷା ପରିଚାଳନାର ନୀତିନିୟମ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ ।ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ପରୀକ୍ଷାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଏବଂ କପିମୁକ୍ତ କରିବା ଆମ ସମସ୍ତଙ୍କର ପ୍ରାଥମିକତା । ପରୀକ୍ଷା କେନ୍ଦ୍ରରେ ଯେପରି କୌଣସି ପ୍ରକାରର ତ୍ରୁଟି ନ ରହେ ଏବଂ ଛାତ୍ରଛାତ୍ରୀମାନେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଦେଇପାରିବେ, ସେଥିପ୍ରତି ସମସ୍ତ ଅଧିକାରୀ ସଜାଗ ରହିବା ଆବଶ୍ୟକ । ପରୀକ୍ଷା ସମୟରେ ପ୍ରଶ୍ନପତ୍ରର ସୁରକ୍ଷା, ସିସିଟିଭି ବ୍ୟବସ୍ଥା, ପରୀକ୍ଷାର୍ଥୀଙ୍କ ପାଇଁ ପାନୀୟ ଜଳ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁନିଶ୍ଚିତ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥିସହ ପରୀକ୍ଷା ପରିଚାଳନା ସମୟରେ ସମସ୍ତ ପ୍ରକାର ପ୍ରଶାସନିକ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଉଭୟ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ମାନେ ଉପସ୍ଥିତ ରହି ପରୀକ୍ଷା ପରିଚାଳନା ସମ୍ପର୍କିତ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande