
କେନ୍ଦୁଝର, ୨୫ ନଭେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ସମ୍ଭାବନାକୁ ଆହୁରି ବ୍ୟାପକ କରିବା, ନୂତନ ନିବେଶକଙ୍କୁ ଆକର୍ଷିତ କରିବା ଏବଂ ପରଟନ ଭିତିଭୂମିର ବିକାଶ ଲକ୍ଷ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ରେ ଜିଲ୍ଲାସ୍ତରୀୟ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ଅଂଚଳର ନିବେଶକମାନେ ପର୍ଯ୍ୟଟନ କ୍ଷେତ୍ରରେ ମୋଟ ୨୦୬ କୋଟି ଟଙ୍କାର ନିବେଶ ପାଇଁ ସମ୍ମତି ପ୍ରକାଶ କରିଥିବା ବିଷୟ ବୈଠକରେ ଉଲ୍ଲେଖ କରାଯାଇଥିଲା।
ବୈଠକରେ ପର୍ଯ୍ୟଟନ ବିଭାଗର ସହ-ନିର୍ଦ୍ଦେଶକ ରମେଶ ଚନ୍ଦ୍ର ନାୟକ ଯୋଗଦେଇ ପର୍ଯ୍ୟଟନ କ୍ଷେତ୍ରରେ ନିବେଶକ ଓ ଉଦ୍ୟୋଗୀମାନଙ୍କୁ ଆକର୍ଷିତ କରିବା ପାଇଁ ଉପଲବ୍ଧ ଆର୍ôଥକ ସହାୟତା, ସବ୍ସିଡି ଓ ବିଭିନ୍ନ ପ୍ରୋତ୍ସାହନମୂଳକ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲାରେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ସହ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ନିବେଶକଙ୍କୁ ଆକର୍ଷିତ କରିବା ଏବଂ ୨୦୩୬କୁ ଲକ୍ଷ୍ୟ ରଖି ଷ୍ଟାର୍ ହୋଟେଲ୍ର ବିକାଶ ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଆବଶ୍ୟକ ଭିତିଭୂମିର ବିକାଶ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଭୋଜନାଳୟ, ପାର୍କିଂ ବ୍ୟବସ୍ଥା, ମନୋରଞ୍ଜନ ପାର୍କ, ଖାଦ୍ୟ ପ୍ରାଙ୍ଗଣ, ଚିକିତ୍ସା ଓ ପ୍ରାଥମିକ ଚିକିତ୍ସା ସୁବିଧା, ଥିମ୍ ପାର୍କ, ଐତିହ୍ୟ ସମ୍ପତିର ସଂରକ୍ଷଣ, ଐତିହ୍ୟ ହୋଟେଲ୍ ଏବଂ ସମ୍ମିଳନୀ କେନ୍ଦ୍ର ଭଳି ସୁବିଧାର ବିକାଶ ନେଇ ଆଲୋଚନା କରାଯାଇଥିଲା।
ଉପଜିଲ୍ଲାପାଳ ପୁଷ୍ପକ କୁମାର ପ୍ରଧାନ ପର୍ଯ୍ୟଟନ କ୍ଷେତ୍ରରେ ଯୁବ ଉଦ୍ୟୋଗୀମାନଙ୍କ ଅଂଶଗ୍ରହଣ ଓ ନୂତନ ଉଦ୍ୟୋଗ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନାକୁ ଆଧାର କରି ଯୁବପିଢ଼ି ଅଭିନବ ବ୍ୟବସାୟିକ ଚିନ୍ତାଧାରା ସହ ଆଗକୁ ଆସି ପର୍ଯ୍ୟଟନ ଭିତିଭୂମି ଓ ସେବା କ୍ଷେତ୍ରରେ ନିଜର ଯୋଗଦାନ ରଖିବାକୁ ସେ ଉତ୍ସାହିତ କରିଥିଲେ। ଏହାଦ୍ୱାରା ସ୍ଥାନୀୟ ଅଂଚଳରେ ନୂତନ ରୋଜଗାର ସୁଯୋଗ ସୃଷ୍ଟି, ଆତ୍ମନିର୍ଭରଶୀଳତା ବୃଦ୍ଧି ଏବଂ ପର୍ଯ୍ୟଟନ ଶିଳ୍ପର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଯଥା ସାନଘାଗରା, ବଡ଼ଘାଗରା, ହଦଗଡ଼ ଜଳଭଣ୍ଡାର ଓ ବିଭିନ୍ନ ଜଳପ୍ରପାତର ପ୍ରଚାର-ପ୍ରସାର ଏବଂ ଏହାର ପର୍ଯ୍ୟଟନ ଆକର୍ଷଣକୁ ଅଧିକ ବ୍ୟାପକ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଅଧିକ ପର୍ଯ୍ୟଟକଙ୍କ ନିକଟରେ ପରିଚିତ କରାଇବା ସହ ସୁବିଧାଜନକ ଓ ଆକର୍ଷଣୀୟ ପର୍ଯ୍ୟଟନ ଅନୁଭୂତି ପ୍ରଦାନ କରିବା ନେଇ ଆଲୋଚନା ହୋଇଥିଲା।
ବୈଠକରେ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ବିନତୀ ମାଝୀ, ହୋଟେଲ୍ ମାଲିକ ସଂଘର ସଭାପତି ସୁରେଶ ପଟ୍ଟନାୟକ, ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଗ୍ରଣୀ ଜିଲ୍ଲା ପରିଚାଳକ (ଏଲ୍ଡିଏମ୍) ହୀରାଲାଲ ମହାମଲ୍ଲିକ ଏବଂ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତାମାନେ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବର୍ତମାନର ଓ ସମ୍ଭାବ୍ୟ ନିବେଶକ ଏବଂ ଯୁବ ଉଦ୍ୟୋଗୀମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ।
ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନାକୁ ସଠିକ୍ ଭାବେ ଉପଯୋଗ କରି ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି, ନିବେଶ ଓ ଉଦ୍ୟୋଗ ସୃଷ୍ଟି, ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୁଯୋଗ ବୃଦ୍ଧି ଏବଂ ଜିଲ୍ଲାର ଅର୍ଥନୈତିକ ବିକାଶକୁ ଗତି ଦେବା ଦିଗରେ ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA