ମିଳିଲାନି ଆମ୍ବୁଲାନ୍ସ! ୫୦ କିମି ଅଟୋରେ ବୋହି ନେଲେ ମୃତଦେହ
ମାଲକାନଗିରି , ୨୫ ନଭେମ୍ବର (ହି.ସ.) -ମୃତ ଶିଶୁକୁ ଗାଁକୁ ନେବା ପାଇଁ ମିଳିଲାନି ଆମ୍ବୁଲାନ୍ସ! ୫୦ କିମି ଅଟୋରେ ବୋହି ନେଲେ ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁବରଣ କରିଥିବା ଏକ ୪ ମାସର ଶିଶୁର ମୃତଦେହକୁ ନିଜ ଗାଁକୁ ନେବା ପାଇ
ମିଳିଲାନି ଆମ୍ବୁଲାନ୍ସ! ୫୦ କିମି ଅଟୋରେ ବୋହି ନେଲେ ମୃତଦେହ


ମାଲକାନଗିରି , ୨୫ ନଭେମ୍ବର (ହି.ସ.) -ମୃତ ଶିଶୁକୁ ଗାଁକୁ ନେବା ପାଇଁ ମିଳିଲାନି ଆମ୍ବୁଲାନ୍ସ! ୫୦ କିମି ଅଟୋରେ ବୋହି ନେଲେ ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁବରଣ କରିଥିବା ଏକ ୪ ମାସର ଶିଶୁର ମୃତଦେହକୁ ନିଜ ଗାଁକୁ ନେବା ପାଇଁ ଆମ୍ବୁଲାନ୍ସ ସହାୟତା ନମିଳିବାରୁ ପରିବାର ଲୋକେ ଅଟୋରେ ମୃତଦେହକୁ ନେଇଥିବା ଅଭିଯୋଗ ହୋଇଛି। ପ୍ରାୟ ୫୦ କିଲୋମିଟର ଅଟୋରେ ଯାତ୍ରା କରିବାକୁ ପଡ଼ିଥିବା ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, କାଲିମେଳା ବ୍ଲକ୍ ଅର୍ଣ୍ଣମାଲା ଗାଁର ରିନା କବାସୀଙ୍କ ୪ ମାସର ଶିଶୁ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ଶିଶୁଟିକୁ ଚିକିତ୍ସା ପାଇଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଶିଶୁର ମୃତ୍ୟୁ ପରେ ମୃତଦେହକୁ ଗାଁକୁ ନେବା ପାଇଁ ପରିବାର ପକ୍ଷରୁ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଭଡ଼ା ଦେବାକୁ ଅର୍ଥ ନଥିବାରୁ ଶେଷରେ ଏକ ଅଟୋ ଭଡ଼ା କରି ପ୍ରାୟ ୫୦ କିଲୋମିଟର ଦୂର ନିଜ ଗାଁକୁ ମୃତ ଶିଶୁକୁ ନେଇଥିବା ଅଭିଯୋଗ ହୋଇଛି।

ଏପଟେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ କହିବା ଅନୁଯାୟୀ, ସରକାରୀ ନିୟମ ଅନୁସାରେ କିଲୋମିଟର ପିଛା ୧୩ ଟଙ୍କା ଦେବାକୁ ପଡ଼ିବ। ନଚେତ୍ ରାସନ କାର୍ଡ, ବିପିଏଲ୍ କାର୍ଡ କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଗଣା ଆମ୍ବୁଲାନ୍ସ ପାଇଁ ପ୍ରଦତ୍ତ ଲିଖିତ ପତ୍ର ଦେଖାଇଲେ ମୃତଦେହକୁ ଗନ୍ତବ୍ୟସ୍ଥଳକୁ ନେଇହେବ। ତେବେ ମୃତ୍ୟୁ ପରେ ମଧ୍ୟ ଏକ ଅସହାୟ ଗରିବ ଓ ଆଦିବାସୀ ପରିବାରକୁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିବ କି? ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ମୃତଦେହ ପରିବହନର ସୁବିଧା କେତେ ସହଜରେ ଉପଲବ୍ଧ ହେଉଛି? ଏହି ଘଟଣା ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଓ ମାନବିକତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି। ଘଟଣାର ତଦନ୍ତ ସହ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ମୃତଦେହ ପରିବହନର ସ୍ଥାୟୀ ଓ ସହଜ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande