ରମ୍ପେଲା ସେତୁରେ ଓଭରଲୋଡିଂ ଆତଙ୍କ, ବିପଦରେ ସାଧାରଣ ଯାତ୍ରୀ
Overloading Menace on Rampela Bridge Puts Commuters at Risk
ରମ୍ପେଲା ସେତୁରେ ଓଭରଲୋଡିଂ ଆତଙ୍କ, ବିପଦରେ ସାଧାରଣ ଯାତ୍ରୀ


ଝାରସୁଗୁଡ଼ା, ୨୫ ନଭେମ୍ବର (ହି.ସ.) - ରମ୍ପେଲା ସେତୁ ରାସ୍ତା ଏବେ ଶିଳ୍ପସଂସ୍ଥାଙ୍କ ଭାରୀଯାନ ଚଳାଚଳ ଯୋଗୁଁ ସାଧାରଣ ଯାତ୍ରୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପଡ଼ିଛି। ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର ସୀମାନ୍ତରେ ଥିବା ଏହି ସେତୁ ଦେଇ ପ୍ରତିଦିନ ହଜାର ହଜାର ଭାରୀଯାନ କୋଇଲା ଓ ଫ୍ଲାଏଆଶ୍ ପରିବହନ କରୁଛନ୍ତି। ବିଶେଷକରି ଓଭରଲୋଡିଂ ଗାଡ଼ିର ବେପରୁଆ ଚଳାଚଳ ଯୋଗୁଁ ଦୁର୍ଘଟଣା ଆଶଙ୍କା ବଢ଼ିବା ସହ ଯାତ୍ରୀଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି।

ଖାକରିସ୍ଥିତ ଓପିଜିସି ଏବଂ ଇଣ୍ଡ-ବାରାଥ୍ ପ୍ରକଳ୍ପରୁ ନିର୍ଗତ ଫ୍ଲାଏଆଶ୍ ପରିବହନ କରୁଥିବା ଭାରୀଯାନଗୁଡ଼ିକ ରମ୍ପେଲା ସେତୁ ଦେଇ ରେଙ୍ଗାଲି ଅଭିମୁଖେ ଯାତାୟାତ କରୁଛନ୍ତି। ଅନେକ ଗାଡ଼ିରେ ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ପାଉଁଶ ବୋଝେଇ ହେଉଥିବା ଅଭିଯୋଗ ହେଉଛି। ଅନିୟନ୍ତ୍ରିତ ବେଗ, ବେପରୁଆ ଗାଡ଼ି ଚାଳନା ଏବଂ ରାସ୍ତାରେ ପାଉଁଶ ଓ କୋଇଲା ଗୁଣ୍ଡ ଉଡ଼ିବା ଯୋଗୁଁ ଅନ୍ୟ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଓଭରଲୋଡିଂ ଓ ପ୍ରଦୂଷଣ ରୋକିବା ପାଇଁ ଜିଲ୍ଲାସ୍ତରରେ ବାରମ୍ବାର ସଡ଼କ ସୁରକ୍ଷା ବୈଠକ ହେଉଛି। ବୈଠକରେ ଭାରୀଯାନ ଚଳାଚଳ ନିୟନ୍ତ୍ରଣ, ଓଭରଲୋଡିଂ ରୋକିବା ଏବଂ କୋଇଲା ଓ ପାଉଁଶ ପରିବହନକୁ ଶୃଙ୍ଖଳିତ କରିବା ନେଇ ନିଷ୍ପତି ମଧ୍ୟ ହେଉଛି। ହେଲେ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରିତା ନଥିବା ଅଭିଯୋଗ ହେଉଛି। ଫଳରେ ସଡ଼କ ସୁରକ୍ଷା ବୈଠକର ନିଷ୍ପତି କେବଳ କାଗଜପତ୍ର ଓ ଖବରକାଗଜରେ ସୀମିତ ରହିଯାଉଥିବା ସାଧାରଣ ଲୋକେ କ୍ଷୋଭ ପ୍ରକାଶ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, କିଛିଦିନ ପୂର୍ବରୁ ଗଣମାଧ୍ୟମରେ ରମ୍ପେଲା ସେତୁ ରାସ୍ତାର ଦୁର୍ଘଟଣାପ୍ରବଣତା ଓ ଭାରୀଯାନ ଚଳାଚଳ ସମ୍ପର୍କିତ ତଥ୍ୟଭିତିକ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ କିଛିଦିନ ପାଇଁ ଶିଳ୍ପସଂସ୍ଥାଙ୍କ ଭାରୀଯାନ ଚଳାଚଳ ଉପରେ କଟକଣା ଲଗାଇଥିଲା। ମାତ୍ର ପରବର୍ତୀ ସମୟରେ କଟକଣା ହଟାଯିବା ପରେ ପୁଣି ପୂର୍ବଭଳି ଭାରୀଯାନ ଚଳାଚଳ ଆରମ୍ଭ ହୋଇଛି। ଏହାକୁ ନେଇ ପ୍ରଶାସନର ନିଷ୍ପତି ଓ ତାହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି।

ଇବ୍ ଥର୍ମାଲ, ବନ୍ଧବାହାଲ, ବେଲପାହାଡ଼, ବ୍ରଜରାଜନଗର ଏବଂ ଲଖନପୁର ବ୍ଲକ୍ ଅଂଚଳରୁ ପ୍ରତିଦିନ ବହୁ ସଂଖ୍ୟକ ଲୋକ କାର୍ ଓ ବାଇକ୍ରେ ରମ୍ପେଲା ସେତୁ ଦେଇ ସମ୍ବଲପୁର ଅଂଚଳକୁ ଯାତାୟାତ କରୁଛନ୍ତି। ଏହି ରାସ୍ତାରେ ଶିଳ୍ପସଂସ୍ଥାଙ୍କ ଶହ ଶହ ଭାରୀଯାନ ଚଳାଚଳ କରୁଥିବାରୁ ଛୋଟ ଗାଡ଼ି ଓ ଦୁଇଚକିଆ ଯାନ ଚାଳକଙ୍କ ପାଇଁ ଯାତାୟାତ ଅଧିକ କଷ୍ଟକର ହୋଇପଡ଼ୁଛି। ପାଉଁଶ ଧୂଳି ଉଡ଼ିବା ଯୋଗୁଁ ପରିବେଶ ପ୍ରଦୂଷଣ ସହ ଦୃଶ୍ୟମାନତା ହ୍ରାସ ପାଇ ଦୁର୍ଘଟଣା ଆଶଙ୍କା ମଧ୍ୟ ବଢ଼ୁଛି।

ବାରମ୍ବାର ଦୁର୍ଘଟଣା ଓ ଧନଜୀବନ ହାନି ସତ୍ୱେ ପ୍ରଶାସନର ଆଖି ନ ଖୋଲିବାକୁ ନେଇ ଅଂଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ରମ୍ପେଲା ସେତୁ ଦେଇ ଚଳାଚଳ କରୁଥିବା ଶିଳ୍ପସଂସ୍ଥାଙ୍କ ଭାରୀଯାନ ଉପରେ ତୁରନ୍ତ କଡ଼ା ନିୟନ୍ତ୍ରଣ, ଓଭରଲୋଡିଂ ଯାଂଚ ଏବଂ ପାଉଁଶ ପରିବହନରେ ନିୟମ ପାଳନ ସୁନିଶ୍ଚିତ କରିବାକୁ ଦାବି ହୋଇଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଦିନରେ ଅଂଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande