ଟିଭିକେ ବିଧାୟକଙ୍କ ବିରୋଧରେ ମହିଳା ଜିଲ୍ଲାପାଳଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇବା ଅଭିଯୋଗ, ୫ଟି ଧାରାରେ ମାମଲା ରୁଜୁ
ଚେନ୍ନାଇ, ୨୫ ନଭେମ୍ବର (ହି.ସ.)। ତାମିଲନାଡୁ ରାଜନୀତିରେ ଜଣେ ମହିଳା ଜିଲ୍ଲାପାଳଙ୍କୁ କଥିତ ଯୌନ ନିର୍ଯାତନା ଦେବା ଘଟଣାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। କଲ୍ଲାକୁରିଚିର ତମିଳଗା ଭେଟ୍ରି କଝଗମ (ଟିଭିକେ) ବିଧାୟକ ଅରୁଲ ବିଗ୍ନେଶଙ୍କ ବିରୋଧରେ ଜଣେ ମହିଳା ଜିଲ୍ଲାପାଳଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇବା ଏ
**टीवीके  विधायक अरुल विग्नेश


ଚେନ୍ନାଇ, ୨୫ ନଭେମ୍ବର (ହି.ସ.)। ତାମିଲନାଡୁ ରାଜନୀତିରେ ଜଣେ ମହିଳା ଜିଲ୍ଲାପାଳଙ୍କୁ କଥିତ ଯୌନ ନିର୍ଯାତନା ଦେବା ଘଟଣାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। କଲ୍ଲାକୁରିଚିର ତମିଳଗା ଭେଟ୍ରି କଝଗମ (ଟିଭିକେ) ବିଧାୟକ ଅରୁଲ ବିଗ୍ନେଶଙ୍କ ବିରୋଧରେ ଜଣେ ମହିଳା ଜିଲ୍ଲାପାଳଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇବା ଏବଂ ତାଙ୍କ ବାସଭବନକୁ ଯାଇ ହଇରାଣ କରିବା ଅଭିଯୋଗ ହୋଇଛି। ପୁଲିସ ବିଧାୟକଙ୍କ ବିରୋଧରେ ପାଞ୍ଚଟି ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ବିଧାୟକ ଇସ୍ତଫା ଦେବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ବିରୋଧୀ ଦଳଗୁଡ଼ିକ ଏହି ମାମଲାର ନିରପେକ୍ଷ ତଦନ୍ତ ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, କଲ୍ଲାକୁରିଚିର ମହିଳା ଜିଲ୍ଲାପାଳଙ୍କୁ ବିଧାୟକ ଅରୁଲ ବିଗ୍ନେଶ ନିଜ ମୋବାଇଲ ଫୋନରୁ କଥିତ ଭାବେ ଅଶ୍ଳୀଳ ବାର୍ତ୍ତା ପଠାଇଥିଲେ। ଏହାବ୍ୟତୀତ ମଦ୍ୟପ ଅବସ୍ଥାରେ ତାଙ୍କ ସରକାରୀ ବାସଭବନକୁ ଯାଇ ହଇରାଣ କରିଥିବା ଅଭିଯୋଗ ମଧ୍ୟ ଆସିଛି। ଏହି ଘଟଣା ସମ୍ପର୍କରେ ଅଭିଯୋଗ ମିଳିବା ପରେ ଜିଲ୍ଲା ପୁଲିସ ଅଧୀକ୍ଷକ ଶହନାଜ ଜିଲ୍ଲାପାଳଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କଠାରୁ ଲିଖିତ ଅଭିଯୋଗ ଗ୍ରହଣ କରିଥିଲେ। ପରେ ଅଭିଯୋଗକୁ କଲ୍ଲାକୁରିଚି ଅଲ୍ ଓମେନ୍ ପୁଲିସ ଥାନାକୁ ପଠାଯାଇଥିଲା। ସେଠାରେ ବିଧାୟକଙ୍କ ବିରୋଧରେ ଆଇନର ପାଞ୍ଚଟି ଧାରାରେ ମାମଲା ରୁଜୁ ହୋଇଛି।

ପୁଲିସ ଏହି ଘଟଣା ସହ ଜଡ଼ିତ ପ୍ରମାଣ ସଂଗ୍ରହ କରୁଥିବାବେଳେ ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚଳାଇଛି। ବିଧାୟକ ଅରୁଲ ବିଗ୍ନେଶ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଜିଲ୍ଲାପାଳଙ୍କୁ ଏଭଳି କୌଣସି ଅଶ୍ଳୀଳ ବାର୍ତ୍ତା ପଠାଇନଥିବା କହିଛନ୍ତି। ଅନ୍ୟପକ୍ଷରେ ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାପାଳ ସର୍ବସାଧାରଣରେ କୌଣସି ବୟାନ ଦେଇନାହାନ୍ତି। ଏହା ମଧ୍ୟରେ ବିଧାୟକ ଇସ୍ତଫା ଦେଇଥିବା ନେଇ ଖବର ପ୍ରକାଶ ପାଇଛି। ତେବେ ଏହି ଇସ୍ତଫା ସମ୍ପର୍କରେ ଆନୁଷ୍ଠାନିକ ଭାବେ କୌଣସି ପୁଷ୍ଟି କରାଯାଇନାହିଁ।

ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜାତୀୟ ମହିଳା ଆୟୋଗ ମଧ୍ୟ ଏହାକୁ ଗୁରୁତ୍ୱର ସହ ନେଇଛି। ଆୟୋଗ ଗତ ୧୫ ତାରିଖରେ ତାମିଲନାଡୁ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନିରପେକ୍ଷ ଓ କୌଣସି ଚାପ ବିନା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏଥିସହ ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନର ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା।

ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅଖିଳ ଭାରତୀୟ ଅନ୍ନା ଦ୍ରାବିଡ଼ ମୁନେତ୍ର କଝଗମ (ଏଆଇଏଡିଏମ୍କେ)ର ଓକିଲ ଥିରି ସୁଲୁ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ଏହି ଆବେଦନରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ଦାବି କରାଯାଇଥିଲା।

ଶୁଣାଣି ସମୟରେ ବିଚାରପତି ଜଷ୍ଟିସ୍ ଭି. ଲକ୍ଷ୍ମୀନାରାୟଣନ୍ ରାଜ୍ୟ ସରକାରଙ୍କୁ ମୁଖ୍ୟ ଶାସନ ସଚିବ ଏବଂ ଜିଲ୍ଲାପାଳଙ୍କ ମତାମତ ନେଇ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ତାମିଲନାଡୁ ସରକାର ଅଦାଲତଙ୍କୁ ଜଣାଇଥିଲେ ଯେ, ମାମଲାର ତଦନ୍ତ ପାଇଁ ପୁଲିସ ଅଧୀକ୍ଷକ ସୃଷ୍ଟି ସିଂହଙ୍କୁ ତଦନ୍ତକାରୀ ଅଧିକାରୀ ଏବଂ ଆଇଜି କାମିନୀଙ୍କୁ ତଦାରଖ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।

ମାମଲାର ଶୁଣାଣି ସମୟରେ ମାଡ୍ରାସ ହାଇକୋର୍ଟ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଆସନ୍ତା ଡିସେମ୍ବର ୨୨ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତା ମହିଳା ଜିଲ୍ଲାପାଳଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ମାମଲା ସମ୍ପର୍କିତ କୌଣସି ସୂଚନା ସାର୍ବଜନୀନ ନକରିବାକୁ ମଧ୍ୟ ଅଦାଲତ କହିଛନ୍ତି। ଏହି ଆଦେଶର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ।

ଏହି ସମଗ୍ର ଘଟଣା ତାମିଲନାଡୁ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ବିରୋଧୀ ଦଳଗୁଡ଼ିକ ଏହି ମାମଲାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ତଦନ୍ତ କରାଇବାକୁ ଦାବି କରୁଥିବାବେଳେ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande