

କନ୍ଧମାଳ, ୨୫ ନଭେମ୍ବର (ହି.ସ.) କନ୍ଧମାଳ ଜିଲ୍ଲାରେ ମହିଳା ଓ ବାଳିକାଙ୍କ ପ୍ରତି ହିଂସା ରୋକିବା ସହ ସେମାନଙ୍କ ସୁରକ୍ଷା ଓ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ୧୬ ଦିନିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ବୁଧବାର ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାଡ଼ିକୁଣ୍ଡା ଛକ ପର୍ଯ୍ୟନ୍ତ ଏକ ରାଲି ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବିନୋଦ କୁମାର ସେନାପତି ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପି. ପଦ୍ମା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅତିନିଏଲ ନାଇକା, ପ୍ରୋଗ୍ରାମ ଅଫିସର ଇନ୍ଦିରା ମହାପାତ୍ର, ପ୍ରୋଟେକ୍ସନ ଅଫିସର ସୁଶୀଳା ସାବର, ଡିଏଚ୍ଇଡବ୍ଲ୍ୟୁ ଜିଲ୍ଲା ସମନ୍ୱୟକ ଦୀପକ କୁମାର ସାହୁ, ସିଡିଏମ୍ଓ ଡା. ଆଶୁତୋଷ ଓ ଟାଉନ ଥାନା ସବ୍ଇନ୍ସପେକ୍ଟର ଅଜିତ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ।ରାଲିରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଏସ୍.ଏମ୍. ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ୱାନ୍ ଷ୍ଟପ୍ ସେଣ୍ଟର, ଡିଏଚ୍ଇଡବ୍ଲ୍ୟୁ, ଶକ୍ତି ସଦନର କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାମିଲ ହୋଇଥିଲେ। ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ସେମାନେ ମହିଳା ହିଂସା ବିରୋଧରେ ସଚେତନତାର ବାର୍ତ୍ତା ଦେଇଥିଲେ।‘ପ୍ରତ୍ୟେକ ମହିଳାଙ୍କ ପାଇଁ ନ୍ୟାୟ ପ୍ରାପ୍ତିର ଅଧିକାର’ ବିଷୟବସ୍ତୁକୁ ନେଇ ନଭେମ୍ବର ୨୫ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଏହି ସମୟରେ ଘରୋଇ ହିଂସା, ଯୌନ ଉତ୍ପୀଡ଼ନ, ସାଇବର ଅପରାଧ, ବାଲ୍ୟବିବାହ ଓ ଯୌତୁକ ପ୍ରଥା ବିରୋଧରେ ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ହେବା ସହ ମହିଳାଙ୍କ ଆଇନଗତ ଅଧିକାର ଓ ହେଲ୍ପଲାଇନ୍ ୧୮୧ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ