
ଭୁବନେଶ୍ୱର, ୨୫ ନଭେମ୍ବର (ହି.ସ.) – ହୋମିଓପାଥି ଚିକିତ୍ସା ପଦ୍ଧତିର ଗୁଣାତ୍ମକ
ବିକାଶ, ଶିକ୍ଷା ଓ
ଗବେଷଣାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ। ବୁଧବାର ଭୁବନେଶ୍ୱରସ୍ଥିତ ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ
ହସ୍ପିଟାଲରେ ଆୟୋଜିତ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେଇ ସେ ଏହି ମତ ପ୍ରକାଶ କରିଛନ୍ତି।
ଏହି ସମ୍ମିଳନୀରେ ମହାମହିମ ରାଷ୍ଟ୍ରପତିଙ୍କ ଉପସ୍ଥିତି ଏହାର ଗରିମା ଓ ଗୁରୁତ୍ୱକୁ ବହୁଗୁଣିତ
କରିଛି ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ହୋମିଓପାଥି ଚିକିତ୍ସା ପଦ୍ଧତି ଭାରତର ସ୍ୱାସ୍ଥ୍ୟସେବା
ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିଲେ ମଧ୍ୟ ଦୀର୍ଘ ସମୟ ଧରି ଏହାକୁ ଉପଯୁକ୍ତ
ସ୍ୱୀକୃତି ଓ ସମ୍ମାନ ମିଳିନଥିଲା। ୨୦୧୪ ନଭେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଆୟୁଷ ମନ୍ତ୍ରଣାଳୟ ଗଠନ କରି ଏହି କ୍ଷେତ୍ରକୁ ସ୍ୱତନ୍ତ୍ର ପରିଚୟ ଓ ଗୁରୁତ୍ୱ ପ୍ରଦାନ କରିଥିଲେ।
ଫଳରେ ଭାରତୀୟ ପାରମ୍ପରିକ ଚିକିତ୍ସା ପଦ୍ଧତି ସହ ହୋମିଓପାଥିର ବିକାଶ ପାଇଁ ନୂଆ ସୁଯୋଗ ସୃଷ୍ଟି
ହୋଇଥିଲା।
ଏଲୋପାଥି ଓ ଆୟୁର୍ବେଦ ସହିତ ହୋମିଓପାଥି ଚିକିତ୍ସା ମଧ୍ୟ ଦେଶ ତଥା
ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଛି। ତେବେ ଏହି ଚିକିତ୍ସା ପଦ୍ଧତିର ଶିକ୍ଷା, ଗବେଷଣା ଓ
ଗୁଣାତ୍ମକ ବିକାଶ ପାଇଁ ନିରନ୍ତର ପ୍ରୟାସ ଆବଶ୍ୟକ। ବିଶେଷକରି ଗବେଷଣାର ମାନ, ଚିକିତ୍ସାର
ସୁରକ୍ଷା, କ୍ଲିନିକାଲ୍
ଅଧ୍ୟୟନ ଏବଂ ବୈଜ୍ଞାନିକ ପ୍ରମାଣକୁ ସର୍ବାଧିକ ପ୍ରାଧାନ୍ୟ ଦେବା ଉଚିତ ବୋଲି ସେ ମତ ଦେଇଥିଲେ।
ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲ
କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶର ଏକ
ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଶିକ୍ଷା ଓ ଚିକିତ୍ସା ଅନୁଷ୍ଠାନ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ
କରିଥିଲେ।
ରାଜ୍ୟରେ ହୋମିଓପାଥି ଚିକିତ୍ସାକୁ ଅଧିକ ଲୋକାଭିମୁଖୀ କରିବା ଦିଗରେ
ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସେ କହିଥିଲେ। ବର୍ତ୍ତମାନ ଓଡ଼ିଶାରେ ୪ଟି ସରକାରୀ
ହୋମିଓପାଥିକ୍ ମେଡିକାଲ କଲେଜ ରହିଛି। ଏହାର ସମ୍ପ୍ରସାରଣ ପାଇଁ ନୂଆପଡ଼ା ଓ ନୟାଗଡ଼ରେ ଆଉ
ଦୁଇଟି ନୂତନ ହୋମିଓପାଥିକ୍ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ସେହିପରି ଢେଙ୍କାନାଳ ଓ ବ୍ରହ୍ମପୁରଠାରେ ୫୦ ଶଯ୍ୟା ବିଶିଷ୍ଟ ଦୁଇଟି
ସମନ୍ୱିତ ଆୟୁଷ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଖୁବ୍ଶୀଘ୍ର ଏଠାରେ ରୋଗୀସେବା
ଆରମ୍ଭ ହେବ। ଏଥିସହ ବାଲେଶ୍ୱରଠାରେ ଆଉ ଏକ ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍ପିଟାଲର
ନିର୍ମାଣ କାର୍ଯ୍ୟ ଜାରି ରହିଛି।
ଆୟୁର୍ବେଦ ଓ ହୋମିଓପାଥି ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ
ବୃଦ୍ଧି ଏବଂ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍
ମେଡିକାଲ କଲେଜର ପିଜି ଛାତ୍ରଛାତ୍ରୀ ଏବଂ ହାଉସ୍ ସର୍ଜନମାନଙ୍କ ଷ୍ଟାଇପେଣ୍ଡ୍ ବୃଦ୍ଧି
କରାଯାଇଛି। ଏଥିସହ ଓଡ଼ିଶା ହୋମିଓପାଥିକ୍ ମେଡିକାଲ ସର୍ଭିସ୍ କ୍ୟାଡର, ଆୟୁର୍ବେଦିକ୍
ମେଡିକାଲ ସର୍ଭିସ୍ କ୍ୟାଡର ଏବଂ ଆୟୁଷ ସହାୟକ କ୍ୟାଡରର ପୁନର୍ଗଠନ ସହିତ ବେତନ ଢାଞ୍ଚାରେ
ସଂଶୋଧନ କରାଯାଇଛି। ଚୁକ୍ତିଭିତ୍ତିକ ଅଧ୍ୟାପକ, ରିଡର୍ ଓ ପ୍ରଫେସରମାନଙ୍କ ପାରିଶ୍ରମିକ ମଧ୍ୟ ବୃଦ୍ଧି କରାଯାଇଛି।
ଆୟୁଷ୍ମାନ ଭାରତ ଯୋଜନାର ସଫଳ ରୂପାୟନ ନିମନ୍ତେ ରାଜ୍ୟର ୪୨୨ଟି
ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଉନ୍ନତିକରଣ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ଆୟୁର୍ବେଦିକ୍
ସହିତ ହୋମିଓପାଥିକ୍ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି।
ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର
ଭିତ୍ତିଭୂମି ଏବଂ ଅଧ୍ୟାପକ ମଣ୍ଡଳୀର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି
ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। ଏହି ଅନୁଷ୍ଠାନ ହୋମିଓପାଥି ଚିକିତ୍ସା କ୍ଷେତ୍ରରେ ଏକ
ଅଗ୍ରଣୀ ପ୍ରତିଷ୍ଠାନ ହୋଇଥିବାରୁ ଏହାର ସାମଗ୍ରିକ ବିକାଶ ଉପରେ ସରକାର ଗୁରୁତ୍ୱ ଦେବେ ବୋଲି ସେ
କହିଥିଲେ।
ସରକାର, ଶିକ୍ଷାନୁଷ୍ଠାନ, ଗବେଷକ ଓ ଚିକିତ୍ସକଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗ ରହିଲେ ଓଡ଼ିଶାକୁ
ଚିକିତ୍ସା ଶିକ୍ଷା, ଗବେଷଣା ଓ ଜନସ୍ୱାସ୍ଥ୍ୟ
କ୍ଷେତ୍ରରେ ନୂତନ ଉଚ୍ଚତାକୁ ନିଆଯାଇପାରିବ। ଜାତୀୟ ବୈଜ୍ଞାନିକ ସମ୍ମିଳନୀ ଆୟୋଜନ ଏକ ଗୌରବର
ବିଷୟ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଏହାର ସଫଳ ଆୟୋଜନ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ
ଅଭିନନ୍ଦନ ଜଣାଇଥିଲେ। ଶେଷରେ ବିଜ୍ଞାନ ଓ ଗବେଷଣାକୁ ଆଧାର କରି ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ
ଓଡ଼ିଶା ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ସେ ଆହ୍ୱାନ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା