
ଲୁହୁରାପଡ଼ା ବନ୍ଧ ଓ ପୁରୁଣାବସ୍ତିରେ ରାଜସ୍ୱ ବିଭାଗର ଡିମାର୍କେସନ, ଜମି ସୀମା ନିର୍ଦ୍ଧାରଣ ପରେ ହଟିବ ଅବରୋଧ
ଝାରସୁଗୁଡ଼ା , 26 ନଭେମ୍ବର (ହି.ସ.): ସହରର ଲୁହୁରାପଡ଼ା ବନ୍ଧ ଓ ପୁରୁଣାବସ୍ତି ଅଞ୍ଚଳରେ ଜମି ଜବରଦଖଲ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ଅଭିଯୋଗ ଓ ଅନୁରୋଧ ପରେ ଗତକାଲି ରାଜସ୍ୱ ବିଭାଗ ପକ୍ଷରୁ ବିବାଦୀୟ ଜମିର ଡିମାର୍କେସନ ବା ସୀମା ନିର୍ଦ୍ଧାରଣ କରାଯାଇଛି।
ଝାରସୁଗୁଡ଼ା ତହସିଲଦାର ସଦାକର କୁମ୍ଭାରଙ୍କ ସହ ରାଜସ୍ୱ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜମି ମାପ କାର୍ଯ୍ୟ ତଦାରଖ କରିଥିଲେ। ଏହି ସମୟରେ ସ୍ଥାନୀୟ ପୁଲିସ ଅଧିକାରୀ ଓ ଲୁହୁରାପଡ଼ା, ପୁରୁଣାବସ୍ତିର ବହୁ ସଂଖ୍ୟକ ବାସିନ୍ଦା ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଜମିର ସୀମା ନିର୍ଦ୍ଧାରଣକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। କେତେକ ସ୍ଥାନରେ ପାଚେରି ନିର୍ମାଣକୁ ନେଇ ମଧ୍ୟ ଦାବି ଉଠିଥିଲା। ବନ୍ଧର ବିଭିନ୍ନ ଅଂଶ ଅନ୍ୟ ବ୍ୟକ୍ତିଙ୍କ ଦଖଲରେ ଥିବା ଏବଂ ଏହାର କିଛି ଅଂଶ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଆସୁଥିଲା।
ବନ୍ଧର ସୁରକ୍ଷା ସହ ଏହାର ରାସ୍ତା ଓ ଡ୍ରେନେଜ୍ ବ୍ୟବସ୍ଥାକୁ ଅକ୍ଷୁଣ୍ଣ ରଖିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହ କୌଣସି ବ୍ୟକ୍ତିଙ୍କ ନିଜସ୍ୱ ଜମି ବନ୍ଧ କିମ୍ବା ସରକାରୀ ପ୍ରକଳ୍ପ ପରିସରକୁ ଆସୁଥିଲେ, ଆଇନ ଅନୁଯାୟୀ ପ୍ରଥମେ ଜମି ଅଧିଗ୍ରହଣ ଓ କ୍ଷତିପୂରଣ ବ୍ୟବସ୍ଥା କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ସେମାନେ ଦାବି ଜଣାଇଛନ୍ତି।
ଏ ସମ୍ପର୍କରେ ତହସିଲଦାର ସଦାକର କୁମ୍ଭାର କହିଛନ୍ତି ଯେ, ସ୍ଥାନୀୟ ପୁଲିସ, ରାଜସ୍ୱ ଅଧିକାରୀ ଓ ବାସିନ୍ଦାଙ୍କ ଉପସ୍ଥିତିରେ ବିବାଦୀୟ ଜମିର ମାପ କରାଯାଇଛି। ଯେଉଁମାନେ ଜମି ଜବରଦଖଲ କରିଥିଲେ, ସେମାନେ ଆଜି ନିଜ ଦଖଲରୁ ଜମି ମୁକ୍ତ କରିବେ ବୋଲି ସମ୍ମତି ଦେଇଛନ୍ତି।
ଦୀର୍ଘଦିନର ଜମି ବିବାଦର ସମାଧାନ ପାଇଁ ପ୍ରଶାସନର ଏହି ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଛନ୍ତି। ତେବେ ଜମି ମୁକ୍ତ ହେବା ସହ ବନ୍ଧର ରାସ୍ତା, ଡ୍ରେନ୍ ଓ ଅନ୍ୟାନ୍ୟ ସାର୍ବଜନୀନ ସୁବିଧାର ସୁରକ୍ଷା ସୁନିଶ୍ଚିତ କରିବା ପ୍ରଶାସନ ପାଇଁ ଏବେ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ