

ସମ୍ବଲପୁର, ୨୬ ନଭେମ୍ବର (ହି.ସ.)- ଭାରତୀୟ ସମ୍ବିଧାନର ମହତ୍ତ୍ୱ, ଗଣତାନ୍ତ୍ରିକ ମୂଲ୍ୟବୋଧ, ନାଗରିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ମାଇଁ ଭାରତ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତ ସରକାର, ମେରା ଯୁବା ଭାରତ, ସମ୍ବଲପୁର ଏବଂ ଏନ୍.ଏସ୍.ସି.ବି. କଲେଜର ରାଜନୀତି ବିଜ୍ଞାନ ବିଭାଗର ମିଳିତ ସହଯୋଗରେ ‘ଯୁବ ସମ୍ବାଦ – ସମ୍ବିଧାନ ଦିବସ ସଂସ୍କରଣ ୨୦୨୭’ ଏନ୍.ଏସ୍.ସି.ବି. କଲେଜ, ସମ୍ବଲପୁର ଠାରେ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ମାଇଁ ଭାରତର ସ୍ୱେଚ୍ଛାସେବୀ, ଏନ୍.ଏସ୍.ଏସ୍. ଓ ଏନ୍.ସି.ସି.ର ସ୍ୱେଚ୍ଛାସେବୀ ଏବଂ କ୍ୟାଡେଟମାନଙ୍କ ଦ୍ୱାରା ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। ରାଲି ମାଧ୍ୟମରେ ସମ୍ବିଧାନର ମୂଳମନ୍ତ୍ର, ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ତଥା ଜାତୀୟ ଏକତାର ବାର୍ତ୍ତା ପ୍ରସାର କରାଯାଇଥିଲା । ଏହାପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ବ୍ୟାଜ୍ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ୱଳନ ମାଧ୍ୟମରେ ସଭାର ଶୁଭାରମ୍ଭ ହୋଇଥିଲା। କଲେଜର ଅଧ୍ୟକ୍ଷ ପ୍ରଫେସର ପି.କେ. ହରପାଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଡ. ମିଲି ସାହୁ, ପ୍ରଫେସର ଡି.କେ. ସା, ପ୍ରଫେସର ଆର୍. ନାଏକ, ପ୍ରଫେସର ପି.ସି. ଡୋରା, ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ସୁରେଶ ଏକ୍କା, ଏନ୍.ଏସ୍.ଏସ୍. କାର୍ଯ୍ୟକ୍ରମ ଅଧିକାରୀ, ମୁଖ୍ୟ ଅତିଥି ପ୍ରଫେସର ଜ୍ଞାନରଞ୍ଜନ ସ୍ୱାଇଁ ଏବଂ ଅନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିଥିବା ପାୱାରଲିଫ୍ଟର ଗୋଲ୍ଡ ମେଡାଲିଷ୍ଟ ସୋମନାଥ ପଟ୍ଟନାୟକ ଉପସ୍ଥିତ ରହି ଯୁବପିଢ଼ିଙ୍କୁ ଉଦ୍ବୋଧନ ଦେଇଥିଲେ ।
କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲେ ଅର୍ପିତା ବେହେରା, ୟୁଥ୍ ଆଇକନ୍, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତ ସରକାର। ସେ ଯୁବପିଢ଼ିଙ୍କୁ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ସକ୍ରିୟ ଭାଗୀଦାର ହେବା ସହିତ ସମ୍ବିଧାନର ଆଦର୍ଶକୁ ଜୀବନରେ ଅନୁସରଣ କରିବା ପାଇଁ ପ୍ରେରିତ କରିଥିଲେ। ସମ୍ବିଧାନର ଇତିହାସ, ପ୍ରସ୍ତାବନା, ମୌଳିକ ଅଧିକାର, ମୌଳିକ କର୍ତ୍ତବ୍ୟ ଓ ଗଣତନ୍ତ୍ରର ମହତ୍ତ୍ୱ ଉପରେ ଏକ ସ୍ୱତନ୍ତ୍ର ପାୱାରପଏଣ୍ଟ (ପିପିଟି) ଉପସ୍ଥାପନା କରାଯାଇଥିଲା। ଏହା ସହିତ ଭାରତୀୟ ସମ୍ବିଧାନର ମୂଲ୍ୟବୋଧକୁ ଆଧାର କରି ଏକ ସଚେତନତାମୂଳକ ନାଟକ ମଞ୍ଚସ୍ଥ ହୋଇଥିଲା। ନାଟକ ମାଧ୍ୟମରେ ସମାନତା, ସ୍ୱାଧୀନତା, ନ୍ୟାୟ ଓ ଭାଇଚାରାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୁକ୍କଡ଼ ନାଟକ, ଆକର୍ଷଣୀୟ ଦେଶାତ୍ମବୋଧକ ଗୀତ, ନୃତ୍ୟ ଓ ସାଂସ୍କୃତିକ ପରିବେଷଣ କାର୍ଯ୍ୟକ୍ରମକୁ ଅଧିକ ଉତ୍ସବମୁଖର କରିଥିଲା। ଏହି ଅବସରରେ ଯୁବ ପ୍ରତିଭା ଓ କ୍ରୀଡ଼ାବିତ୍ ମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା।
କାର୍ଯ୍ୟକ୍ରମରେ ମାଇଁ ଭାରତର ଜାତୀୟ ଯୁବ ସ୍ୱେଚ୍ଛାସେବୀ ମାସୁଦ ଆଲମ, ଲିସା ସୁନା, ଶିବା ଓ ବଳରାମଙ୍କ ସମେତ ମାଇଁ ଭାରତର ଯୁବ ସ୍ୱେଚ୍ଛାସେବୀ, ଏନ୍.ଏସ୍.ଏସ୍. ସ୍ୱେଚ୍ଛାସେବୀ, ଏନ୍.ସି.ସି. କ୍ୟାଡେଟ୍, କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅନ୍ୟାନ୍ୟ ଯୁବବର୍ଗ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହିତ ମଧ୍ୟାହ୍ନ ଭୋଜନ ଓ ସାଂସ୍କୃତିକ ପରିବେଷଣ ମାଧ୍ୟମରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ମଧ୍ୟରେ ସମ୍ବିଧାନ ପ୍ରତି ସମ୍ମାନ, ଗଣତାନ୍ତ୍ରିକ ଚେତନା, ଜାତୀୟ ଏକତା ଓ ଦାୟିତ୍ୱବାନ ନାଗରିକତାର ଭାବନାକୁ ଅଧିକ ସୁଦୃଢ଼ କରିବାର ଏକ ପ୍ରୟାସ ଥିଲା।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ