
ଭଦ୍ରକ, ୨୬ ନଭେମ୍ବର (ହି.ସ.) - ସମଗ୍ର ଭଦ୍ରକ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ପରିଗଣିତ କରିବା ଉଦ୍ଦେଶ୍ୟରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଏସି ଓ ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍ଙ୍କ ମିଳିତ ଉଦ୍ୟମରେ ଏକ ଜିଲ୍ଲା ସ୍ତରୀୟ ପରାମର୍ଶମୂଳକ କର୍ମଶାଳା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗର ପଦାଧିକାରୀ, ପଂଚାୟତ ପ୍ରତିନିଧି, ସରପଂଚ, ସ୍ୱେଚ୍ଛାସେବୀ ସଂଗଠନ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ। କର୍ମଶାଳାକୁ ଉଦ୍ଘାଟନ କରି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ କହିଲେ, ଭଦ୍ରକ ଜିଲ୍ଲାର ଗ୍ରାମରୁ ମୁଖ୍ୟାଳୟ ପର୍ଯ୍ୟନ୍ତ ଅବିରତ ଉଦ୍ୟମ ଆବଶ୍ୟକ, ଯଦ୍ୱାରା ଜିଲ୍ଲା ଏକ ବାଲ୍ୟ ବିବାହ ମୁକ୍ତ ଓ ବାଳ ଶ୍ରମିକ ମୁକ୍ତ ଆଦର୍ଶ ଜିଲ୍ଲା ଭାବେ ପ୍ରତିଷ୍ଠା ଲାଭ କରିବ। ଏହା ଭାରତ ସରକାରଙ୍କ ପ୍ରମୁଖ ଅଭିମୁଖ୍ୟ ‘ବାଲ୍ୟ ବିବାହ ମୁକ୍ତ ଭାରତ’କୁ ସଫଳ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ୟୁଏସିର ସମ୍ପାଦକ ହିମାଂଶୁ ନାରାୟଣ ଶତପଥୀ ଆସନ୍ତା ୨୦୩୦ ମସିହା ସୁଦ୍ଧା ସମଗ୍ର ଭାରତ ବର୍ଷକୁ ବାଲ୍ୟ ବିବାହ ମୁକ୍ତ ଭାରତ ଭାବେ ଗଢ଼ି ତୋଳିବା ପାଇଁ ଆସନ୍ତା ନଭେମ୍ବର ୨୭ ତାରିଖକୁ ବାଲ୍ୟ ବିବାହ ମୁକ୍ତ ଦିବସ ଭାବେ ପାଳନ କରିବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ଦିବସ ମଧ୍ୟ ଆନ୍ତର୍ଜାତିକ ସ୍ତରରେ ଅଳ୍ପ ବୟସର ବିବାହ ଓ ବଳପୂର୍ବକ ବିବାହ ଦୂରୀକରଣ ଦିବସ ଭାବେ ପାଳନ କରାଯାଉଥିବାରୁ ଭାରତ ସରକାର ଓ ଜେଆରସିର ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଧୋଇ ଚରଣ ଟୁଡୁ ତାଙ୍କ ଅଭିଭାଷଣରେ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ନିମନ୍ତେ ସମନ୍ୱିତ କାର୍ଯ୍ୟ ଯୋଜନା ଉପରେ ଗୁରୁତ୍ୱ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅଭିନାଶ ମହାନ୍ତି ସାଇବର ନିରାପତା ଓ ଗ୍ରାମ୍ୟ ସ୍ତରରେ ଘଟଣାର ଚିହ୍ନଟକରଣ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଅତିଥିବୃନ୍ଦଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଗୀତା ପାଢ଼ୀ, ସମଗ୍ର ଶିକ୍ଷା ଅଭିଯାନ ସଂଯୋଜିକା ଈପ୍ସିତା ବେହେରା, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ସୁବ୍ରତ କୁମାର ବିଶ୍ୱାଳ, ବଜବଜ ସଭ୍ୟ ବେଣୁଧର ସାହୁ, ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରିଣୀ ଅନିତା ନାୟକ, ଆଶ୍ରିୟାର ସମ୍ପାଦିକା ସୋଫିଆ ଶେଖ୍, ସମାଜସେବୀ ଦେବବ୍ରତ ଦାଶ, ବିଭିନ୍ନ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ସୁପରଭାଇଜର, ସରପଂଚ, ସମାଜସେବୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଆଗାମୀ ୧୦୦ ଦିନିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି ଗ୍ରାମ ସ୍ତରରେ ପହଂଚିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ୟୁଏସିର ଜିଲ୍ଲା ସଂଯୋଜକ ସୁଜ୍ଞାନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟ ସାଥୀବୃନ୍ଦ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ