
ଭଦ୍ରକ, ୨୬ ନଭେମ୍ବର (ହି.ସ.) - ବିକାଶ କେବଳ ରାସ୍ତାଘାଟ ଓ ପୋଲ ନିର୍ମାଣରେ ସୀମିତ ନୁହେଁ, ଶିକ୍ଷା ଓ ସ୍ୱାସ୍ଥ୍ୟ ହିଁ ବିକାଶର ପ୍ରକୃତ ଆଧାର। ଏହି ଗୁରୁତ୍ୱପୂର୍ଣ୍ଣ ମତ ରଖି ବିଧାନସଭାର ଶୂନ୍ୟକାଳରେ ଭଦ୍ରକ ଜିଲ୍ଲାର ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସମ୍ପର୍କିତ ବିଭିନ୍ନ ମୌଳିକ ସମସ୍ୟାକୁ ଉଠାଇଛନ୍ତି ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର। ଭଦ୍ରକବାସୀଙ୍କ ଦୀର୍ଘଦିନର ଆବଶ୍ୟକତାକୁ ବିଧାନସଭାର ପବିତ୍ର ଗୃହରେ ଉପସ୍ଥାପନ କରି ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଧାୟକ ଶ୍ରୀ ମହାପାତ୍ର ପ୍ରଥମେ ଭଦ୍ରକ ଜିଲ୍ଲାର ସରକାରୀ ବିଦ୍ୟାଳୟଗୁଡ଼ିକରେ ରହିଥିବା ମୌଳିକ ସୁବିଧାର ଅଭାବ ପ୍ରସଙ୍ଗ ଉଠାଇଥିଲେ। ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଭିତିଭୂମି ଓ ମୌଳିକ ସୁବିଧା ସୁନିଶ୍ଚିତ କରିବା ସହ ଶିକ୍ଷାଦାନର ଉନ୍ନତ ପରିବେଶ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। କାରଣ ଶିକ୍ଷାର ଉନ୍ନତି ବିନା ସମାଜର ସାମଗ୍ରିକ ବିକାଶ ସମ୍ଭବ ନୁହେଁ। ସେହିପରି ଭଦ୍ରକ ଜିଲ୍ଲାର ପ୍ରମୁଖ ସ୍ୱାସ୍ଥ୍ୟସେବା କେନ୍ଦ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଉନ୍ନତ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ନେଇ ସେ ଦାବି ଉପସ୍ଥାପନ କରିଥିଲେ। ଚିକିତ୍ସାଳୟରେ ରକ୍ତଭଣ୍ଡାରର ସୁବିଧା, ଏମ୍ଆରଆଇ ମେସିନ୍, ଡାଇଲିସିସ୍ ମେସିନ୍, ଶବ ବ୍ୟବଚ୍ଛେଦ ଗୃହ ଏବଂ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସୁବିଧା ପାଇଁ ଆହାର କେନ୍ଦ୍ରର ଆବଶ୍ୟକତା ସମ୍ପର୍କରେ ସେ ସରକାରଙ୍କୁ ଅବଗତ କରାଇଥିଲେ। ଭଦ୍ରକ ଜିଲ୍ଲାର ହଜାର ହଜାର ଲୋକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି। ଏଠାରେ ଆବଶ୍ୟକ ଆଧୁନିକ ଚିକିତ୍ସା ଉପକରଣ ଓ ସୁବିଧା ଉପଲବ୍ଧ ହେଲେ ଜିଲ୍ଲାବାସୀ ନିଜ ଅଂଚଳରେ ଉନ୍ନତ ଚିକିତ୍ସା ପାଇବା ସହ ଅନ୍ୟ ଜିଲ୍ଲାକୁ ଯିବାର ଆର୍ôଥକ ଓ ଶାରୀରିକ ଅସୁବିଧାରୁ ଅନେକାଂଶରେ ମୁକ୍ତି ପାଇପାରିବେ। ବିଶେଷକରି ଗରିବ ଓ ମଧ୍ୟବିତ ପରିବାର ପାଇଁ ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟସେବା ଉପଲବ୍ଧ ହେବା ଅତ୍ୟନ୍ତ ଜରୁରୀ। ଜନସାଧାରଣଙ୍କ ମୌଳିକ ସମସ୍ୟା ଓ ଆବଶ୍ୟକତାକୁ ବିଧାନସଭାରେ ଉପସ୍ଥାପନ କରିବା ବିଧାୟକଙ୍କ ଜନସ୍ୱାର୍ଥ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ଦୁଇଟି ମୌଳିକ କ୍ଷେତ୍ରର ଉନ୍ନତି ପାଇଁ ତାଙ୍କର ଏହି ଦାବିକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଏବେ ଭଦ୍ରକବାସୀଙ୍କ ନଜର ସରକାରଙ୍କ ପରବର୍ତୀ ପଦକ୍ଷେପ ଉପରେ। ବିଧାନସଭାରେ ଉଠିଥିବା ଏହି ସମସ୍ୟାଗୁଡ଼ିକର ସମାଧାନ ହୋଇ ଜିଲ୍ଲାର ସରକାରୀ ବିଦ୍ୟାଳୟଗୁଡ଼ିକରେ ଉନ୍ନତ ଭିତିଭୂମି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଚିକିତ୍ସା ସୁବିଧା ଉପଲବ୍ଧ ହେବ ବୋଲି ଜିଲ୍ଲାବାସୀ ଆଶା ପ୍ରକାଶ କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ