ବଳଭଦ୍ରପୁରରେ ଯୁବକ ସଂଘ ପକ୍ଷରୁ ପୂଜ୍ୟପୂଜା
ପଟ୍ଟାମୁଣ୍ଡାଇ, ୨୬ ନଭେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ମା'' ମୁକ୍ତେଶ୍ଵରୀ ପୀଠରେ ତିନିଦିନ ଧରି ରାହାସ ପୂର୍ଣ୍ଣିମା ମହାସମାରୋହରେ ପାଳନ କରାଯାଇଛି l ଏହି ଅବସରରେ ଅଷ୍ଟ ପ୍ରହରୀ ସଂକୀର୍ତ୍ତନ, ହରିହାଟ, ଗୋ ପୂଜା, ପୂଜ୍ୟ ପୂଜା ଏବଂ କାର
Pujyapuja


ପଟ୍ଟାମୁଣ୍ଡାଇ, ୨୬ ନଭେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ମା' ମୁକ୍ତେଶ୍ଵରୀ ପୀଠରେ ତିନିଦିନ ଧରି ରାହାସ ପୂର୍ଣ୍ଣିମା ମହାସମାରୋହରେ ପାଳନ କରାଯାଇଛି l ଏହି ଅବସରରେ ଅଷ୍ଟ ପ୍ରହରୀ ସଂକୀର୍ତ୍ତନ, ହରିହାଟ, ଗୋ ପୂଜା, ପୂଜ୍ୟ ପୂଜା ଏବଂ କାର୍ତ୍ତିକେଶ୍ୱର ପୂଜା ଭଳି ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଆଡମ୍ବରରେ ଅନୁଷ୍ଠିତ ହୋଇଛି l ତେବେ ଏହି ଉତ୍ସବର ସବୁଠାରୁ ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ଦିଗ ଥିଲା 'ପୂଜ୍ୟ ପୂଜା' l ଆଜିର ସମାଜରେ ବାପ-ମାଆଙ୍କୁ ଅନେକ କ୍ଷେତ୍ରରେ ଅବହେଳା କରାଯାଉଥିବା ବେଳେ, ବଳଭଦ୍ରପୁର ଗ୍ରାମର ଯୁବକ ସଂଘର ପିଲାମାନେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ବୃଦ୍ଧ ଓ ବୟସ୍କ ଲୋକଙ୍କୁ ଏକାଠି କରିଥିଲେ l ସେମାନଙ୍କୁ ଆସନରେ ବସାଇ ପୂଜା କରିବା ସହ ପାଦ ଧୋଇ ଦେଇଥିଲେ, ସିନ୍ଦୁର-ଚନ୍ଦନ ଲଗାଇଥିଲେ ଏବଂ ଉପହାର ଦେଇ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ l ଯୁବପିଢ଼ିଙ୍କ ଏଭଳି ସଂସ୍କାର, ସେବା ମନୋଭାବ ଏବଂ ବୟୋଜ୍ୟେଷ୍ଠଙ୍କ ପ୍ରତି ସମ୍ମାନ ଦେଖି ଉପସ୍ଥିତ ବୃଦ୍ଧ-ବୃଦ୍ଧାମାନେ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ l ସମାଜରେ ବୟସ୍କଙ୍କ ମୂଲ୍ୟବୋଧ ଓ ସମ୍ମାନ ବଜାୟ ରଖିବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ସକାରାତ୍ମକ ବାର୍ତ୍ତା ଦେଇଛି l ଧାର୍ମିକ ପରମ୍ପରା ସହିତ ମାନବିକତା ଓ ବୟୋଜ୍ୟେଷ୍ଠଙ୍କ ସେବାକୁ ଯୋଡ଼ି ବଳଭଦ୍ରପୁର ଯୁବକ ସଂଘ ଯେଉଁ ପଦକ୍ଷେପ ନେଇଛି, ତାହା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ l

ଏହି କାର୍ଯ୍ୟକ୍ରମକୁ ବିଶ୍ୱନାଥ ବିଶ୍ୱାଳ, ଗୌରାଙ୍ଗ ମହାନ୍ତି, ବସୁଦେବ ମଲ୍ଲିକ, ବିଷ୍ଣୁଚରଣ ଧଳ, ନିହାର ରଞ୍ଜନ ବିଶ୍ୱାଳ, ସରୋଜକାନ୍ତ ବିଶ୍ୱାଳ ପ୍ରମୁଖ ସଂଯୋଜନା କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande