

କନ୍ଧମାଳ, ୨୬ ନଭେମ୍ବର (ହି.ସ.) - କନ୍ଧମାଳ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା ଲକ୍ଷ୍ୟରେ ୧୦୦ ଦିନିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଫୁଲବାଣୀସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ସବୁଜ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଜିଲ୍ଲା ପ୍ରଶାସନ ଓ ହମାରା ବଚପନ ଟ୍ରଷ୍ଟର ମିଳିତ ସହଯୋଗରେ ଏହି ଅଭିଯାନ ଆୟୋଜିତ ହେଉଛି।ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ବାଲ୍ୟବିବାହ ଏକ ଦଣ୍ଡନୀୟ ଅପରାଧ ଏବଂ ଏହା ଶିଶୁମାନଙ୍କ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହାକୁ ରୋକିବା ପାଇଁ ଅଭିଭାବକ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୁବପିଢ଼ି ସାମୂହିକ ଭାବେ ଆଗେଇ ଆସିବା ଆବଶ୍ୟକ।ଆଗାମୀ ୧୦୦ ଦିନ ମଧ୍ୟରେ ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ୍ ଓ ଦୁର୍ଗମ ଅଞ୍ଚଳ ପରିକ୍ରମା କରିବ। ବିଦ୍ୟାଳୟ, ମହାବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ସଚେତନତା ସଭା ଆୟୋଜନ କରାଯିବ। ବାଲ୍ୟବିବାହ ସମ୍ପର୍କିତ ଘଟଣା ଜଣାପଡ଼ିଲେ ଚାଇଲ୍ଡଲାଇନ୍ ୧୦୯୮ କିମ୍ବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍କୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୋଦ କୁମାର ସେନାପତି, ଫୁଲବାଣୀ ଉପଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣ, ସୁରକ୍ଷା ଅଧିକାରୀ ସୁନୀଲ କୁମାର ପ୍ରଧାନ, ଚାଇଲ୍ଡଲାଇନ୍ ସଂଯୋଜକ କ୍ଷୀରୋଦ ପ୍ରସାଦ ମଲ୍ଲିକ, ୟୁନିସେଫ୍ ସଂଯୋଜକ ଅକ୍ଷୟ କୁମାର ସିଂ, ଡିସିପିୟୁର କର୍ମଚାରୀ, ସଦନ ଆଶ୍ରମ ଓ ଗୋପବନ୍ଧୁ ବାଳାଶ୍ରମର ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ହମାରା ବଚପନ ଟ୍ରଷ୍ଟର ଜିଲ୍ଲା ସଂଯୋଜକ ବିଦ୍ୟାଧର ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ