
ଏସପିଙ୍କୁ ଦାବିପତ୍ର ଦେଲା ବିଜୁ ମହିଳା ଜନତା ଦଳ, ନେତୃତ୍ଵ ନେଲେ ପୂର୍ବତନ ବିଧାୟିକା ଦୀପାଳି ଦାସ
ଝାରସୁଗୁଡ଼ା, ୨୬ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଏଚ୍. କଣ୍ଟାପାଲିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାସାଗର ସାଙ୍କ ବିରୋଧରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗୁରୁତର ଅଭିଯୋଗ ଆସିଛି। ଏହି ଘଟଣାରେ ଅଭିଯୁକ୍ତ ଅଧ୍ୟକ୍ଷଙ୍କୁ ତୁରନ୍ତ ଗିରଫ କରିବା ସହ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ନେତୃତ୍ୱରେ ଝାରସୁଗୁଡ଼ା ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ଗୁରୁବାର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସୂଚନା ଅନୁଯାୟୀ, ଗତ ନଭେମ୍ବର ୨୩ ତାରିଖରେ ବିଦ୍ୟାଳୟ ପରିସରରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ପରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୭୪, ୭୫, ୭୯ ଏବଂ ପୋକ୍ସୋ ଆଇନର ଧାରା ୧୦ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅଦ୍ୟାବଧି ଅଭିଯୁକ୍ତଙ୍କ ଗିରଫଦାରୀ ହୋଇନଥିବାରୁ ମହିଳା ଜନତା ଦଳ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି।
ବିଦ୍ୟାଳୟର ଅଧ୍ୟକ୍ଷ ଭଳି ଏକ ଦାୟିତ୍ୱପୂର୍ଣ୍ଣ ପଦବୀରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଏଭଳି ଅଭିଯୋଗ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି ବୋଲି ପ୍ରତିନିଧିମଣ୍ଡଳୀ ପ୍ରକାଶ କରିଛି। ଅଭିଯୁକ୍ତ ବାହାରେ ରହିଥିବାରୁ ପୀଡ଼ିତା ଓ ତାଙ୍କ ପରିବାର ଉପରେ ଚାପ କିମ୍ବା ଧମକ ସୃଷ୍ଟି ହେବାର ଆଶଙ୍କା ଥିବା ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଘଟଣାର ନିରପେକ୍ଷ ଓ ତ୍ୱରିତ ତଦନ୍ତ, ଅଭିଯୁକ୍ତଙ୍କ ତୁରନ୍ତ ଗିରଫଦାରୀ, ପୀଡ଼ିତା ଓ ତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ଯୋଗାଇବା ସହ ବିଦ୍ୟାଳୟର ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ପ୍ରମାଣ ସୁରକ୍ଷିତ ରଖିବାକୁ ଏସ୍ପିଙ୍କ ନିକଟରେ ଦାବି କରାଯାଇଛି।
ଏହି ଅବସରରେ ଦୀପାଳି ଦାସଙ୍କ ସହ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ଜୟନ୍ତୀ ବାହୁକ, ଝାରସୁଗୁଡ଼ା ପୌରପରିଷଦ ଅଧ୍ୟକ୍ଷା ରାନୀ ହାତୀ, ଆଡଭୋକେଟ୍ ନବନୀତ କୌର, ପୌରାଞ୍ଚଳ ବିଜୁ ମହିଳା ଜନତା ଦଳର ସଭାପତି ଜ୍ୟୋତି ସୁନା, ନୀତା ରାନୀ ଶାହା, ତପସ୍ୱିନୀ ଲାକ୍ରା, ବବି ବର୍ମା, ସୁଶୀଳା ସେଠ୍, ମମତା ଛତ୍ରି ଓ ଯଶୋଦା ସୋନିଙ୍କ ସମେତ ଅନ୍ୟାନ୍ୟ ମହିଳା କର୍ମୀ ଉପସ୍ଥିତ ଥିଲେ। ନାବାଳିକାଙ୍କୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ ପାଇଁ ସେମାନେ ପୁଲିସ ପ୍ରଶାସନକୁ ଅନୁରୋଧ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ