ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ କ୍ରୀଡ଼ା ପ୍ରତିଯୋଗିତା
District-Level Sports Competition for Students with Disabilities in Jharsuguda on the
ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ–୨୦୨୬ ପାଳନ ଅବସରରେ ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ କ୍ରୀଡ଼ା ପ୍ରତିଯୋଗିତା


ଝାରସୁଗୁଡ଼ା, ୨୬ ନଭେମ୍ବର (ହି.ସ.)- ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ–୨୦୨୬ ପାଳନର ଅଂଶବିଶେଷ ଭାବେ ଆଜି ଝାରସୁଗୁଡ଼ାସ୍ଥିତ ସରବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏହି କ୍ରୀଡ଼ା ଉତ୍ସବରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୩୫୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶାରୀରିକ ଦିବ୍ୟାଙ୍ଗ, ଦୃଷ୍ଟିବାଧିତ, ଶ୍ରବଣବାଧିତ ଏବଂ ବୌଦ୍ଧିକ ଦିବ୍ୟାଙ୍ଗ ବର୍ଗର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ା ଓ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମରେ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହ ଭାଗ ନେଇଥିଲେ।ଝାରସୁଗୁଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ ନାଏକ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ରୀଡ଼ା ଉତ୍ସବକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କର୍ମଚାରୀ, ବୃନ୍ଦାମାଲସ୍ଥିତ ସ୍ୱତନ୍ତ୍ର ବିଦ୍ୟାଳୟ ଓ ଝାଡ଼େଶ୍ୱରୀ ସ୍ୱତନ୍ତ୍ର ବିଦ୍ୟାଳୟର କର୍ମଚାରୀ, ସମସ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ବ୍ଲକ୍ ର କାର୍ଯ୍ୟକ୍ରମ ସହାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଆତ୍ମବିଶ୍ୱାସ, ଶାରୀରିକ ଓ ମାନସିକ ବିକାଶ ସହିତ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଏହି କ୍ରୀଡ଼ା ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହିପରି କାର୍ଯ୍ୟକ୍ରମ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ଓ କ୍ରୀଡ଼ା ଦକ୍ଷତାର ବିକାଶ କରିବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande