
ଝାରସୁଗୁଡ଼ା, ୨୬ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଡି.ଏମ୍.ଏଫ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ସଡ଼କ ସୁରକ୍ଷା ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ସୋନାଲୀ ସିଂହ ପରମାର ଏବଂ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଗୌରହରି ହାଁସଦା ବୈଠକ ପରିଚାଳନା କରିବା ସହ ଜିଲ୍ଲାର ସଡ଼କ ଦୁର୍ଘଟଣା ଓ ପ୍ରବର୍ତ୍ତନ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ।
ବୈଠକରେ ଜାତୀୟ ଓ ରାଜ୍ୟ ରାଜପଥ ପାର୍ଶ୍ୱରେ ଧୂଳି ପ୍ରଦୂଷଣ ରୋକିବା ଏବଂ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଥିଲେ। ବୈଠକରେ ଉପସ୍ଥିତ ଥିବା ରୁଙ୍ଗଟା, ବେଦାନ୍ତ, ଜେଏସଡବ୍ଲୁ ଏବଂ ଓପିଜିସି ଭଳି ପ୍ରମୁଖ ଶିଳ୍ପ ସଂସ୍ଥାମାନଙ୍କୁ ପୂର୍ବ ନିର୍ଦ୍ଦେଶ ମୁତାବକ ନିୟମିତ ଭାବେ ରାସ୍ତା କଡ଼ ସଫା ଓ ଡି-ଡଷ୍ଟିଂ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୌଣସି ପ୍ରକାର ଅବହେଳା କରାଗଲେ ସମ୍ପୃକ୍ତ ଶିଳ୍ପ ସଂସ୍ଥା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି। ଏଥିସହ ଆରଟିଓଙ୍କୁ ଏହାର ନିୟମିତ ତଦାରଖ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।ରାଜପଥରେ ବୁଲା ଗୋରୁଗାଈଙ୍କ ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ଓ ରାଜ୍ୟ ରାଜପଥରୁ ବୁଲା ଗୋରୁଗାଈଙ୍କୁ ହଟାଇ ସେମାନଙ୍କୁ ବ୍ରଜରାଜନଗର ଏବଂ ବେଲପାହାଡ଼ ଠାରେ ନୂତନ ଭାବେ ନିର୍ମିତ ଗୋଶାଳାକୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ରାଜପଥରୁ ଅନଧିକୃତ ଜବରଦଖଲ ଉଚ୍ଛେଦ, ଢାବା ଓ ଗ୍ୟାରେଜ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା, ରାସ୍ତାର ମରାମତି ଓ ହାଇ-ମାଷ୍ଟ ଲାଇଟ୍ ସ୍ଥାପନ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଆଗାମୀ ପିକନିକ୍ ଓ ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ଜିଲ୍ଲାର ପ୍ରମୁଖ ପିକନିକ୍ ସ୍ଥଳ ଯଥା କୋଇଲିଘୁଘର, ରମ୍ପାଲୁଗା ଏବଂ ଇବ୍ ସେତୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ବନ ବିଭାଗ, ପୋଲିସ ଏବଂ ଆରଟିଓଙ୍କ ମିଳିତ ସମନ୍ୱୟରେ ଏହି ସ୍ଥାନମାନଙ୍କରେ ସ୍ୱତନ୍ତ୍ର ଚେକ୍ ପୋଷ୍ଟ ସ୍ଥାପନ କରାଯାଇ ଗାଡ଼ି ଚାଳକମାନଙ୍କର ମଦ୍ୟପାନ ଯାଞ୍ଚ ଓ ସ୍କ୍ରିନିଂ କରାଯିବ। ବିଶେଷ କରି ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଯାଞ୍ଚ ସହ ଡଙ୍ଗା ଯାତ୍ରା ସମୟରେ ପ୍ରତି ଡଙ୍ଗାରେ ପର୍ଯ୍ୟାପ୍ତ ଲାଇଫ୍ ଜ୍ୟାକେଟ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସଡ଼କ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ‘ପିଏମ୍-ରାହତ’ ଯୋଜନା ଅନ୍ତର୍ଗତ ଯୋଗାଯୋଗ ନମ୍ବର ଜାରି କରାଯାଇଛି। କୌଣସି ସଡ଼କ ଦୁର୍ଘଟଣା ଘଟିଲେ ତୁରନ୍ତ ସହାୟତା ଓ ସୂଚନା ଦେବା ପାଇଁ ପିଏମ୍-ରାହତର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଶ୍ରୀମତୀ ସୀମା ନାଏକଙ୍କ ମୋବାଇଲ୍ ନମ୍ବର +91 8637262270 ରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ