
ଆଦିବାସୀ ବହୁଳ କିର୍ମିରା ବ୍ଲକରେ ସରକାରୀ ହାଇସ୍କୁଲର ଦୟନୀୟ ସ୍ଥିତି, ବିନା ଶିକ୍ଷକରେ ଚାଲିଛି ପାଠପଢ଼ା
ଝାରସୁଗୁଡା , ୨୬ ନଭେମ୍ବର (ହି.ସ.) ଆଦିବାସୀ ବହୁଳ କିର୍ମିରା ବ୍ଲକରେ ସରକାରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଏବେ ସଙ୍କଟରେ। ଅଞ୍ଚଳର ପ୍ରାୟ ୭୫ ପ୍ରତିଶତ ଛାତ୍ରଛାତ୍ରୀ ସରକାରୀ ହାଇସ୍କୁଲ ଉପରେ ନିର୍ଭରଶୀଳ। ଏପରିକି ଅନ୍ୟ ବ୍ଲକରୁ ଆସି ଆଦିବାସୀ ହଷ୍ଟେଲରେ ରହି ଏଠାରେ ଶିକ୍ଷା ଗ୍ରହଣ କରୁଛନ୍ତି। ହେଲେ ଆବଶ୍ୟକ ଶିକ୍ଷକ ଓ କର୍ମଚାରୀଙ୍କ ଅଭାବ ଏହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛି।
୧୯୮୪ ମସିହାରେ ପ୍ରତିଷ୍ଠିତ ଭାଲୁପତ୍ରା ହାଇସ୍କୁଲ ଏକଦା ଗୁଣାତ୍ମକ ଶିକ୍ଷାଦାନ ପାଇଁ ପରିଚିତ ଥିଲା। କିନ୍ତୁ ଆଜି ସେଠାରେ ଶିକ୍ଷକ ଅଭାବ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିଦେଇଛି। ଅଷ୍ଟମ ଶ୍ରେଣୀକୁ ପ୍ରାଥମିକ ବିଦ୍ୟାଳୟ ସହ ମିଶ୍ରଣ କରାଯିବା ପରେ ମଧ୍ୟ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ହୋଇନାହିଁ। ଏଠାରେ ମାତ୍ର ଦୁଇଜଣ ସଂସ୍କୃତ ଓ କ୍ରୀଡା ଶିକ୍ଷକ ରହିଛନ୍ତି। ସେମାନେ ପାଠପଢ଼ା ସହିତ କାର୍ଯ୍ୟାଳୟ ପରିଚାଳନା, ମଧ୍ୟାହ୍ନ ଭୋଜନ ଓ ହିସାବ କାର୍ଯ୍ୟ ମଧ୍ୟ ତୁଲାଉଥିବା ଅଭିଯୋଗ ହୋଇଛି।
ସେହିପରି ବ୍ଲକର ଅନ୍ୟ ବିଦ୍ୟାଳୟଗୁଡ଼ିକର ସ୍ଥିତି ମଧ୍ୟ ଚିନ୍ତାଜନକ। ଭଉଁରା ହାଇସ୍କୁଲରେ ୫୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୩ ଜଣ ଶିକ୍ଷକ ଥିବାବେଳେ ବିଜ୍ଞାନ, ଗଣିତ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନାହାନ୍ତି। ସୁଲାହୀ ହାଇସ୍କୁଲରେ ୬୭ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନ ଓ ଗଣିତ ଶିକ୍ଷକ ନାହାନ୍ତି। ବନ୍ଧପାଲି ହାଇସ୍କୁଲରେ ୬୧ ଜଣ ଛାତ୍ରଛାତ୍ରୀ ଥିବାବେଳେ ହିନ୍ଦୀ ଓ ବିଜ୍ଞାନ ଶିକ୍ଷକଙ୍କ ଅଭାବ ରହିଛି। କାଦୋବାହାଲ ହାଇସ୍କୁଲରେ ଗଣିତ ଓ ହିନ୍ଦୀ ଶିକ୍ଷକ ନାହାନ୍ତି। ସେହିପରି କିର୍ମିରା ପିଏମ୍ଶ୍ରୀ ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଏବଂ ଅର୍ଡା ଆଶ୍ରମ ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ପଦବୀ ଖାଲି ପଡ଼ିଛି।
ବିଶେଷ କରି ଅର୍ଡା ଆଶ୍ରମ ବିଦ୍ୟାଳୟର ସ୍ଥିତି ଚିନ୍ତାଜନକ। ଏଠାରେ ଅଧିକାଂଶ ଆଦିବାସୀ ଓ ଗରିବ ପରିବାରର ପିଲା ହଷ୍ଟେଲରେ ରହି ପାଠ ପଢ଼ୁଥିବାରୁ କ୍ରୀଡ଼ା ପ୍ରତି ସେମାନଙ୍କ ଆଗ୍ରହ ଅଧିକ। ପୂର୍ବରୁ କ୍ରୀଡା ଶିକ୍ଷକଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିଲେ। କିନ୍ତୁ ଏବେ କ୍ରୀଡା ଶିକ୍ଷକ ନଥିବାରୁ ସେମାନଙ୍କ ପ୍ରତିଭାର ବିକାଶରେ ବାଧାପ୍ରାପ୍ତ ହେଉଛି। ଫଳରେ ଶିକ୍ଷା ସହ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ପିଲାମାନେ ସୁଯୋଗ ହରାଉଛନ୍ତି।
ଏହା କେବଳ ଶିକ୍ଷକ ଅଭାବର ସମସ୍ୟା ନୁହେଁ, ବରଂ ଆଦିବାସୀ ଓ ଗରିବ ପରିବାରର ପିଲାଙ୍କ ଶିକ୍ଷାଗତ ଅଧିକାର ଓ ସମାନ ସୁଯୋଗର ପ୍ରଶ୍ନ। ସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରୁଥିବା ଏହି ଅଞ୍ଚଳର ଛାତ୍ରଛାତ୍ରୀ ଆବଶ୍ୟକ ଶିକ୍ଷକଙ୍କ ଅଭାବରୁ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଲେ ଏହାର ସିଧାସଳଖ ପ୍ରଭାବ ସେମାନଙ୍କ ଉଚ୍ଚଶିକ୍ଷା ଓ ଭବିଷ୍ୟତ ଉପରେ ପଡ଼ିବ।
ଦୀର୍ଘଦିନ ଧରି ଏହି ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ମନୋଭାବକୁ ନେଇ ଜନଅସନ୍ତୋଷ ବଢ଼ୁଛି।
ଜିଲ୍ଲା ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ। ଶିକ୍ଷକ ଅଭାବ ଥିବା ବିଦ୍ୟାଳୟଗୁଡ଼ିକର ସ୍ଥିତିର ସମୀକ୍ଷା, ଖାଲି ପଦବୀର ତାଲିକା ପ୍ରସ୍ତୁତି, ଆବଶ୍ୟକ ବିଷୟଭିତ୍ତିକ ଶିକ୍ଷକ ନିଯୁକ୍ତି ଓ ଅନ୍ତରୀଣ ବ୍ୟବସ୍ଥା ଭାବେ ଶିକ୍ଷକଙ୍କ ଡେପୁଟେସନ୍ କରିବାକୁ ଦାବି ହୋଇଛି। ଏଥିସହ ଆଶ୍ରମ ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ନିଯୁକ୍ତି କରି ପିଲାଙ୍କ କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହନ ଦେବା ଜରୁରୀ।
ଏବେ ପ୍ରଶ୍ନ ଉଠୁଛି, ଆଦିବାସୀ ଅଧ୍ୟୁଷିତ କିର୍ମିରା ବ୍ଲକର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନ କେବେ ଠୋସ୍ ପଦକ୍ଷେପ ନେବ? ଶିକ୍ଷା ବ୍ୟବସ୍ଥାରେ ତୁରନ୍ତ ସୁଧାର ନ ଆସିଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ