ଆୟୁଷ୍ମାନ ଭାରତ କାର୍ଡରେ କ୍ୟାଶଲେସ୍ ଚିକିତ୍ସା ମିଳୁନଥିବା ଅଭିଯୋଗ : ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ସ୍ଵାସ୍ଥ୍ୟ ସେବା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବତନ ସାଂସଦ ଡ. ନିରଞ୍ଜନ ବିଶିଙ୍କ ଚିଠି
ବଲାଙ୍ଗିର, ୨୬ ନଭେମ୍ବର (ହି.ସ.)- ଆୟୁଷ୍ମାନ ଭାରତ କାର୍ଡ ଥିବା ସତ୍ତ୍ୱେ ବାହାର ରାଜ୍ୟରେ କ୍ୟାଶଲେସ୍ ଚିକିତ୍ସା ସୁବିଧା ମିଳୁନଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଡ. ନିରଞ୍ଜନ ବିଶି । ପଶ୍ଚିମ ଓଡ଼ିଶାର ଗରିବ ଓ ଆର୍ଥିକ ଅନଗ୍ରସର ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ
ଆୟୁଷ୍ମାନ ଭାରତ କାର୍ଡରେ କ୍ୟାଶଲେସ୍ ଚିକିତ୍ସା ମିଳୁନଥିବା ଅଭିଯୋଗ * ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବତନ ସାଂସଦ ଡ. ନିରଞ୍ଜନ ବିଶିଙ୍କ ଚିଠି


ବଲାଙ୍ଗିର, ୨୬ ନଭେମ୍ବର (ହି.ସ.)- ଆୟୁଷ୍ମାନ ଭାରତ କାର୍ଡ ଥିବା ସତ୍ତ୍ୱେ ବାହାର ରାଜ୍ୟରେ କ୍ୟାଶଲେସ୍ ଚିକିତ୍ସା ସୁବିଧା ମିଳୁନଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଡ. ନିରଞ୍ଜନ ବିଶି । ପଶ୍ଚିମ ଓଡ଼ିଶାର ଗରିବ ଓ ଆର୍ଥିକ ଅନଗ୍ରସର ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ବ୍ୟାପକ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବି ଜଣାଇଛନ୍ତି ।

ପତ୍ରରେ ଡ. ବିଶି ଦର୍ଶାଇଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ ଉନ୍ନତ ଓ ବିଶେଷଜ୍ଞ ଚିକିତ୍ସା ସୁବିଧାର ଅଭାବ ଯୋଗୁଁ ଅନେକ ରୋଗୀ ଚିକିତ୍ସା ପାଇଁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ତେଲେଙ୍ଗାନାର ୱାରଙ୍ଗଲ ଏବଂ ଛତିଶଗଡ଼ର ରାୟପୁର ଭଳି ସହରକୁ ଯାଉଛନ୍ତି। କିନ୍ତୁ ସେଠାରେ ଆୟୁଷ୍ମାନ ଭାରତ କାର୍ଡ ମାଧ୍ୟମରେ କ୍ୟାଶଲେସ୍ ଚିକିତ୍ସା ନମିଳିବାରୁ ରୋଗୀ ଓ ସେମାନଙ୍କ ପରିବାରକୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶାଖାପାଟଣାର ଅନେକ ବଡ଼ ହସ୍ପିଟାଲ ଆୟୁଷ୍ମାନ ଭାରତ କାର୍ଡ ଗ୍ରହଣ କରୁନଥିବା ଅଭିଯୋଗ ଆଣିବା ସହ ବିଭିନ୍ନ ସହରର ପ୍ରାୟ ୭୦ ପ୍ରତିଶତ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍ ଏହି ଯୋଜନାରେ ସାମିଲ ନଥିବା ସେ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହାର ପରିଣାମସ୍ୱରୂପ ରୋଗୀମାନଙ୍କୁ ଚିକିତ୍ସା, ଔଷଧ, ପରୀକ୍ଷା ଓ ହସ୍ପିଟାଲ ଖର୍ଚ୍ଚ ନିଜେ ବହନ କରିବାକୁ ପଡ଼ୁଛି। ଏପରି ସ୍ଥିତି ଗରିବ ପରିବାରଗୁଡ଼ିକୁ ଗଭୀର ଆର୍ଥିକ ସଙ୍କଟ ମଧ୍ୟକୁ ଠେଲି ଦେଉଥିବା ସେ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଓଡ଼ିଶାର ସମସ୍ତ ଯୋଗ୍ୟ ନାଗରିକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ବ୍ୟାପକ ସ୍ୱାସ୍ଥ୍ୟ କାର୍ଡ ସୁବିଧା ପ୍ରଦାନ କରିବାକୁ ଡ. ବିଶି ଦାବି କରିଛନ୍ତି । ଏଥିସହ ବିଶାଖାପାଟଣା, ୱାରଙ୍ଗଲ ଓ ରାୟପୁର ସମେତ ଅନ୍ୟ ସହରର ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ କ୍ୟାଶଲେସ୍ ଚିକିତ୍ସା ଓ ମାଗଣା ପରୀକ୍ଷା ସୁବିଧା ସୁନିଶ୍ଚିତ କରିବା, ଅଧିକ ହସ୍ପିଟାଲକୁ ଯୋଜନାରେ ସାମିଲ କରିବା ଏବଂ ରୋଗୀଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଦୃଢ଼ ତଦାରଖ ବ୍ୟବସ୍ଥା ଗଠନ କରିବାକୁ ସେ ଅନୁରୋଧ କରିଛନ୍ତି।

ଡ. ବିଶିଙ୍କ ମତରେ, ସରକାର ଏହି ଦାବିଗୁଡ଼ିକ ପ୍ରତି ଗୁରୁତ୍ୱ ଦେଲେ ପଶ୍ଚିମ ଓଡ଼ିଶା ସମେତ ସମଗ୍ର ରାଜ୍ୟର ଲକ୍ଷ ଲକ୍ଷ ଗରିବ ଓ ଅସହାୟ ଲୋକ ଉପକୃତ ହେବେ। ଏହାଦ୍ୱାରା ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ସୁଲଭ, ସୁଗମ ଓ ଉନ୍ନତମାନର ଚିକିତ୍ସା ସେବା ମିଳିବା ସହ ସ୍ୱାସ୍ଥ୍ୟ ସୁରକ୍ଷା ଅଧିକ ସୁଦୃଢ଼ ହୋଇପାରିବ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande