

ଲଘୁଚାପ ଓ ବାତ୍ୟାଜନିତ ବର୍ଷାରେ କୋଲାବିରା ବ୍ଲକରେ ବ୍ୟାପକ ଫସଲ କ୍ଷତି, ସରକାରୀ ସହାୟତା ପାଇଁ ଦାବି
ଝାରସୁଗୁଡ଼ା, 26 ନଭେମ୍ବର (ହି.ସ.): ଲଘୁଚାପ ଓ ବାତ୍ୟାଜନିତ ଲଗାଣ ବର୍ଷା ଚାଷୀଙ୍କ ମୁହଁରୁ ହସ ଛଡ଼ାଇ ନେଇଛି। ଚଳିତ ନଭେମ୍ବର ମାସରେ ମୁରାସୁ ଓ ଅକଭାନ ନାମକ ଦୁଇଟି ବାତ୍ୟା ଓ ଲଘୁଚାପ ପ୍ରଭାବରେ ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକରେ ବାରମ୍ବାର ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଧାନ ଚାଷ ସମେତ ଅନ୍ୟାନ୍ୟ ଫସଲ ଓ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ବର୍ଷା ଛାଡ଼ିବା ପରେ ଚାଷୀମାନେ ନିଜ ନିଜ ଜମିରୁ ଧାନ ଅମଳ କରିବା ଆରମ୍ଭ କରିଛନ୍ତି। ହେଲେ ଅମଳ ଧାନର ଅବସ୍ଥା ଦେଖି ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଏଭଳି ଏକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି କୋଲାବିରା ଗ୍ରାମ ଖଡ଼ିଆପଡ଼ାର ଗରିବ ଓ କ୍ଷୁଦ୍ର ଚାଷୀ ସନ୍ତୋଷ ନାଏକ।
ଶ୍ରୀ ନାଏକ କୃଷି କାର୍ଯ୍ୟାଳୟ ନିକଟସ୍ଥ ନିଜ ଜମିରୁ ଧାନ କାଟି ମେସିନରେ ଅମଳ କରିବା ପରେ ବସ୍ତାରେ ଭର୍ତ୍ତି କରି ଘରକୁ ଆଣିଛନ୍ତି। ତେବେ ଲଗାଣ ବର୍ଷା ଯୋଗୁଁ ତାଙ୍କ ଅମଳ ଧାନ ସମ୍ପୂର୍ଣ୍ଣ କଳା ପଡ଼ିଯାଇଛି। ବହୁ ପରିଶ୍ରମ କରି ପ୍ରାୟ ୪୦ରୁ ୫୦ ବସ୍ତା ଧାନ ଅମଳ କରିଥିଲେ ମଧ୍ୟ ଏହାର ଗୁଣବତ୍ତା ଖରାପ ହୋଇଯାଇଛି।
ଏହି ଧାନ ସରକାରୀ ମଣ୍ଡିରେ ବିକ୍ରି ପାଇଁ ଆବଶ୍ୟକ ଏଫ୍ଏକ୍ୟୁ ମାନ ପୂରଣ କରୁନଥିବାରୁ ମଣ୍ଡିରେ ବିକ୍ରି କରିବା ସମ୍ଭବ ହେବ ନାହିଁ ବୋଲି ସନ୍ତୋଷ ନାଏକ କହିଛନ୍ତି। ଫଳରେ ବର୍ଷଯାକର ପରିଶ୍ରମ ଓ ଖର୍ଚ୍ଚ ବୃଥା ଯିବା ଆଶଙ୍କାରେ ସେ ଗଭୀର ଚିନ୍ତାରେ ରହିଛନ୍ତି। ଧାନ ବିକ୍ରି ହୋଇନପାରିଲେ ଆର୍ଥିକ କ୍ଷତି ସହିବାକୁ ପଡ଼ିବ ବୋଲି ସେ ଦୁଃଖର ସହ ପ୍ରକାଶ କରିଛନ୍ତି।
କେବଳ ସନ୍ତୋଷ ନାଏକ ନୁହନ୍ତି, କୋଲାବିରା ବ୍ଲକର ବହୁ ଚାଷୀ ଲଗାଣ ବର୍ଷା ଯୋଗୁଁ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଏ ନେଇ ଗାୟତ୍ରୀ କୃଷକ ସଂଘର ସଭାପତି ହେମନ୍ତ ସାହୁ କହିଛନ୍ତି ଯେ, ବର୍ଷା ପ୍ରଭାବରେ ବ୍ଲକର ବହୁ ସଂଖ୍ୟକ ଚାଷୀଙ୍କ ଧାନ ନଷ୍ଟ ହୋଇଛି। ଏହା ସେମାନଙ୍କ ଜୀବିକା ଓ ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଇବ।
ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରିବା ଆବଶ୍ୟକ। ବର୍ଷାରେ କଳା ପଡ଼ିଥିବା ଧାନର ଗୁଣବତ୍ତା ଯାଞ୍ଚ କରି ମଣ୍ଡିରେ ବିକ୍ରି ପାଇଁ ଉପଯୁକ୍ତ ବିକଳ୍ପ ବ୍ୟବସ୍ଥା, ନିୟମାନୁଯାୟୀ କ୍ଷତିପୂରଣ ଓ ଆର୍ଥିକ ସହାୟତା ଯୋଗାଇଦେବାକୁ ଚାଷୀ ମହଲରେ ଦାବି ହେଉଛି।
ଚାଷୀଙ୍କ ପରିଶ୍ରମର ଉଚିତ ମୂଲ୍ୟ ନମିଳିଲେ ଗ୍ରାମାଞ୍ଚଳର କୃଷି ଅର୍ଥନୀତି ଆହୁରି ପ୍ରଭାବିତ ହେବ। ତେଣୁ କାଗଜପତ୍ରରେ ସୀମିତ ନରହି ପ୍ରଶାସନ ତୁରନ୍ତ କ୍ଷେତ୍ରସ୍ତରୀୟ ତଦନ୍ତ କରି ଚାଷୀଙ୍କ ପାଖରେ ପହଞ୍ଚିବା ଜରୁରୀ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ