ଶିଶୁଙ୍କ ହାତରେ ଶ୍ରମ ନୁହେଁ, କଲମ ଓ ପୁସ୍ତକ,ଶିଶୁଶ୍ରମମୁକ୍ତ ଖୋର୍ଦ୍ଧା ଗଠନ ଆମ ସମସ୍ତଙ୍କ ସଂକଳ୍ପ
ଖୋର୍ଦ୍ଧା, 26 ନଭେମ୍ବର (ହି.ସ.)- ଶିଶୁଶ୍ରମମୁକ୍ତ ଖୋର୍ଦ୍ଧା ଜିଲ୍ଲା ଗଠନ ଲକ୍ଷ୍ୟରେ ଚାଲିଥିବା ଅଭିଯାନକୁ ଆହୁରି ବ୍ୟାପକ ଓ ସୁଦୃଢ଼ କରିବା ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକରେ ସମର୍ଥନ ଜଣାଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପ୍ରକଳ୍ପ ନିର୍ଦ୍
Child


ଖୋର୍ଦ୍ଧା, 26 ନଭେମ୍ବର (ହି.ସ.)- ଶିଶୁଶ୍ରମମୁକ୍ତ ଖୋର୍ଦ୍ଧା ଜିଲ୍ଲା ଗଠନ ଲକ୍ଷ୍ୟରେ ଚାଲିଥିବା ଅଭିଯାନକୁ ଆହୁରି ବ୍ୟାପକ ଓ ସୁଦୃଢ଼ କରିବା ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକରେ ସମର୍ଥନ ଜଣାଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପ୍ରକଳ୍ପ ନିର୍ଦ୍ଦେଶକ (ପିଡି), ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ଓ ପ୍ରଶାସନ)ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ।ବୈଠକରେ ଶ୍ରମ ଓ ଇଏସଆଇ ବିଭାଗ ପକ୍ଷରୁ ଅକ୍ଟୋବର ୨ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଚାଲିଥିବା ୪୪ ଦିନିଆ ରାଜ୍ୟବ୍ୟାପୀ ଶିଶୁଶ୍ରମମୁକ୍ତ ଅଭିଯାନ ଅଧୀନରେ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା। ନୁକ୍କଡ଼ ନାଟକ, ପାଲା, ଦାସକାଠିଆ ଓ ପୋଷ୍ଟର ମାଧ୍ୟମରେ ଜନସଚେତନତା ସୃଷ୍ଟି ସହ ବିଭିନ୍ନ ଶିଳ୍ପାନୁଷ୍ଠାନ, ଇଟାଭାଟି, ହୋଟେଲ ଓ ଢାବାରେ ଯାଞ୍ଚ, ଚଢ଼ାଉ ଏବଂ ଶିଶୁଶ୍ରମ ନିରାକରଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଯାଇଥିଲା।ଓଡ଼ିଶାକୁ ୨୦୨୯ ସୁଦ୍ଧା ଶିଶୁଶ୍ରମମୁକ୍ତ କରିବାର ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହାସଲ ପାଇଁ କେବଳ ଶ୍ରମ ବିଭାଗ ନୁହେଁ, ବରଂ ଶିକ୍ଷା, ମହିଳା ଓ ଶିଶୁ ବିକାଶ, ପୋଲିସ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ସହିତ ଜନପ୍ରତିନିଧି ଓ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକର ସମନ୍ୱିତ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।୪୪ ଦିନିଆ ଅଭିଯାନ ସମାପ୍ତ ହୋଇଥିଲେ ମଧ୍ୟ ଶିଶୁଶ୍ରମ ନିରାକରଣର ପ୍ରୟାସ ଏଠାରେ ଶେଷ ହେବ ନାହିଁ। ଆଗାମୀ ଦିନରେ ବିଭିନ୍ନ ବିଭାଗ ମଧ୍ୟରେ ଆନ୍ତଃବିଭାଗୀୟ ସମନ୍ୱୟକୁ ଆହୁରି ମଜବୁତ କରି ନିୟମିତ ଯାଞ୍ଚ, ଶିଶୁଶ୍ରମିକ ଚିହ୍ନଟ ଓ ଉଦ୍ଧାର, ଶିଶୁଙ୍କ ପୁନର୍ବାସ ଏବଂ ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଦିଗରେ ମିଳିତ ଭାବେ ପଦକ୍ଷେପ ନିଆଯିବ। ଏଥିସହ ପଞ୍ଚାୟତ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଜନସଚେତନତା ଓ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯିବା ଉପରେ ମତ ପ୍ରକାଶ ପାଇଥିଲା।ଶିଶୁଶ୍ରମମୁକ୍ତ ଖୋର୍ଦ୍ଧା ଗଠନ ଏକ ବିଭାଗର ଦାୟିତ୍ୱ ନୁହେଁ, ଏହା ସମସ୍ତଙ୍କର ସାମୂହିକ ଦାୟିତ୍ୱ। ଏହି ଲକ୍ଷ୍ୟ ହାସଲ ପାଇଁ ସମସ୍ତ ବିଭାଗ, ଜନପ୍ରତିନିଧି ଓ ସାଧାରଣ ଜନତାଙ୍କ ମିଳିତ ପ୍ରୟାସ ଜାରି ରହିବ।ଶିଶୁଙ୍କ ହାତରେ ଶ୍ରମ ନୁହେଁ, କଲମ ଓ ପୁସ୍ତକ, ଶିଶୁଶ୍ରମମୁକ୍ତ ଖୋର୍ଦ୍ଧା ଗଠନ ଆମ ସମସ୍ତଙ୍କ ସଂକଳ୍ପ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande