
କେନ୍ଦୁଝର, ୨୬ ନଭେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଆଦିବାସୀ ପରମ୍ପରା ଓ ସ୍ଥାନୀୟ କଳାକୁ ଜାତୀୟ ସ୍ତରରେ ପରିଚିତ କରାଇବା ଉଦ୍ଦେଶ୍ୟରେ ଆଗାମୀ ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୬ର ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ଠାରେ ଅନୁଷ୍ଠିତ ହୋଇଥିଲା।
ବୈଠକରେ ମାନ୍ୟବର ସାଂସଦ, କେନ୍ଦୁଝର ଶ୍ରୀ ଅନନ୍ତ ନାୟକ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ, ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ହନୁମନ୍ତ ଧାମଧେରେ,, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଶ୍ରୀ ରବୀନ୍ଦ୍ର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କେନ୍ଦୁଝର କୁମାର ନାଗଭୂଷଣ, ଉପଜିଲ୍ଲାପାଳ କେନ୍ଦୁଝର ପୁଷ୍ପକ କୁମାର ପ୍ରଧାନ, ଉପଜିଲ୍ଲାପାଳ ଚମ୍ପୁଆ ସୁଭଦର୍ଶି ଯୋଶୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ନେହାଶିଷ ସାହୁଙ୍କ ସମେତ ଅନ୍ୟ ଜିଲ୍ଲା ଅଧିକାରୀମାନେ ଯୋଗଦେଇଥିଲେ। ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ସଞ୍ଜୀବ କୁମାର ବେହେରା ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଅନୁବ୍ରତ ବେହେରା ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲାର ବିବିଧ ସାଂସ୍କୃତିକ ଐତିହ୍ୟ, ଆଦିବାସୀ ପରମ୍ପରା ଓ ସ୍ଥାନୀୟ କଳାକାରମାନଙ୍କୁ ପ୍ରୋତ୍ସାହନ ଦେବାରେ ମହୋତ୍ସବର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ଗତ ବର୍ଷର ମହୋତ୍ସବର ଆୟୋଜନ ଓ ଅନୁଭୂତିକୁ ସମୀକ୍ଷା କରି ଚଳିତ ବର୍ଷ ଅଧିକ ଆକର୍ଷଣୀୟ, ସୁସଂଗଠିତ ଓ ସମାବେଶୀ ଭାବେ ମହୋତ୍ସବ ଆୟୋଜନ କରିବା ଉପରେ ମତାମତ ରଖାଯାଇଥିଲା।
ସାଂସଦ ଅନନ୍ତ ନାୟକ ମହୋତ୍ସବକୁ କେନ୍ଦୁଝରର ସାଂସ୍କୃତିକ ପରିଚୟ, ପରମ୍ପରା ଓ ପ୍ରତିଭାର ପ୍ରଦର୍ଶନ ପାଇଁ ଏକ ଉତ୍କୃଷ୍ଟ ମଂଚ ଭାବେ ଗଢ଼ି ତୋଳିବା ଉପରେ ଗୁରୁତ୍ୱ ଦେଇଥିଲେ। ମହୋତ୍ସବରେ ଜିଲ୍ଲାର ଆଦିବାସୀ ଓ ସ୍ଥାନୀୟ କଳା, ସଂସ୍କୃତି ଏବଂ ପରମ୍ପରାକୁ ଯଥୋଚିତ ସ୍ଥାନ ଦେବା ସହ ଏହାକୁ ଅଧିକ ଆକର୍ଷଣୀୟ ଓ ଲୋକାଭିମୁଖୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।
ସାଂସ୍କୃତିକ ଦଳ ଚୟନ ଓ କାର୍ଯ୍ୟକ୍ରମ ପରିଚାଳନା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବିଭିନ୍ନ ସଂସ୍ଥା ଓ ପ୍ରତିଷ୍ଠାନଙ୍କୁ ସାଂସ୍କୃତିକ ଦଳ ପ୍ରାୟୋଜନ କରିବା ପାଇଁ ଅନୁରୋଧ କରିବାକୁ ନିଷ୍ପତି ହୋଇଥିଲା। ବଲିଉଡ୍ ଓ ଓଲିଉଡର ପ୍ରତିଷ୍ଠିତ କଳାକାରଙ୍କ ସହ କେନ୍ଦୁଝରର ଆଦିବାସୀ ଓ ସ୍ଥାନୀୟ ଲୋକକଳାକାରମାନଙ୍କୁ ମଧ୍ୟ ମହୋତ୍ସବରେ ନିମନ୍ତ୍ରଣ କରିବା ଉପରେ ଆଲୋଚନା ହୋଇଥିଲା।
ମହୋତ୍ସବର ଆକର୍ଷଣ ବୃଦ୍ଧି ପାଇଁ ମିନି ମାରାଥନ୍, ସାଇକ୍ଲୋଥନ୍, ମସଲା ରାଲି, ଫୁଡ୍ କୋର୍ଟ, କବି ସମ୍ମିଳନୀ, ପୁସ୍ତକ ମେଳା, ଫୁଲ ସଜ୍ଜା, ବିଭିନ୍ନ ପ୍ରଦର୍ଶନୀ ଆଦି କାର୍ଯ୍ୟକ୍ରମ ଆୟୋଜନ ନେଇ ଆଲୋଚନା ହୋଇଥିଲା। ଏଥିସହ ଟେଂଟ, ମଂଚ, ଆଲୋକ ବ୍ୟବସ୍ଥା, ସୁରକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକୀୟ ଭିତିଭୂମି ପ୍ରସ୍ତୁତିର ସମୀକ୍ଷା କରାଯାଇ ସମ୍ପୃକ୍ତ ବିଭାଗଗୁଡ଼ିକୁ ଦାୟିତ୍ୱ ନିର୍ଦ୍ଧାରଣ କରିବା ଉପରେ ମତ ରଖାଯାଇଥିଲା।
ମହୋତ୍ସବ ସମୟରେ ସ୍ୱାସ୍ଥ୍ୟସେବା, ପରିମଳ, ପାନୀୟ ଜଳ, ପରିବହନ, କଳାକାର ଓ ଅତିଥିମାନଙ୍କ ରହଣି ତଥା ଖାଦ୍ୟ ବ୍ୟବସ୍ଥା ନେଇ ବ୍ୟାପକ ଆଲୋଚନା ହୋଇଥିଲା। ମହୋତ୍ସବ ପରିସର ଓ ଏହାର ଆଖପାଖ ଅଂଚଳରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦେବା, ନିୟମିତ ସଫେଇ, ଆବର୍ଜନା ପରିଚାଳନା ଏବଂ ସୁସ୍ଥ ପରିବେଶ ରକ୍ଷା କରିବା ଉପରେ ଜୋର ଦିଆଯାଇଥିଲା।
ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋର୍ଡିଂ ଓ ଫ୍ଲେକ୍ସ ସ୍ଥାପନ, ନିମନ୍ତ୍ରଣ କାର୍ଡ, ପ୍ରମାଣପତ୍ର, ପରିଚୟପତ୍ର ଓ ଯାନବାହନ ପାସ୍ ପ୍ରସ୍ତୁତି ସହ ମହୋତ୍ସବର ପ୍ରଚାର-ପ୍ରସାର ପାଇଁ ଯୋଜନା କରାଯାଇଥିଲା। ଏଥିସହ ଶ୍ରେଷ୍ଠ ପ୍ରଦର୍ଶନକାରୀ ଷ୍ଟଲ୍ଗୁଡ଼ିକୁ ସମ୍ମାନିତ କରିବା ଏବଂ ଟ୍ରଫି ଓ ସ୍ମାରକୀ ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା ହୋଇଥିଲା।
ମହୋତ୍ସବର ସମସ୍ତ କାର୍ଯ୍ୟକ୍ରମ ସୁଗମ ଓ ସମନ୍ୱିତ ଭାବେ ପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରିବାର ପ୍ରସ୍ତାବ ରଖାଯାଇଥିଲା। ବୈଠକରେ ଉପସ୍ଥିତ କେନ୍ଦୁଝରର ବୁଦ୍ଧିଜୀବୀ ଓ ଅନ୍ୟମାନଙ୍କଠାରୁ ମହୋତ୍ସବର ସଫଳ ଆୟୋଜନ ପାଇଁ ପରାମର୍ଶ ଗ୍ରହଣ କରାଯାଇଥିଲା। ବୈଠକକୁ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସାର୍ଥକ ରାୟ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA