ବଡ଼ମାଲ-ଖେରୁୱାଲ ରାସ୍ତାରେ ଭାରୀଯାନ ବେଆଇନ ପାର୍କିଂ, ସପ୍ତାହେ ପରେ ଚେତିଲା ପରିବହନ ବିଭାଗ
Illegal-parking-on-SH10-JHS
ବଡ଼ମାଲ-ଖେରୁୱାଲ ରାସ୍ତାରେ ଭାରୀଯାନ ବେଆଇନ ପାର୍କିଂ, ସପ୍ତାହେ ପରେ ଚେତିଲା ପରିବହନ ବିଭାଗ


ଶୁକ୍ରବାରଠାରୁ ଆରମ୍ଭ ହେବ ତଦନ୍ତ, ନିୟମ ଉଲ୍ଲଂଘନକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଝାରସୁଗୁଡ଼ା, ୨୬ ନଭେମ୍ବର (ହି.ସ.)- ବଡ଼ମାଲରୁ ଖେରୁୱାଲ ପର୍ଯ୍ୟନ୍ତ ରାଜ୍ୟ ରାଜପଥ ନମ୍ବର୧୦ କଡ଼ରେ ବେଆଇନ ଭାବେ ଭାରୀଯାନ ପାର୍କିଂ ଯୋଗୁଁ ଦିନକୁ ଦିନ ବଢ଼ୁଛି ଜନଅସନ୍ତୋଷ। ରାସ୍ତାର ଉଭୟପାର୍ଶ୍ୱରେ ଧାଡ଼ି ଧାଡ଼ି ହୋଇ ଟ୍ରକ୍ ଓ ଅନ୍ୟ ଭାରୀଯାନ ଛିଡ଼ା ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ୁଛି। ଏଭଳି ସ୍ଥିତିରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସପ୍ତାହେରୁ ଅଧିକ ସମୟ ବିତିବା ପରେ ଶେଷରେ ଆସନ୍ତା ଶୁକ୍ରବାରଠାରୁ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆରଟିଓ ସୂଚନା ଦେଇଛନ୍ତି।

ସମ୍ବଲପୁର, ବରଗଡ଼, ରାଉରକେଲା ସମେତ ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥରେ ପ୍ରତିଦିନ ହଜାର ହଜାର ଯାନବାହନ ଚଳାଚଳ କରିଥାଏ। ମାତ୍ର ରାସ୍ତାକଡ଼ରେ ଅନିୟନ୍ତ୍ରିତ ଭାବେ ଭାରୀଯାନ ପାର୍କିଂ କରାଯାଉଥିବାରୁ ଛୋଟ ଗାଡ଼ି ଓ ଦୁଇଚକିଆ ଯାନ ଚାଳକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିଯୋଗୁଁ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧି କରି ଝାରସୁଗୁଡ଼ା ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ବେଆଇନ ପାର୍କିଂ ରୋକିବା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ)ର ଧାରା ୧୫୨(୩) ଲାଗୁ କରିଥିଲେ। ଏଥିସହ ତୁରନ୍ତ ପଦକ୍ଷେପ ନେବାକୁ ଝାରସୁଗୁଡ଼ା ଆରଟିଓ ଗୌରହରି ହାଂସଦାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନିର୍ଦ୍ଦେଶ ଜାରି ହେବାର ସପ୍ତାହେରୁ ଅଧିକ ସମୟ ବିତିଥିଲେ ମଧ୍ୟ ଘଟଣାସ୍ଥଳରେ ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିବାରୁ ପରିବହନ ବିଭାଗର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି।

ଏ ସମ୍ପର୍କରେ ଆରଟିଓ ଗୌରହରି ହାଂସଦା କହିଛନ୍ତି ଯେ, ସମ୍ପୃକ୍ତ ଅଞ୍ଚଳରେ ଏକ ଘରୋଇ ସଂସ୍ଥାର କୋଲ୍ ସାଇଡିଂ ପରିବହନ କାର୍ଯ୍ୟ ଚାଲିଛି। ଏନେଇ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଡକାଇ ରାସ୍ତାକଡ଼ରେ ଗାଡ଼ି ନ ରଖିବାକୁ ତାଗିଦ୍ କରାଯାଇଥିଲା। ମାତ୍ର ଏହାକୁ ଅମାନ୍ୟ କରାଯାଉଥିବା ଅଭିଯୋଗ ରହିଛି। ଆସନ୍ତା ଶୁକ୍ରବାରଠାରୁ ପରିବହନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ତେବେ କେବଳ ତଦନ୍ତ ଓ ଚେତାବନୀରେ ସମସ୍ୟା ସମାଧାନ ନ ହୋଇ ବେଆଇନ ପାର୍କିଂକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ରାଜପଥକୁ ଅବରୋଧମୁକ୍ତ କରିବା ଜରୁରୀ ବୋଲି ମତପ୍ରକାଶ ପାଇଛି। ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ପାଇଁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ତୁରନ୍ତ ଓ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande