
ବଲାଙ୍ଗିର, ୨୬ ନଭେମ୍ବର (ହି.ସ.)- ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ୟୁ-୧୯ କୂଚବିହାର ଟ୍ରଫିର ମ୍ୟାଚ୍। ଓଡ଼ିଶା ଓ ଗୋଆ ଦଳ ମଧ୍ୟରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଗୋଆ ଦଳ ୬ଟି ୱିକେଟ୍ ହରାଇ ୧୯୫ ରନ ସଂଗ୍ରହ କରିଛି ।
ଆଜିର ମ୍ୟାଚରେ ଗୋଆ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଗୋଆ ପକ୍ଷରୁ ମୋହିତ ୟାଦବ ୬୦ ରନ କରି ଅପରାଜିତ ରହିଥିବାବେଳେ ସାଇ ରାଜେଶ ନାଏକ ୪୨ ରନ ଏବଂ ଆଫିଦ ରାଜ କନଭର ୩୮ ରନ ସଂଗ୍ରହ କରି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ ।
ଓଡ଼ିଶା ଦଳ ପକ୍ଷରୁ କମଲେସ ପାତ୍ର ଓ ସୁଭମ ରଞ୍ଜନ ପଲାଇ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।
ଏହି କ୍ରିକେଟ୍ ପ୍ରତିଯୋଗିତାର ଉଦଘାଟନୀ ସମାରୋହରେ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଲାଷ ଜୀ ଯୋଗଦେଇଥିଲେ। ଜିଲ୍ଲା କ୍ରୀଡା ସଂସଦର ଉପସଭାପତି କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ କ୍ରୀଡା ସଂସଦର ସମ୍ପାଦକ ହରିନାରାୟଣ ପୁଜାରୀ, କୋଷାଧ୍ୟକ୍ଷ ହେମନ୍ତ ବେହେରା, କ୍ରିକେଟ୍ ସମ୍ପାଦକ ଓମ ପ୍ରକାଶ ଚାନ୍ଦ, କ୍ରୀଡା ସମ୍ପାଦକ ବିଭୁତି ଭୂଷଣ ପଣ୍ଡା, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ ପାତ୍ର, କ୍ରୀଡା କାଉନସିଲର ସଦସ୍ୟ ପ୍ରଭାତ କୁମାର ମିଶ୍ର ଏବଂ ବରିଷ୍ଠ ସଦସ୍ୟ ସୁଧୀର ଚନ୍ଦ୍ର ପଣ୍ଡା, କ୍ରିକେଟ କୋଚ ଅରୁଣ ନାଏକ, ପୂର୍ବତନ ରଣଜୀ ଖେଳାଳି ସୁର୍ଯ୍ୟ ମିଶ୍ର ଓ ଶ୍ରୀକାନ୍ତ ରାଉତ ଉପସ୍ଥିତ ଥିଲେ ।
ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଏହି ଜାତୀୟ ସ୍ତରର ଯୁବ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ ହେବା ଜିଲ୍ଲାର କ୍ରୀଡା ପରିବେଶକୁ ଆହୁରି ସମୃଦ୍ଧ କରିବା ସହ ଯୁବ କ୍ରିକେଟରମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ସୁଯୋଗ ଦେଇଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ