ଶିଳ୍ପ ସଂସ୍ଥାରେ ଓଡ଼ିଆ ଯୁବକଙ୍କୁ ନିଯୁକ୍ତି ଦିଅ, କ୍ରୀଡ଼ାବିତ୍ଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରଖ : ବିଧାନସଭାରେ ଟଙ୍କଧରଙ୍କ ଦାବି
MLA demands for local employment
ଶିଳ୍ପ ସଂସ୍ଥାରେ ଓଡ଼ିଆ ଯୁବକଙ୍କୁ ନିଯୁକ୍ତି ଦିଅ, କ୍ରୀଡ଼ାବିତ୍ଙ୍କ ପାଇଁ ୧୦% ସଂରକ୍ଷଣ ରଖ: ବିଧାନସଭାରେ ଟଙ୍କଧରଙ୍କ ଦାବି


ଝାରସୁଗୁଡ଼ା, ୨୬ ନଭେମ୍ବର (ହି.ସ.)- ରାଜ୍ୟରେ ପ୍ରତିଷ୍ଠିତ ବିଭିନ୍ନ ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଓଡ଼ିଆ ଯୁବକଙ୍କୁ ନିଯୁକ୍ତିରେ ପ୍ରାଥମିକତା ଦେବା ସହ କ୍ରୀଡ଼ାବିତ୍ଙ୍କ ପାଇଁ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରିବାକୁ ବିଧାନସଭାରେ ଦାବି ଉଠାଇଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ଓଡ଼ିଶାରେ ବହୁ ସଂଖ୍ୟାରେ ଶିଳ୍ପ ସଂସ୍ଥା ଗଢ଼ିଉଠିଥିଲେ ମଧ୍ୟ ସେଥିରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବା ନେଇ ପୂର୍ବରୁ ଧାର୍ଯ୍ୟ ନିୟମର ସଠିକ୍ କାର୍ଯ୍ୟକାରିତା ହେଉନାହିଁ। ଶିଳ୍ପ ସଂସ୍ଥାଗୁଡ଼ିକରେ ଅଣକୁଶଳୀ ବର୍ଗରେ ୯୦ ପ୍ରତିଶତ, ଅର୍ଦ୍ଧକୁଶଳୀ ବର୍ଗରେ ୬୦ ପ୍ରତିଶତ ଏବଂ କୁଶଳୀ ବର୍ଗରେ ୩୦ ପ୍ରତିଶତ ଓଡ଼ିଆ ଯୁବକଙ୍କ ନିଯୁକ୍ତି ପାଇଁ ବ୍ୟବସ୍ଥା ରହିଛି। ମାତ୍ର ଏହି ନିୟମକୁ ଅନେକ କ୍ଷେତ୍ରରେ ଠିକ୍ ଭାବେ ପାଳନ କରାଯାଉନାହିଁ। ତେଣୁ ଏହି ନିଯୁକ୍ତି ନିୟମକୁ କଡ଼ାକଡ଼ି ଲାଗୁ କରିବା ସହ ଆବଶ୍ୟକ ପଡ଼ିଲେ ନୂତନ ଆଇନ ପ୍ରଣୟନ କିମ୍ବା ଆଇନରେ ସଂଶୋଧନ ଆଣିବାକୁ ସେ ଦାବି କରିଛନ୍ତି। ଏହାଦ୍ୱାରା ରାଜ୍ୟର ଯୋଗ୍ୟ ଓ ବେକାର ଯୁବକମାନେ ନିଜ ଯୋଗ୍ୟତା ଅନୁଯାୟୀ ଶିଳ୍ପ ସଂସ୍ଥାରେ ନିଯୁକ୍ତି ସୁଯୋଗ ପାଇପାରିବେ ବୋଲି ସେ ମତ ରଖିଥିଲେ।

ଏଥିସହିତ ରାଜ୍ୟ ଓ ଜାତୀୟସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା କ୍ରୀଡ଼ାବିତ୍ଙ୍କ ନିଯୁକ୍ତି ପାଇଁ ଶିଳ୍ପ ସଂସ୍ଥାଗୁଡ଼ିକରେ ଅତିକମ୍ ରେ ୧୦ ପ୍ରତିଶତ ସଂରକ୍ଷଣ ରଖିବାକୁ ଶ୍ରୀ ତ୍ରିପାଠୀ ଦାବି କରିଥିଲେ। ରାଜ୍ୟର ଯୁବଶକ୍ତି ଓ କ୍ରୀଡ଼ା ପ୍ରତିଭାଙ୍କୁ ଉପଯୁକ୍ତ ସୁଯୋଗ ଦେବା ଦିଗରେ ସରକାର ଗୁରୁତ୍ୱର ସହ ବିଚାର କରିବା ସହ ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande