ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ‘ସଖୀ’–ୱାନ୍ ଷ୍ଟପ୍ ସେଣ୍ଟରର କାର୍ଯ୍ୟ ଓ ଭୂମିକା ଉପରେ ଆଲୋଚନା
କେନ୍ଦୁଝର, 26 ନଭେମ୍ବର (ହି.ସ.) - ମହିଳାଙ୍କ ବିରୋଧରେ ହେଉଥିବା ବିଭିନ୍ନ ଅପରାଧ ଓ ହିଂସା ଘଟଣାରେ ପୀଡ଼ିତାଙ୍କୁ ତୁରନ୍ତ ସୁରକ୍ଷା, ଆବଶ୍ୟକ ସହାୟତା ଓ ଆଇନଗତ ସହଯୋଗ ଗୋଟିଏ ସ୍ଥାନରେ ଯୋଗାଇଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ‘ସଖୀ–ୱାନ୍ ଷ୍ଟପ୍ ସେଣ୍ଟର’ ମାଧ୍ୟମରେ ପୀଡ଼ିତାମାନଙ୍କ
Sakhi one


କେନ୍ଦୁଝର, 26 ନଭେମ୍ବର (ହି.ସ.) - ମହିଳାଙ୍କ ବିରୋଧରେ ହେଉଥିବା ବିଭିନ୍ନ ଅପରାଧ ଓ ହିଂସା ଘଟଣାରେ ପୀଡ଼ିତାଙ୍କୁ ତୁରନ୍ତ ସୁରକ୍ଷା, ଆବଶ୍ୟକ ସହାୟତା ଓ ଆଇନଗତ ସହଯୋଗ ଗୋଟିଏ ସ୍ଥାନରେ ଯୋଗାଇଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ‘ସଖୀ–ୱାନ୍ ଷ୍ଟପ୍ ସେଣ୍ଟର’ ମାଧ୍ୟମରେ ପୀଡ଼ିତାମାନଙ୍କୁ ସମସ୍ତ ଆବଶ୍ୟକ ସେବା ଓ ସହାୟତା ଯୋଗାଇଦେବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ଜାତୀୟ ମହିଳା ଆୟୋଗ, ନୂଆଦିଲ୍ଲୀଙ୍କ ପକ୍ଷରୁ ଓଡ଼ିଶା ରାଜ୍ୟ ମହିଳା ଆୟୋଗ, ଭୁବନେଶ୍ୱରଙ୍କ ସହଯୋଗରେ ‘ସଖୀ–ୱାନ୍ ଷ୍ଟପ୍ ସେଣ୍ଟର’ର କାଉନସେଲର, କେସ୍ ୱାର୍କର ଓ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ବୃତ୍ତିଗତମାନଙ୍କ ପାଇଁ ଜିଲ୍ଲାସ୍ତରୀୟ କ୍ଷମତା ବିକାଶ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଆଜି କେନ୍ଦୁଝରଠାରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସମନ୍ୱୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ଠାରେ ଅନୁଷ୍ଠିତ ହୋଇଛି।

ଏହି ଅବସରରେ ଜିଲ୍ଲାପାଳ ମହିଳାଙ୍କ ବିରୋଧରେ ଅପରାଧ ହାର ଓ ସଖୀ କେନ୍ଦ୍ରର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ତଥ୍ୟ ଅନୁଯାୟୀ, ମହିଳାଙ୍କ ବିରୋଧରେ ଅପରାଧ ହାରରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନରେ ରହିଛି, ଯାହା ଏକ ଚିନ୍ତାର ବିଷୟ। ଏଭଳି ପରିସ୍ଥିତିରେ ସମସ୍ୟା ଓ ନିର୍ଯାତନାର ସମ୍ମୁଖୀନ ହେଉଥିବା ମହିଳାମାନଙ୍କ ପାଇଁ ସଖୀ କେନ୍ଦ୍ର ଏକ ଭରସାର ସ୍ଥାନ ଭାବେ କାର୍ଯ୍ୟ କରୁଛି।

ହିଂସା କିମ୍ବା ଅପରାଧର ଶିକାର ହେଉଥିବା ମହିଳାମାନେ ଯେପରି ବିଭିନ୍ନ କାର୍ଯ୍ୟାଳୟକୁ ଦୌଡ଼ି ହଇରାଣ ନହୁଅନ୍ତି, ସେଥିପାଇଁ ସଖୀ କେନ୍ଦ୍ରକୁ ଏକକ ସହାୟତା କେନ୍ଦ୍ର ଭାବେ କାର୍ଯ୍ୟକ୍ଷମ କରାଯାଇଛି। ଏଠାରେ ପୋଲିସ ସହାୟତା, ଡାକ୍ତରୀ ଚିକିତ୍ସା, ଆଇନଗତ ପରାମର୍ଶ, ମନସ୍ତାତ୍ତ୍ୱିକ କାଉନସେଲିଂ ଏବଂ ସାମୟିକ ଆଶ୍ରୟ ଭଳି ସମସ୍ତ ସୁବିଧା ବିଭିନ୍ନ ବିଭାଗର ସମନ୍ୱୟରେ ଗୋଟିଏ ଛାତ ତଳେ ଯୋଗାଇ ଦିଆଯାଉଛି। ପୀଡ଼ିତାମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ପ୍ରଦାନ କରିବା ସହ ସେମାନଙ୍କ ଅଧିକାର ଓ ସଖୀ କେନ୍ଦ୍ରରେ ଉପଲବ୍ଧ ସେବା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସଖୀ–ୱାନ୍ ଷ୍ଟପ୍ ସେଣ୍ଟର’ର କାର୍ଯ୍ୟକାରିତା ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମହିଳାଙ୍କ ବିରୋଧରେ ହିଂସା ଓ ନିର୍ଯାତନାର ଶିକାର ପୀଡ଼ିତାମାନଙ୍କୁ ଆଇନଗତ, ଚିକିତ୍ସା ଓ ଅନ୍ୟାନ୍ୟ ଆବଶ୍ୟକ ସହାୟତା ଯୋଗାଇଦେବା ସହ ସେମାନଙ୍କୁ ପୁନର୍ବାର ସମାଜର ମୁଖ୍ୟସ୍ରୋତରେ ସମ୍ମାନର ସହ ଜୀବନଯାପନ କରିବାର ସୁଯୋଗ ପ୍ରଦାନ କରୁଥିବା ସଖୀ କେନ୍ଦ୍ରର ଏହି ପଦକ୍ଷେପ ଗର୍ବର ବିଷୟ ବୋଲି ସେ କହିଥିଲେ।

ପୀଡ଼ିତାଙ୍କ ସୁରକ୍ଷା, ମାନସିକ ସ୍ଥିରତା ଓ ପୁନର୍ବାସ ଉପରେ ଗୁରୁତ୍ୱ ଦେବା ସହ କାର୍ଯ୍ୟକ୍ଷେତ୍ରରେ ମହିଳାମାନେ ଯୌନ ଉତ୍ପୀଡ଼ନର ଶିକାର ହେଲେ ସେମାନଙ୍କୁ ଉପଯୁକ୍ତ ସହାୟତା ଓ ଆଇନଗତ ସହଯୋଗ ପ୍ରଦାନ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ପୀଡ଼ିତାମାନେ କିପରି ମାଗଣା ଆଇନଗତ ପରାମର୍ଶ ଓ ସହାୟତା ପାଇପାରିବେ, ସେ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ।

ପ୍ରଶିକ୍ଷଣରେ ସମ୍ବଳ ବ୍ୟକ୍ତିମାନେ ମହିଳାଙ୍କ ସୁରକ୍ଷା ପାଇଁ ପୋଲିସର ତ୍ୱରିତ ଓ ପ୍ରଭାବଶାଳୀ ପ୍ରତିକ୍ରିୟା, ପୀଡ଼ିତାଙ୍କୁ ତୁରନ୍ତ ସୁରକ୍ଷା ଏବଂ ଆଇନଗତ ଅଧିକାର ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ଘରୋଇ ହିଂସା, ମାନସିକ ନିର୍ଯାତନା ଓ ଅନ୍ୟାନ୍ୟ ହିଂସାର ଶିକାର ହେଉଥିବା ମହିଳାମାନଙ୍କ ମାନସିକ ପୀଡ଼ାକୁ ଦୂର କରି ସେମାନଙ୍କୁ ନୂତନ ଜୀବନ ଦିଗରେ ଆଗେଇ ନେବାରେ ସଖୀ କେନ୍ଦ୍ରର କର୍ମୀମାନେ ସହାୟକ ଓ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିପାରିବେ। ସେମାନଙ୍କ ସହାନୁଭୂତି, ସମ୍ବେଦନଶୀଳତା ଓ ସହଯୋଗ ଜଣେ ପୀଡ଼ିତାଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ ବୋଲି ସେମାନେ କହିଥିଲେ।

ହିଂସା ସମ୍ପର୍କିତ ଘଟଣାରେ ଆବଶ୍ୟକ ପ୍ରମାଣ ସଂଗ୍ରହ ଓ ସଂରକ୍ଷଣ, ପ୍ରଯୁଜ୍ୟ ଆଇନର ବ୍ୟବହାର ଏବଂ ପୀଡ଼ିତାଙ୍କ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା ରହିବା ଆବଶ୍ୟକ। ବୈବାହିକ ଜୀବନରେ ମତଭେଦ କିମ୍ବା ଅଶାନ୍ତି ସହ ନିର୍ଯାତନାର ସମ୍ମୁଖୀନ ହେଉଥିବା ମହିଳାମାନଙ୍କ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ଆଇନଗତ ବ୍ୟବସ୍ଥା ଅନୁଯାୟୀ ସହାୟତା ପ୍ରଦାନ କରାଯାଇପାରିବ। ମାନବିକ ଅଧିକାର ଓ ମହିଳାଙ୍କ ସମ୍ମାନକୁ ସୁରକ୍ଷିତ ରଖିବା ସହ ଅସହାୟତାର ସୁଯୋଗ ନେଇ ଅପରାଧ ଘଟାଇବାର ପରିସ୍ଥିତିକୁ ରୋକିବା ଆମ ସମସ୍ତଙ୍କ ଦାୟିତ୍ୱ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଓଡ଼ିଶା ରାଜ୍ୟ ମହିଳା ଆୟୋଗର ସଦସ୍ୟା ଶ୍ରୀମତୀ ପ୍ରତିଭା ଶତପଥୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଭାନୁମତୀ ବେହେରା ଏବଂ କେନ୍ଦୁଝର ସଦରର ପ୍ରୋଜେକ୍ଟ ଅଫିସର (ପିଓ) ଶ୍ରୀମତୀ ଚୂଲେଶ୍ୱରୀ ପଟେଲ ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ରିସୋର୍ସ ପର୍ସନ ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପ୍ରଧାନ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆଇନଜୀବୀ ଶ୍ରୀ ଦୁଷ୍ମନ୍ତ ଜେନା ଏବଂ ବିଶେଷଜ୍ଞ ମନୋଚିକିତ୍ସକ ଡା. ନିରଞ୍ଜନ ରଥ ଯୋଗଦେଇ ଉପସ୍ଥିତ ପ୍ରତିନିଧିମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟର ୧୫ଟି ଜିଲ୍ଲାରୁ ଆସିଥିବା ମେଡିକାଲ ସମନ୍ୱୟକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande