
କେନ୍ଦୁଝର, ୨୬ ନଭେମ୍ବର (ହି.ସ.) - ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଦିନ ନରଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚମ୍ପୁଆ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ‘ସରଗିଫୁଲ-୨୦୨୬’ ଓ ବିଜ୍ଞାନମେଳା ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଥିଲା।
ଏହି ଉତ୍ସବରେ କେନ୍ଦୁଝରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଲିକ ମୁଖ୍ୟ ଅତିଥି ଭାବେ, ଚମ୍ପୁଆ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ ସଭାପତି ଭାବେ ଏବଂ କେନ୍ଦୁଝର ଡି.ଡି. ମହାବିଦ୍ୟାଳୟର ସହକାରୀ ଅଧ୍ୟାପକ ସୁମନ୍ତ କୁମାର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ବାଂଶପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜା ରଣଜିତ ପ୍ରତାପ ବଳ, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ତଥା ଜିଲ୍ଲା ନିରୀକ୍ଷକ ଶ୍ରୀ ଜୟନ୍ତ ସାମନ୍ତସିଂହାର, ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ସୁନାରାମ ସିଂହ, ସଦର ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଚେତା ମିଶ୍ର ଏବଂ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅପରିମିତା ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜସ୍ୱ ଅଭିଭାଷଣ ମାଧ୍ୟମରେ ଶିଶୁମାନଙ୍କ ପ୍ରତିଭା ବିକାଶ ଓ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ସୁଆକାଟି ବାଳିକା ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ମନୋମୁଗ୍ଧକର ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନୀତା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଜ୍ଞାନମେଳାରେ ମୋଟ ୨୪ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଛାତ୍ରଛାତ୍ରୀମାନେ ନିଜ ନିଜର ସୃଜନଶୀଳତା, ନୂତନ ଚିନ୍ତାଧାରା ଓ ବୈଜ୍ଞାନିକ ମନୋଭାବର ପରିଚୟ ଦେଇଥିଲେ।
ସାହାରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ରାଜେନ୍ଦ୍ର କୁମାର ଜଗତ ଏବଂ ମାଠକବେଡ଼ା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ବିନୋଦ କୁମାର ତଂଟି ମଂଚ ପରିଚାଳନା କରିଥିଲେ। ମଂଚ ପରିଚାଳନା ସମୟରେ ଡକ୍ଟର ଜଗତ ବିଭିନ୍ନ ସମ୍ବଲପୁରୀ ଢଗଢମାଳି, ଲୋକକଥା ଓ ହାସ୍ୟରସାତ୍ମକ ଉପସ୍ଥାପନା ମାଧ୍ୟମରେ ଉପସ୍ଥିତ ଅତିଥି, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ବିମୋହିତ କରିଥିଲେ। ତାଙ୍କର ଏହି ନିଆରା ଉପସ୍ଥାପନା ଉତ୍ସବରେ ଏକ ସ୍ୱତନ୍ତ୍ର ଆକର୍ଷଣ ସୃଷ୍ଟି କରିଥିଲା।
କାର୍ଯ୍ୟକ୍ରମ ଶେଷରେ ମୁକ୍ତାପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଧନ୍ୟରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ମହୋତ୍ସବକୁ ସଫଳ ଓ ସୁବ୍ୟବସ୍ଥିତ କରିବାରେ ସୁଆକାଟି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକାଶ କୁମାର ଶତପଥୀ, ରାଇଡିହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କିଶୋର ରାଉତ, ନରଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କୁମାର ସାହୁ, ଖୁଂଟାପଡ଼ା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲକ୍ଷ୍ମୀଧର ସାହୁ, ଲାଲମୋହନ ସର୍ଦ୍ଦାର, କୃଷ୍ଣାଞ୍ଜନ ଆଚାର୍ଯ୍ୟ, ଶ୍ରୀ ନିଶିକାନ୍ତ କିସ୍କୁଙ୍କ ସମେତ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ଥିଲା।
ଏହି ମହୋତ୍ସବରେ ଯୋଡ଼ା, ବାଂଶପାଳ, ଝୁମ୍ପୁରା ଓ ଚମ୍ପୁଆ ବ୍ଲକ୍ର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଉତ୍ସାହ ଓ ଉଦ୍ଦୀପନାର ସହ ଅଂଶଗ୍ରହଣ କରିଥିଲେ। ଏହା ମାଧ୍ୟମରେ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ, ବୈଜ୍ଞାନିକ ଚିନ୍ତାଧାରାର ପ୍ରସାର ଏବଂ ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ନିମନ୍ତେ ଏକ ଉତ୍କୃଷ୍ଟ ମଂଚ ସୃଷ୍ଟି ହୋଇଥିଲା।
ସୂଚନାଯୋଗ୍ୟ ଯେ, ଏହି ଶିଶୁ ମହୋତ୍ସବର ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ ପରିବେଷଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରାତି ୯ଟା ପର୍ଯ୍ୟନ୍ତ ଜାରି ରହିବ।
‘ସରଗିଫୁଲ’ କେବଳ ଏକ ଉତ୍ସବ ନୁହେଁ, ବରଂ ଆଦିବାସୀ ଶିଶୁମାନଙ୍କ ସ୍ୱପ୍ନ, ସୃଜନଶୀଳତା, ପ୍ରତିଭା ଓ ଆତ୍ମବିଶ୍ୱାସକୁ ଉଜ୍ଜୀବିତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଏକ ମହତ୍ୱପୂର୍ଣ୍ଣ ପ୍ରୟାସ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA