

ବଲାଙ୍ଗିର, ୨୬ ନଭେମ୍ବର (ହି.ସ.)- ବିର୍ସା ମୁଣ୍ଡା କେବଳ ଜନଜାତିଙ୍କ ସାହସ, ବୀରତ୍ୱ ଓ ଆସ୍ଥାର ପ୍ରତୀକ ନଥିଲେ ବରଂ ସମଗ୍ର ଭାରତର ଜଣେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଥିଲେ | ମାତ୍ର ୨୫ ବର୍ଷର ଜୀବନ କାଳରେ ନିଜ ଜମି, ଜଳ ଓ ଜଙ୍ଗଲ ତଥା ଲୋକଙ୍କ ସ୍ୱାର୍ଥ ପାଇଁ ଜୀବନ ଦେଇଥିଲେ | ଇଂରେଜ୍ ଉପନିବେଶର ପ୍ରତିରୋଧ, ସାହୁକାରମାନଙ୍କ ଶୋଷଣକୁ ବିରୋଧ ଥିଲା ତାଙ୍କ ସଂଗ୍ରାମର ଫଳ | ଆବୁଆ ଡିଶୁମ୍ ଆବୁଆ ରାଜ୍ ର (ଆମରି ଦେଶ ଆମରି ଶାସନ) ନାରାଦେଇ ଗରିଲା ଯୁଦ୍ଧର ଉଲଗୁଲାନ ଦେଇଥିଲେ | ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ଆଜି ଇତିହାସ ବିଭାଗ ଦ୍ୱାରା ଆୟୋଜିତ ବିର୍ସା ମୁଣ୍ଡାଙ୍କ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା, ଯାହାର ଶୀର୍ଷକ ଥିଲା 'ବିର୍ସା ମୁଣ୍ଡା: ଜନଜାତିଙ୍କ ଗର୍ବର ପ୍ରତୀକ ଓ ଜାତିୟ ଚେତନା'| ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. କୌତୁକ ପନ୍ଦର ସଭାପତିତ୍ୱ କରି ବିର୍ସା ମୁଣ୍ଡାଙ୍କ ଜୀବନୀ ଓ ସଂଗ୍ରାମ ଆଜିବି କାହିଁକି ପ୍ରାସଙ୍ଗିକ ବକ୍ତ୍ତବ୍ୟ ଦେଇ ଆଲୋଚନାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ପ୍ରାଧ୍ୟାପକ ଡଃ. ଶିବପ୍ରସାଦ ନନ୍ଦ ଅତିଥି ଆଲୋଚକ ଭାବରେ ଯୋଗଦେଇ ଦେଶ ପାଇଁ ବିର୍ସାଙ୍କ ଅବଦାନ ସମ୍ପର୍କରେ ବାକ୍ତବ୍ୟ ରଖିବା ସହ ତତ୍କାଳୀନ ସମୟଖଣ୍ଡର ଆର୍ଥିକ ସାମାଜିକ ଓ ରାଜନୀତିକ ପୃଷ୍ଠଭୂମି ବିଷୟରେ ସୂଚନା ଦେଇଥିଲେ |
ବିଭାଗର ଛାତ୍ର ଗୋବିନ୍ଦ ବାରିକ, ଶଶାଙ୍କ ଶେଖର ଦାସ, ଆଶିଷ କୁମାର ବେହେରା ଓ ଛାତ୍ରୀ ସାରିକା ଭୁଏ ନିଜ ନିଜର ପ୍ରବନ୍ଧ ଉପସ୍ଥାପନ କରିଥିଲେ | ବିଭାଗ ମୁଖ୍ୟ ଡ଼. ରମଣୀ ନାଏକ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ଅର୍ପିତା ପରିଚ୍ଛା ଓ ଦେବାଶିଷ ବେରୁକ୍ ସଭା ପରିଚାଳନା କରିଥିଲେ | ଅଧ୍ୟାପକ ସୁବେର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ|ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଯୋଗଦେଇଥିଲେ |
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ