
ଛଅ ଦିନ ପରେ ବି ସରକାରଙ୍କ ନିରବତା, ଗଣଧାରଣାରେ ତେଜୁଛି ଜନଅସନ୍ତୋଷ
ଝାରସୁଗୁଡା, ୨୬ ନଭେମ୍ବର (ହି.ସ.)- କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଓ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ସ୍ଥିତିକୁ ନେଇ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସ୍ୱାସ୍ଥ୍ୟକେନ୍ଦ୍ରରେ ମଞ୍ଜୁରିପ୍ରାପ୍ତ ୨୨ଟି ଡାକ୍ତର ପଦବୀ ମଧ୍ୟରୁ ୧୪ଟି ଖାଲି ପଡ଼ିଥିବା ବେଳେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଚିକିତ୍ସାସେବାକୁ ଆହୁରି ପ୍ରଭାବିତ କରୁଛି। ଏହାର ପ୍ରତିବାଦରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଆରମ୍ଭ ହୋଇଥିବା ଆଠ ଦିନିଆ ଗଣଧାରଣା ବୁଧବାର ଷଷ୍ଠ ଦିନରେ ପହଞ୍ଚିଛି। ଦୀର୍ଘ ଛଅ ଦିନ ଧରି ଆନ୍ଦୋଳନ ଚାଲିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବାରୁ ଆନ୍ଦୋଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ପରିଷଦ ପକ୍ଷରୁ ଉପସ୍ଥାପିତ ପାଞ୍ଚ ଦଫା ଦାବି ମଧ୍ୟରେ ଖାଲି ପଡ଼ିଥିବା ଡାକ୍ତର ଓ ଅନ୍ୟ କର୍ମଚାରୀ ପଦବୀ ପୂରଣ, ପର୍ଯ୍ୟାପ୍ତ ଔଷଧ ଯୋଗାଣ ଏବଂ ଆବଶ୍ୟକ ଚିକିତ୍ସା ଉପକରଣ ଉପଲବ୍ଧ କରାଇବା ଆଦି ପ୍ରମୁଖ ଦାବି ରହିଛି।
ଷଷ୍ଠ ଦିନର ଧାରଣାରେ ସମନ୍ୱିତ ଆଦିବାସୀ ସମାଜ ସୋଡ଼ାମାଳ କମିଟିର ସଭାନେତ୍ରୀ ପଦ୍ମିନୀ ମୁଣ୍ଡା, ସାଧାରଣ ସମ୍ପାଦକ ତପନ କଲୋ ଓ ଉପଦେଷ୍ଟା ପ୍ରେମସାଗର ଧୁରୁଆଙ୍କ ସମେତ ଶୋଭାରାମ, ଜୟ ମୋହନ ମୁଣ୍ଡା, ଚିତେଶ୍ୱର ପଟେଲ, ଜୟମଙ୍ଗଳ ଲୁହା, ସହାଦେବ ବାଗ ଓ ପଦ୍ମାବତୀ ବାଳୁଆ ନେତୃତ୍ୱ ନେଇଥିଲେ।
ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ କୋଲାବିରା ଜିଲ୍ଲା ପରିଷଦ ସଭ୍ୟ ନୃପଲାଲ ପଶାୟତ, ରଘୁନାଥପାଲି ସରପଞ୍ଚ ରଞ୍ଜନ ସରାଫ ଓ ଜମିଦାର ରୁଦ୍ର ପ୍ରତାପ ସିଂ ନାଏକ ଧାରଣାସ୍ଥଳରେ ପହଞ୍ଚିଥିଲେ। ପରିଷଦର ଉପଦେଷ୍ଟା ସୁମନ୍ତ ଶେଖର ବୋହିଦାର, ସଭାପତି ଜିତେନ୍ଦ୍ରୀୟ ଧୁରୁଆ, ସମ୍ପାଦକ ପ୍ରଶାନ୍ତ ମହାନନ୍ଦିଆଙ୍କ ସମେତ ରୁକ୍ମଣ ମରେଇ, ଖଗେଶ୍ୱର ସେଟ, ଅଜୟ ବିଶ୍ୱାଳ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ଆନ୍ଦୋଳନକାରୀଙ୍କ ସୂଚନା ଅନୁଯାୟୀ, ଆସନ୍ତା ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୧୧ଟାରୁ ଅପରାହ୍ନ ୪ଟା ଯାଏଁ ଏହି ଗଣଧାରଣା ଜାରି ରହିବ। ସ୍ୱାସ୍ଥ୍ୟକେନ୍ଦ୍ରରେ ଉନ୍ନତ ଚିକିତ୍ସାସେବା ଓ ଖାଲି ପଦବୀ ପୂରଣ ନେଇ ସରକାର କେବେ ଠୋସ୍ ପଦକ୍ଷେପ ନେଉଛନ୍ତି, ତାହାକୁ ଏବେ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ