
ମାଲକାନଗିରି , ୨୬ ନଭେମ୍ବର (ହି.ସ.) - ସରକାରୀ ଚାକିରିରେ ଗୋଟିଏ ସ୍ଥାନରେ କେତେ ବର୍ଷ ରହିହେବ? ନିୟମ ଅନୁସାରେ ସମୟ ସମୟରେ ବଦଳି ହେବା କଥା। ହେଲେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ର ଜଳ ଓ ପରିମଳ ବିଭାଗରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର। ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟ କରିଆସୁଥିବା ଜଣେ ସହକାରୀ ଯନ୍ତ୍ରୀଙ୍କ ବଦଳି ନିର୍ଦ୍ଦେଶ ଜାରି ହୋଇଥିଲେ ମଧ୍ୟ ଏଯାଏଁ ତାଙ୍କୁ ରିଲିଭ୍ କରାଯାଇନାହିଁଏହାକୁ ନେଇ ମାଥିଲିରେ ଚର୍ଚ୍ଚା ଜୋର୍ ଧରିଛି ।
ଏହି ଅଧିକାରୀ ହେଉଛନ୍ତି ନୁନାରାମ ବାସ୍କି । ୨୦୧୧ରେ ସେ ମାଥିଲିରେ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ୨୦୨୩ରେ ସେହି ମାଥିଲିରେ ହିଁ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ। ଅର୍ଥାତ୍ ନିଯୁକ୍ତିଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ହିଁ କାର୍ଯ୍ୟ କରିଆସୁଛନ୍ତି ।
ତେବେ ତାଙ୍କ କାର୍ଯ୍ୟଶୈଳୀକୁ ନେଇ ଅତୀତରେ ଅନେକ ଅଭିଯୋଗ ହୋଇଥିବା କୁହାଯାଉଛି। ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ ମଧ୍ୟ ଉଠିଛି । ଏତେସବୁ ଅଭିଯୋଗ ସତ୍ୱେ ତାଙ୍କ ବଦଳି କାହିଁକି ହୋଇନଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଚଳିତ ବର୍ଷ ଅକ୍ଟୋବର ୧୬ ତାରିଖରେ ପ୍ରଥମ ଥର ପାଇଁ ତାଙ୍କର ଜିଲ୍ଲାସ୍ତରୀୟ ବଦଳି ନିର୍ଦ୍ଦେଶ ଜାରି ହୋଇଥିଲା । ଏନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ମଧ୍ୟ ପ୍ରକାଶ ପାଇଥିଲା। କିନ୍ତୁ ନିର୍ଦ୍ଦେଶ ଜାରି ହେବାର ମାସେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ନୁନାରାମଙ୍କୁ ଏଯାଏଁ କାର୍ଯ୍ୟସ୍ଥଳୀରୁ ରିଲିଭ୍ କରାଯାଇନାହିଁ ।
ଏବେ ପ୍ରଶ୍ନ ଉଠୁଛି, ବଦଳି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାରେ ବିଳମ୍ବ କାହିଁକି? କାହା ଚାପରେ ଅଟକିଛି ନିର୍ଦ୍ଦେଶ? ଦୀର୍ଘ ବର୍ଷ ଧରି ଗୋଟିଏ ସ୍ଥାନରେ ରହିବା ପଛରେ କାହାର ସମର୍ଥନ ରହିଛି? ଏଭଳି ଅନେକ ପ୍ରଶ୍ନ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏବେ ଦେଖିବାର କଥା, ବଦଳି ନିର୍ଦ୍ଦେଶ କେବେ କାର୍ଯ୍ୟକାରୀ ହେଉଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ