
ଜୟପୁର, ୨୬ ନଭେମ୍ବର (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରରେ ଆଜି ଜାତୀୟ ସମ୍ବିଧାନ ଦିବସ ଉତ୍ସାହ ଓ ଗାମ୍ଭୀର୍ଯ୍ୟର ସହ ପାଳିତ ହୋଇଯାଇଛି। ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆୟୋଜିତ ଏହି ସମାରୋହରେ ନବରଙ୍ଗପୁରର ଲୋକସଭା ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତି ଅଧ୍ୟକ୍ଷତା କରିଥିଲେ।ପ୍ରାରମ୍ଭରେ ମହେଶ୍ୱର ଦୁରିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ବିଧାନର ପ୍ରସ୍ତାବନା ପାଠ, ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଓ ଛାତ୍ରଛାତ୍ରୀଙ୍କ ଅଭିଭାଷଣ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ନିଜ ଅଭିଭାଷଣରେ କୁଳସଚିବ ମହେଶ୍ୱର ଚନ୍ଦ୍ର ନାୟକ ନାଗରିକଙ୍କ ମୌଳିକ କର୍ତ୍ତବ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡଃ. ପ୍ରଶାନ୍ତ କୁମାର ପାତ୍ର ନାଗରିକଙ୍କ ମୌଳିକ ଅଧିକାର ଓ ତାହାର ସାମ୍ବିଧାନିକ ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ। କୁଳପତି ପ୍ରଫେସର ସେନାପତି ରାଜନୈତିକ ଗଣତନ୍ତ୍ର ଓ ସାମାଜିକ-ଆର୍ଥିକ ଗଣତନ୍ତ୍ର ମଧ୍ୟରେ ରହିଥିବା ବ୍ୟବଧାନ ହ୍ରାସ କରିବାରେ ଶିକ୍ଷାର ଭୂମିକାକୁ ଗୁରୁତ୍ୱ ଦେଇଥିଲେ। ମୁଖ୍ୟ ଅତିଥି ବଳଭଦ୍ର ମାଝୀ ସମ୍ବିଧାନର ମହତ୍ତ୍ୱକୁ ନାଗରିକଙ୍କ ଦୈନନ୍ଦିନ ଜୀବନ, ଅଧିକାର ଓ ଭବିଷ୍ୟତ ସହ ଯୋଡ଼ି ବ୍ୟାଖ୍ୟା କରିଥିଲେ। ଛାତ୍ର ସଂସଦର ସଭାପତି ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ଛାତ୍ର ନେତୃତ୍ୱର ପ୍ରାସଙ୍ଗିକତା ଓ ଗଣତାନ୍ତ୍ରିକ ଚେତନା ବିକାଶରେ ଏହାର ଭୂମିକା ଉପରେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ଅରୁଣ ମିଶ୍ର ଓ କୃଷ୍ଣ କୁମାର ସାବର ଯୁଗ୍ମ ଭାବେ ପ୍ରଥମ, ଦାମ୍ବୁ ଗୌଡ଼ ଦ୍ୱିତୀୟ ଏବଂ ସନ୍ତୋଷ ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା।ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡଃ. ଶୁଭମ୍ ତ୍ରିପାଠୀ ସମଗ୍ର କାର୍ଯ୍ୟକ୍ରମର ସଂଚାଳନା କରିଥିଲେ। ଦୀପକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି