
ଭୁବନେଶ୍ୱର, ୨୬ ନଭେମ୍ବର (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନଭେମ୍ବର ୨୫ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିର୍ମାଣ ଓ ଭିତିଭୂମି ଯନ୍ତ୍ରପାତି ଉତ୍ପାଦନ ପାଇଁ ୧୧ ହଜାର କୋଟି ଟଙ୍କା ଏବଂ ଡାକସେବା ଆଧୁନିକୀକରଣ ପାଇଁ ୨,୬୩୨ କୋଟି ଟଙ୍କା ଅନୁମୋଦନକୁ ଓଡ଼ିଶା ବିଜେପି ସ୍ୱାଗତ କରିଛି। ଏହି ନିଷ୍ପତି ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟକୁ ଆଗେଇ ନେବ ବୋଲି ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଥିଲେ ଯେ, ଭିତିଭୂମି କ୍ଷେତ୍ରରେ ସରକାରୀ ନିବେଶ ବୃଦ୍ଧି ଦେଶୀୟ ନିର୍ମାଣ ଯନ୍ତ୍ରପାତି ଶିଳ୍ପକୁ ନୂଆ ସୁଯୋଗ ଦେବ। ୨୦୧୩-୧୪ରେ କେନ୍ଦ୍ରର ମୂଳଧନ ବ୍ୟୟ ୧.୮୮ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ରେ ଏହା ୧୦.୬୯ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ଆଗାମୀ ୨୦୨୬-୨୭ ବଜେଟ୍?ରେ ଏଥିପାଇଁ ୧୨.୨୨ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ଭାରତ ବିଶ୍ୱର ତୃତୀୟ ବୃହତମ ନିର୍ମାଣ ଯନ୍ତ୍ରପାତି ବଜାର ହୋଇଥିବାବେଳେ ଏହାର ପ୍ରାୟ ୪୫ ପ୍ରତିଶତ ଚାହିଦା ଆମଦାନି ମାଧ୍ୟମରେ ପୂରଣ ହେଉଛି। ନୂଆ ଯୋଜନା ଦ୍ୱାରା ଦେଶୀୟ ଉତ୍ପାଦନ ବୃଦ୍ଧି ସହ ଆମଦାନି ନିର୍ଭରତା ହ୍ରାସ ପାଇବ। ଚୀନ୍?ର ରପ୍ତାନି ନିୟନ୍ତ୍ରଣ ରଣନୀତିକୁ ମଧ୍ୟ ଏହା ପ୍ରତିହତ କରିବ। ଏହାଦ୍ୱାରା ଓଡ଼ିଶାର ଇସ୍ପାତ ଓ ଯନ୍ତ୍ରାଂଶ ଶିଳ୍ପ ଉପକୃତ ହେବ ବୋଲି ସେ କହିଥିଲେ।
ସେହିପରି ଡାକସେବାର ପାଂଚବର୍ଷିଆ ଆଧୁନିକୀକରଣ ଯୋଜନାରେ ୩୩,୫୦୦ ଗ୍ରାମୀଣ ଡାକଘରର ସୁବିଧା ବୃଦ୍ଧି, ୬୭ଟି ପାର୍ସଲ ହବ୍ ଓ ୫୧୦ଟି ପ୍ୟାକିଂ କେନ୍ଦ୍ର ସ୍ଥାପନ କରାଯିବ। ଏହାଦ୍ୱାରା ଓଡ଼ିଶାର ବୁଣାକାର, କାରିଗର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗୀମାନେ ନିଜ ଉତ୍ପାଦକୁ ବୃହତ୍ ବଜାରରେ ପହଂଚାଇବାର ସୁଯୋଗ ପାଇବେ।
ଏଥିସହ ତାମିଲନାଡୁର କାମରାଜାର ବନ୍ଦରରେ ଦ୍ୱିତୀୟ କଣ୍ଟେନର ଟର୍ମିନାଲ ପାଇଁ ୪,୨୮୮ କୋଟି ଏବଂ ଆସାମର ଶିଲଚର ନିକଟ ଡୋଲୁରେ ଗ୍ରିନ୍ ଫିଲ୍ଡ ବିମାନବନ୍ଦର ପାଇଁ ୨,୦୧୪ କୋଟି ଟଙ୍କା ଅନୁମୋଦନ ହୋଇଛି। ଏହି ସବୁ ପଦକ୍ଷେପ ଦେଶର ଯୋଗାଯୋଗ ଓ ଆର୍ôଥକ ଭିତିଭୂମିକୁ ସୁଦୃଢ଼ କରିବା ସହ ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟକୁ ସହାୟତା କରିବ ବୋଲି ଶ୍ରୀ ପଣ୍ଡା କହିଥିଲେ।
ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଧୀରେନ ସେନାପତି ଓ ସଞ୍ଜୟ ରଥ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା