
ଭୁବନେଶ୍ୱର, ୨୬ ନଭେମ୍ବର (ହି.ସ.): ପଶ୍ଚିମବଙ୍ଗର ଦୀଘାସ୍ଥିତ
ଜଗନ୍ନାଥ ମନ୍ଦିର ପରିସରରୁ ‘ଧାମ’ ଶବ୍ଦ ହଟାଇବା ନିଷ୍ପତ୍ତିକୁ ସ୍ୱାଗତ କରିବା ସହ
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି ଓଡ଼ିଶାର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ
ମାଝୀ କହିଛନ୍ତି ଯେ, ମହାପ୍ରଭୁ
ଶ୍ରୀଜଗନ୍ନାଥ ସମଗ୍ର ବିଶ୍ୱର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ହେବା ସହ କୋଟି କୋଟି ଓଡ଼ିଆଙ୍କ
ଆସ୍ଥା, ବିଶ୍ୱାସ ଓ ସାଂସ୍କୃତିକ ପରିଚୟର ସର୍ବଶ୍ରେଷ୍ଠ ପ୍ରତୀକ।
ଶ୍ରୀକ୍ଷେତ୍ରର ଅନନ୍ୟ ଧାର୍ମିକ ମର୍ଯ୍ୟାଦାକୁ ଅଣଦେଖା କରି ଦୀଘା ମନ୍ଦିର ପାଇଁ ‘ଜଗନ୍ନାଥ
ଧାମ’ ନାମ ବ୍ୟବହାର କରାଯିବା ନିଷ୍ପତ୍ତି ବିଶ୍ୱବ୍ୟାପୀ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଗଭୀର
ଆଘାତ ଦେଇଥିଲା।
ମୁଖ୍ୟମନ୍ତ୍ରୀ ଆହୁରି
କହିଛନ୍ତି ଯେ, ମୁଁ ଅତ୍ୟନ୍ତ ଆନନ୍ଦିତ ଯେ,
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ ଜୀ ତାଙ୍କର
ପୂର୍ବ ଘୋଷଣାକୁ କାର୍ଯ୍ୟକାରୀ କରି ଦୀଘା ମନ୍ଦିର ପରିସରରୁ ‘ଧାମ’ ଶବ୍ଦ ହଟାଇବା ନିଷ୍ପତ୍ତିର
ଆନୁଷ୍ଠାନିକ ସ୍ୱୀକୃତି ସୁନିଶ୍ଚିତ କରିଛନ୍ତି। ବର୍ତ୍ତମାନ ଏହି ପରିସର ‘ଶ୍ରୀ ଶ୍ରୀ ଜଗନ୍ନାଥ
ସାଂସ୍କୃତିକ କେନ୍ଦ୍ର’ ଏବଂ ମନ୍ଦିର ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ନାମରେ ନାମିତ ହେବ। ଶ୍ରୀ
ଅଧିକାରୀ ଜୀଙ୍କର ଏହି ସମ୍ବେଦନଶୀଳତା ଓ ତ୍ୱରିତ ପଦକ୍ଷେପ ପାଇଁ ମୁଁ ତାଙ୍କୁ ସାଧୁବାଦ
ଜଣାଉଛି।
ଓଡ଼ିଶା ଏବଂ ପଶ୍ଚିମବଙ୍ଗର
ବିଜେପି ନେତୃତ୍ୱାଧୀନ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଓ ଗଠନମୂଳକ ସହଯୋଗ ଫଳରେ ଏହି ଐତିହାସିକ
ସମାଧାନ ସମ୍ଭବ ହୋଇପାରିଛି। ଏହା ସନାତନ ସଂସ୍କୃତି,
ପରମ୍ପରା ଏବଂ ଅଗଣିତ ଭକ୍ତଙ୍କ ଧାର୍ମିକ ଆସ୍ଥା ପ୍ରତି ଆମର ଅତୁଟ
ସମ୍ମାନକୁ ପ୍ରତିଫଳିତ କରେ।
ସାଢ଼େ ଚାରି କୋଟି
ଓଡ଼ିଶାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ ଜୀ ଏବଂ
ପଶ୍ଚିମବଙ୍ଗ ସରକାରଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ନିଷ୍ପତ୍ତି ପବିତ୍ର
ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ର ଆଧ୍ୟାତ୍ମିକ ଗାରିମାକୁ ଅକ୍ଷୁଣ୍ଣ ରଖିବା ସହିତ ଆମ ଦୁଇ ପଡ଼ୋଶୀ
ରାଜ୍ୟ ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ଓଡ଼ିଆ ଅସ୍ମିତା ଏବଂ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମାକୁ ସର୍ବଦା ଅକ୍ଷୁଣ୍ଣ ରଖିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ
ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା