
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ସମ୍ବିଧାନ ଦିବସର
ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ
ବାର୍ତ୍ତାରେ ଜାରି କରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ସମ୍ବିଧାନ
ଦିବସ ଅବସରରେ ଆମେ ଭାରତୀୟ ସମ୍ବିଧାନର ପ୍ରଣେତାମାନଙ୍କ ଦୂରଦୃଷ୍ଟି ଓ ପ୍ରଜ୍ଞାକୁ ସମ୍ମାନ
ଜଣାଉଛୁ, ଯେଉଁମାନେ
ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ମୂଳଦୁଆ ସ୍ଥାପନ କରିଥିଲେ। ଏହି ଅବସର ଆମକୁ ସାମ୍ବିଧାନିକ
ମୂଲ୍ୟବୋଧର ସୁରକ୍ଷା କରିବା, ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ପ୍ରତି ସମ୍ମାନ ପ୍ରଦର୍ଶନ କରିବା
ଏବଂ ନାଗରିକ ଭାବେ ନିଜର କର୍ତ୍ତବ୍ୟ ପାଳନ କରିବା ଦିଗରେ ଆମର ସାମୂହିକ ଦାୟିତ୍ୱକୁ ମନେ
ପକାଇଦିଏ। ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ଆଦର୍ଶ ଆମ ଜାତୀୟ ଯାତ୍ରାକୁ ସର୍ବଦା
ମାର୍ଗଦର୍ଶନ କରୁଥାଉ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତୀୟ ଗଣତନ୍ତ୍ରର ମୂଳଦୁଆ ହେଉଛି ଆମ
ସମ୍ବିଧାନ। ଏହା ଦେଶର ଏକତା, ଅଖଣ୍ଡତା ଓ ଗଣତାନ୍ତ୍ରିକ ଆଦର୍ଶର ମହାନ ଆଧାର। ଆସନ୍ତୁ, ଆମ
ଅଧିକାର ସହ ନିଜ କର୍ତ୍ତବ୍ୟକୁ ମଧ୍ୟ ସମାନ ଗୁରୁତ୍ୱ ଦେଇ ସମ୍ବିଧାନର ଆଦର୍ଶକୁ ଜୀବନରେ
ପ୍ରତିଫଳିତ କରିବା ଏବଂ ଏକ ସଶକ୍ତ, ସମାବେଶୀ ଓ ବିକଶିତ ଭାରତ ଗଠନରେ ନିଜ ଯୋଗଦାନ ରଖିବା।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପବିତ୍ର ସମ୍ବିଧାନ ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ
ଶୁଭେଚ୍ଛା। ଭାରତୀୟ ସମ୍ବିଧାନର ନିର୍ମାତା ଡଃ ବି.ଆର୍. ଆମ୍ବେଦକର ଓ ସମସ୍ତ ମହାନ
ବ୍ୟକ୍ତିତ୍ୱଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ଆସନ୍ତୁ, ସମ୍ବିଧାନର ଆଦର୍ଶ ଓ ମୂଲ୍ୟବୋଧକୁ
ଅକ୍ଷୁଣ୍ଣ ରଖିବା ପାଇଁ ସଂକଳ୍ପ ନେବା।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତୀୟ ଗଣତନ୍ତ୍ରର ମୂଳଦୁଆ, ନ୍ୟାୟ,
ସ୍ୱାଧୀନତା,
ସମାନତା ଓ ଭାତୃତ୍ୱର ମହାନ ଆଦର୍ଶକୁ ପ୍ରତିପାଦିତ କରୁଥିବା ଆମ
ପବିତ୍ର ସମ୍ବିଧାନ ଆମ ଦେଶର ଗୌରବ ଓ ଗଣତନ୍ତ୍ରର ଆତ୍ମା। ଏହି ପବିତ୍ର ଦିବସରେ ସମ୍ବିଧାନ
ପ୍ରଣେତା ଭାରତରତ୍ନ ଡ. ବାବାସାହେବ ଆମ୍ବେଦକରଙ୍କ ସମେତ ସମସ୍ତ ମହାନ ମନୀଷୀଙ୍କୁ
ଶ୍ରଦ୍ଧାପୂର୍ଣ୍ଣ ନମନ। ଆସନ୍ତୁ,
ସମ୍ବିଧାନର ମୂଲ୍ୟବୋଧ ଓ ଆଦର୍ଶକୁ ନିଜ ଜୀବନରେ ଆପଣାଇ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଭାରତ ଗଠନରେ ନିଜର ଯୋଗଦାନ ଦେବା।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ
ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଦୂରଦର୍ଶୀ ପ୍ରଣେତାମାନଙ୍କୁ ମୋର
ଗଭୀର ଶ୍ରଦ୍ଧାଞ୍ଜଳି। ସେମାନଙ୍କର ଜ୍ଞାନ, ଦୂରଦୃଷ୍ଟି ଓ ପ୍ରଜ୍ଞା ବିଶ୍ୱର
ସର୍ବବୃହତ୍ତ ଗଣତନ୍ତ୍ରକୁ ଏକ ମାର୍ଗଦର୍ଶକ ସମ୍ବିଧାନ ପ୍ରଦାନ କରିବା ସହ ବିବିଧତାରେ
ପରିପୂର୍ଣ୍ଣ ଏକ ରାଷ୍ଟ୍ରକୁ ଏକ ସାଧାରଣ ଲକ୍ଷ୍ୟ ଓ ଭାଗ୍ୟ ସୂତ୍ରରେ ବାନ୍ଧି ରଖିଛି। ଏହି
ସମ୍ବିଧାନ ଦିବସ ଅବସରରେ ଆସନ୍ତୁ,
ସମ୍ବିଧାନରେ ନିହିତ ଗଣତନ୍ତ୍ର, ନ୍ୟାୟ ଓ
ସମାନତାର ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବା ସହ ନିଜର ମୌଳିକ କର୍ତ୍ତବ୍ୟଗୁଡ଼ିକୁ ନିଷ୍ଠାର ସହ
ପାଳନ କରିବା ପାଇଁ ପୁନର୍ବାର ସଂକଳ୍ପ ନେବା।
ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏକ
ବାର୍ତ୍ତାରେ କହିଛନ୍ତି ଯେ, ସମ୍ବିଧାନ ଦିବସ ଅବସରରେ ସମ୍ବିଧାନ ପ୍ରଣେତା ‘ଭାରତ ରତ୍ନ’ ଡ.
ବାବାସାହେବ ଆମ୍ବେଦକର ଜୀ ଏବଂ ସମ୍ବିଧାନ ନିର୍ମାଣରେ ଅବଦାନ ରଖିଥିବା ସମସ୍ତ ମହାନ
ବ୍ୟକ୍ତିତ୍ୱଙ୍କୁ ମୋର ଶ୍ରଦ୍ଧାପୂର୍ଣ୍ଣ ପ୍ରଣାମ। ଆମ ସମ୍ବିଧାନ ଦେଶର ଏକତା, ଅଖଣ୍ଡତା,
ସମାନତା ଓ ନ୍ୟାୟର ମୂଳଦୁଆ। ଆସନ୍ତୁ, ଆମେ ସମସ୍ତେ ସାମ୍ବିଧାନିକ ମୂଲ୍ୟବୋଧ ଓ ନିଜ ନିଜ କର୍ତ୍ତବ୍ୟ ପାଳନ
କରି ‘ବିକଶିତ ଭାରତ’ ନିର୍ମାଣରେ ନିଜର ଯୋଗଦାନ ଦେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା