
ପୁରୀ, ୨୬ ନଭେମ୍ବର (ହି.ସ.)- ସମ୍ବିଧାନ ହେଉଛି ଆମ ଦେଶର ସର୍ବୋଚ୍ଚ ଆଇନ।ଯାହା ସରକାର ଓ ନାଗରିକଙ୍କ ଅଧିକାର ଏବଂ କର୍ତ୍ତବ୍ୟ ପାଇଁ ଆସ୍ଥା ସ୍ଥାପନ କରିଥାଏ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଆମ ସମ୍ବିଧାନର ପ୍ରସ୍ତୁତି, ଗରୀମା ଓ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରି ଆମ ସମ୍ବିଧାନ ବିଶ୍ବର ସବୁଠାରୁ ଦୀର୍ଘ ଲିଖିତ ଜାତୀୟ ସମ୍ବିଧାନ ବୋଲି କହିଥିଲେ। ଆମ ସମ୍ବିଧାନ ଏକ ସାର୍ବଭୌମ, ସମାଜବାଦୀ, ଧର୍ମ ନିରପେକ୍ଷ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଆମକୁ ସ୍ବୀକୃତି ଦେଇଛି।୧୯୪୯ ମସିହା ୨୬ ନଭେମ୍ବରରେ ଏହା ଗୃହୀତ ହେବା ସହ ୧୯୫୦ ଜାନୁଆରୀ ୨୬ ରେ କାର୍ଯ୍ୟକାରୀ ହୋଇଥିଲା ବୋଲି ସେମାନେ କହିଥିଲେ। ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମ୍ବିଧାନ ଓ ଆଇନ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଉପସ୍ଥିତ ସମସ୍ତଙ୍କୁ ସମ୍ବିଧାନ ଶପଥ ପାଠ କରାଇଥିଲେ।
ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡ଼ା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଭିଷେକ ବେହେରା,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ, ସାଧାରଣ ଜନତା ପ୍ରମୁଖ ଯୋଗଦେଇ ଶପଥ ପାଠ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ