
ଜୟପୁର, ୨୭ ନଭେମ୍ବର (ହି.ସ.): ସାତ ଦଫା ଦାବି ପୂରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା। କୋରାପୁଟ ଜିଲ୍ଲାର ଜୟପୁର ଆଇସିଡିଏସ୍ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୩ ତାରିଖରୁ ସେମାନଙ୍କ ଧାରଣା ଜାରି ରହିଛି। ଗୁରୁବାର ଧାରଣାସ୍ଥଳରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପହଞ୍ଚି ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଛନ୍ତି।
ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବି ମଧ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମାସିକ ୩୦ ହଜାର ଟଙ୍କା ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ଦରମା ପ୍ରଦାନ, ସରକାରୀ କର୍ମଚାରୀର ମାନ୍ୟତା, ମୃତ୍ୟୁକାଳୀନ କ୍ଷତିପୂରଣ, ଗ୍ରାଚୁଇଟି ଓ ଅବସରକାଳୀନ ସୁବିଧା ଆଦି ରହିଛି। ଏହା ସହିତ ଅନ୍ୟାନ୍ୟ ଦାବିକୁ ମିଶାଇ ମୋଟ ସାତ ଦଫା ଦାବି ନେଇ ସେମାନେ ଧାରଣା ଦେଉଛନ୍ତି।
ଦୀର୍ଘବର୍ଷ ଧରି ସ୍ୱଳ୍ପ ପାରିଶ୍ରମିକରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସରକାର ସେମାନଙ୍କ ସମସ୍ୟା ଓ ଦାବି ପ୍ରତି ଉଚିତ ଗୁରୁତ୍ୱ ଦେଉନଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି।
ସେମାନଙ୍କ ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ଏବଂ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି