
ଭୁବନେଶ୍ୱର,୨୭ ନଭେମ୍ବର(ହି.ସ.) - ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶକୁ ନୂଆ ଗତି ଦେବା ଲକ୍ଷ୍ୟରେ ୧୦ଟି ଜିଲ୍ଲାରେ ୩,୮୧୦ କୋଟି ଟଙ୍କାର ୧୯ଟି ବୃହତ୍ ଓ ମଧ୍ୟମ ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ୧୧,୨୫୦ରୁ ଅଧିକ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଐତିହାସିକ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା।
ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପରିଡ଼ା କହିଛନ୍ତି, ଡବଲ ଇଞ୍ଜିନ ସରକାର ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପାୟନ ମାଧ୍ୟମରେ ‘ସମୃଦ୍ଧ ଓଡ଼ିଶା ୨୦୩୬’ ସ୍ୱପ୍ନକୁ ସାକାର କରୁଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ସମତୁଲ ଆଞ୍ଚଳିକ ବିକାଶ ସହ ଶିଳ୍ପ କ୍ଷେତ୍ରରେ ବିବିଧତା ଆଣିବ।
ମଞ୍ଜୁରୀ ପାଇଥିବା ପ୍ରକଳ୍ପ ମଧ୍ୟରେ ପର୍ଯ୍ୟଟନ ଓ ହସ୍ପିଟାଲିଟି କ୍ଷେତ୍ରରେ ୬୦୭ କୋଟି ଟଙ୍କାର ୭ଟି ପ୍ରକଳ୍ପ ରହିଛି। କୋରାପୁଟରେ ହୋଟେଲ ଓ ଇକୋ-ଟୁରିଜିମ୍ ପ୍ରକଳ୍ପ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ। ସେହିପରି ଝାରସୁଗୁଡ଼ାରେ ୩୧୧ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ନିର୍ମାଣ ହେବ, ଯାହାଦ୍ୱାରା ୭୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ।
ଖୋର୍ଦ୍ଧାରେ ୨୨୫ କୋଟି ଟଙ୍କା ବ୍ୟୟରେ ପୋଷାକ ଉତ୍ପାଦନ କାରଖାନା ପ୍ରତିଷ୍ଠା ହେବ। ଏଥିରେ ୫,୫୦୦ରୁ ଅଧିକ ନିଯୁକ୍ତି ସୁଯୋଗ ମିଳିବ। କେନ୍ଦ୍ରାପଡ଼ାରେ ସୌରଶକ୍ତି ଚାଳିତ ମୋଟର ବୋଟ୍ ନିର୍ମାଣ, କେନ୍ଦୁଝରରେ ଇଂଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଂଟ, ଏବଂ ସୁନ୍ଦରଗଡ଼ ଓ ଗଞ୍ଜାମରେ ନୂତନ ଶିଳ୍ପ ପ୍ରକଳ୍ପ ସ୍ଥାପନ ହେବ। ଏଥିସହ ଶକ୍ତି, ନବୀକରଣଯୋଗ୍ୟ ଶକ୍ତି, ଫାର୍ମାସ୍ୟୁଟିକାଲ୍, ମେଡିକାଲ ସରଞ୍ଜାମ, କେମିକାଲ ଓ ପ୍ୟାକେଜିଂ କ୍ଷେତ୍ରରେ ମଧ୍ୟ ନିବେଶ ହେବ।
ସୁନ୍ଦରଗଡ଼, କୋରାପୁଟ, ଝାରସୁଗୁଡ଼ା, ବାଲେଶ୍ୱର, କଟକ, ଖୋର୍ଦ୍ଧା, କେନ୍ଦୁଝର, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେବ।
ଏହାଦ୍ୱାରା ଓଡ଼ିଶାର ଯୁବକଯୁବତୀଙ୍କୁ ନିଜ ରାଜ୍ୟରେ ନିଯୁକ୍ତି ମିଳିବା ସହ ଦାଦନ ସମସ୍ୟା ହ୍ରାସ ପାଇବ। ଓଡ଼ିଶା ଆଗାମୀ ଦିନରେ ଦେଶର ଅର୍ଥନୈତିକ ପ୍ରଗତିର ଏକ ପ୍ରମୁଖ ସାରଥୀ ହେବ ବୋଲି ଶ୍ରୀ ପରିଡ଼ା ଆଶା ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା