
ପୁରୀ/ଭୁବନେଶ୍ୱର,୨୭ ନଭେମ୍ବର(ହି.ସ.) - ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅନ୍ତର୍ଗତ ମାଇଁ ଭାରତ, ପୁରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନ ସଂପର୍କ ପକ୍ଷରୁ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ରେ ବିକଶିତ ଭାରତ ଯୁବ ସଂସଦ ୨୦୨୭ର ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତାର ମୁଖ୍ୟ ବିଷୟବସ୍ତୁ ଥିଲା ‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସମାଜ’। ଏଥିରେ ରୁଦ୍ର ପ୍ରସାଦ ଦାସ ପ୍ରଥମ, ରୋଜାଲିନ ରାଉତ ଦ୍ୱିତୀୟ ଏବଂ ଆକାଶ ପ୍ରସାଦ ଦାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମନୋନୀତ ପ୍ରତିଯୋଗୀମାନେ ପରବର୍ତୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପୁରୀ ଜିଲ୍ଲାର ପ୍ରତିନିଧିତ୍ୱ କରିବେ।
ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ପରାମର୍ଶଦାତା ପରିଷଦ ସଦସ୍ୟ ଓମ୍ ପ୍ରିୟଦର୍ଶୀ ଛୋଟରାୟ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ, ସାମ୍ବିଧାନିକ ମୂଲ୍ୟବୋଧ, ସାମାଜିକ ଦାୟିତ୍ୱବୋଧ ଓ ନେତୃତ୍ୱ ଦକ୍ଷତାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ନିଶାମୁକ୍ତ ଯୁବ ସମାଜ ଗଠନ ସହ ବିକଶିତ ଭାରତ ୨୦୪୭ର ସ୍ୱପ୍ନ ସାକାର କରିବାରେ ଯୁବଶକ୍ତିର ଭୂମିକା ସମ୍ପର୍କରେ ସେ ଆଲୋକପାତ କରିଥିଲେ।
ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସ୍ନାତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।
ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ମହାନ୍ତି, ପଦ୍ମନାଭ ପଣ୍ଡା ଏବଂ ‘ସମାଜ’ର ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ମାଇଁ ଭାରତର ପୁରୀ ଜିଲ୍ଲା ଯୁବ ଅଧିକାରୀ ସୁଶ୍ରୀ ସଙ୍ଗୀତା ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ କରିଥିବାବେଳେ ସଂପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚେତନା, ବକ୍ତୃତା ଦକ୍ଷତା, ନେତୃତ୍ୱ ଗୁଣ ଓ ରାଷ୍ଟ୍ର ନିର୍ମାଣ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।
ପରିଶେଷରେ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ସସ୍ମିତା ବନ୍ଦର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବନ୍ଦେ ମାତରଂ ଗାନ ରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଜାତୀୟ ସଙ୍ଗୀତ ଗାନ ସହ ପରିସମାପ୍ତି ଘଟିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା